Advertisment

ସେ ସିନା ଚାଲିଗଲା, ପଛରେ ଛାଡ଼ି ଦେଇଗଲା ଆଖି ...

ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୯ ବର୍ଷ କାଳ ତୁ ଏମିତି ମୋ କୋଳରେ ଶୋଇଥିଲୁ, ମୋ ସାଥିରେ ଗେଲ ହେଉଥିଲୁ

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Body Donate

Body Donate

ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୯ ବର୍ଷ କାଳ ତୁ ଏମିତି ମୋ କୋଳରେ ଶୋଇଥିଲୁ, ମୋ ସାଥିରେ ଗେଲ ହେଉଥିଲୁ… ତୋ ସୁନ୍ଦର ସୁନ୍ଦର ଲୋଭ ଲଗା ଆଖିରେ ମତେ ଚାହିଁ ରହିଥିଲୁ । ତୁ ମତେ କେତେ ଆବୋରି ନେଇଥିଲୁ, ତୋ ଜୀବନ ସାଙ୍ଗରେ କେତେ ତୁ ବାନ୍ଧି ରଖିଥିଲୁ... ହେଲେ ଆଜି ତୋ ଏ କଳା ଭଅଁର ଆଖି ଦୁଇଟିକୁ ଦୁନିଆ ସ୍ୱାର୍ଥରେ ଦାନ କରି କେଉଁ ଅଫେରା ରାଇଜକୁ ଚାଲିଗଲୁ... ମୋ ଭୋଲୁ ତୁ ମତେ ଏକା କରିଦେଲୁ...

Advertisment

ଏପରି କହି ବାହୁନି ବାହୁନି କାନ୍ଦୁଥିଲା ଜଣେ ମାଆ । ଅନ୍ତର ବେଦନା ଲୁହ ରୂପରେ ଆଖି ବାଟେ ବୋହି ଆସୁଥିଲା । ୧୯ ବର୍ଷ ଧରି ପୁଅ ଜନ୍ମରୁ ଶଯ୍ୟାସାୟୀ ଥିଲା.. କଥା କହୁ ନ ଥିଲା କି ନିଜେ କିଛି କରି ପାରୁ ନ ଥିଲା । ସେ ଆଜି ଅକସ୍ମାତ ଚାଲିଗଲା ପରେ ଦୁନିଆ ପାଇଁ ତା ଆଖି ଛାଡି ଦେଇ ଯାଇଛି । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ତା ସର୍ବାଙ୍ଗ ଦାନ କରି ଦେଇ ଯାଇଛି ।

ସମ୍ବଲପୁର ଜିଲ୍ଲା ବୁଢାରଜାରେ ରହୁଥିବା ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଏବଂ ଅଧ୍ୟାପିକା ମଞ୍ଜରୀ ନନ୍ଦଙ୍କ ଏକମାତ୍ର ପୁଅ ସାଇଶରଣ ନନ୍ଦଙ୍କର ଗତ ରବିବାର ମଧ୍ୟରାତ୍ରରେ ଦେହାନ୍ତ ଘଟିଛି । ଦେହାନ୍ତ ପରେ ପରିବାର ସଦସ୍ୟ ତାଙ୍କର ଚକ୍ଷୁଦାନ ଓ ଅଙ୍ଗଦାନ କରିଛନ୍ତି । ପୂର୍ବରୁ ସାଇଶରଣ ନନ୍ଦଙ୍କ ଜେଜେବାପା ସ୍ୱାଧୀନତା ସଂଗ୍ରାମୀ ବରିଷ୍ଠ ରାଜନେତା ସ୍ୱର୍ଗତଃ ଭାଗବତ ପ୍ରସାଦ ନନ୍ଦଙ୍କର ମଧ୍ୟ ଶରୀର ଦାନ କରାଯାଇଥିଲା ।

Advertisment

ଆଉ ଏବେ ସାଇଶରଣଙ୍କର ଚକ୍ଷୁ ସମେତ ସର୍ବାଙ୍ଗ ଦାନ କରାଯାଇଛି । ବଡ କଥା ହେଲା ବୁର୍ଲା ମେଡିକାଲ୍ କଲେଜ୍ ଇତିହାସରେ ଏଭଳି ଦିବ୍ୟାଙ୍ଗ ସ୍ପେସାଲ୍ ଚାଇଲ୍ଡ କ୍ଷେତ୍ରରେ ଅଙ୍ଗଦାନ ପ୍ରଥମ ଘଟଣା । ଏହା ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ନିଶ୍ଚୟ ସହାୟ ହେବ ।

ସାଇଶରଣ ଜନ୍ମ ହେବା ପରେ ତାଙ୍କର ଚିକିତ୍ସା ପାଇଁ ଭାରତର ବିଭିନ୍ନ ସ୍ଥାନକୁ ବାପା ମାଆ ନେଇଥିଲେ । ଏଲୋପାଥିରୁ ଆରମ୍ଭ କରି ହୋମିଓପାଥି, ଆୟୁର୍ବେଦ ଚିକିତ୍ସା ଫିଜିଓ ଥେରାପି ଆଦି ସମସ୍ତ ପ୍ରୟାସ କରାଯାଇଥିଲା । ହେଲେ କୌଣସି ପରିବର୍ତ୍ତନ ହୋଇନଥିଲା । ଏହା ସତ୍ତ୍ୱେ ପରିବାର ବର୍ଗ ସାଇଶରଣଙ୍କୁ ଯଥେଷ୍ଟ ଆଦର ଓ ସ୍ନେହର ସହ ଦୀର୍ଘ ୧୯ ବର୍ଷ କାଳ ବଞ୍ଚାଇ ରଖିଥିଲେ ।

କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର । ଗତ ମେ ମାସ ୧୬ ତାରିଖରେ ତାଙ୍କର ଜନ୍ମଦିନ ଥିଲା । ୧୯ ବର୍ଷ ୨୫ ଦିନ ବୟସରେ ସାଇଶରଣ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସାଇ ଆଉ ନାହିଁ... ସେ ଆଉ ଫେରିବ ନାହିଁ ବୋଲି ଜାଣିଥିଲେ ବି ତା ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିବା ସମସ୍ତଙ୍କ ପାଇଁ ଅସମ୍ଭବ ହୋଇ ପଡିଛି । ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ସାଇର ଅମର ଆତ୍ମା ସଦଗତି ପାଉ ଏବଂ ପରିବାର ବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ।

Medical
Advertisment
Advertisment