• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପା ନାହାନ୍ତି କି ମାଆ ନାହାନ୍ତି । ବଡ ଭାଇର ପୂରା ଦାୟିତ୍ୱ ଏବେ ସାନଭଉଣୀ ଉପରେ । ଖାଇବାକୁ ଶୋଇବା...ଗାଧୋଇବାଠୁ, ସଫା ସୁତରା କରାଇବା । ସକାଳୁ ସଂଜ...ଭାଇସେବାରେ ଲାଗିଛି ଭଉଣୀ । ମନରେ ଟିକିଏ ଦୁଃଖ ନାହିଁ । ବରଂ ସେ କହୁଛି ମୋ ପାଇଁ ମୋ ଭାଇ ବଡ ।

ଏଇଠି ଭାଇ ହାତରେ ରାକ୍ଷୀ ନୁହେଁ ବରଂ ବନ୍ଧାଯାଇଛି ଗାମୁଛା । କାରଣ ଗାମୁଛା ବନ୍ଧା ନହେଲେ ଭଉଣୀ ପାଖରୁ ଭାଇ କୁଆଡେ ଯେ ପଳାଇଯିବ ତାକୁ ଖୋଜି ପାଇବା ବି କଷ୍ଟକର ହୋଇ ପଡିବ । ଇଚ୍ଛା ନଥିଲେ ବି ଉପାୟ ବି କିଛି ନାହିଁ । ରାକ୍ଷୀପର୍ବ ପାଳନ ହେଉଛି । ସେଇଥି ଲାଗି ତ ଭାଇ ହାତରୁ ଗାମୁଛା କାଢି ଗାଧୋଇ ପାଧୋଇ ପରିଷ୍କାର କରିଦେଇ ରାକ୍ଷୀ ବାନ୍ଧିଛି ଭଉଣୀ ।

ରେଢାଖୋଲ ବ୍ଲକ ବଡବାହାଲ ପଚାଂୟତ ଲଇଣ୍ଡାମାଳ ଗାଁର ଶାନ୍ତନୁ ମିର୍ଦ୍ଦା । ଘରର ବଡ ପୁଅ ସେ । ହେଲେ ମାନସିକ ଅନଗ୍ରସର ପାଇଁ ଜୀବନ ତାଙ୍କର ଦୁର୍ବିସହ ହୋଇ ପଡିଛି । ନା ସେ କିଛି ଜାଣିପାରୁନଛନ୍ତି ନା କିଛି କରିପାରୁଛନ୍ତି । ବାପା-ମାଆ ଜୀବିତ ଥିବା ବେଳେ ଯାହା ଯେମିତି ତାଙ୍କର ସେବା କରୁଥିଲେ । ହେଲେ ଏବେ ପରିସ୍ଥିତି ପୂରା ସଙ୍ଗୀନ । ସାନ ଭଉଣୀ ଏବେ ପୂରା ପରିବାରର ବୋଝ ମୁଣ୍ଡାଇଛି । ବଡ ଭାଇର ସେବା କରିବା ସହ ସାନ ଭାଇକୁ ସ୍ନେହ ଦେଇ ବଡ କରୁଛି ।

ଶାନ୍ତନୁଙ୍କୁ ଭଲ କରିବା ଲାଗି ଭଉଣୀ ପ୍ରମିଳା ଅନେକ ଚେଷ୍ଟା କରିଛି । ଘରେ ଯାହା ଜମାପୁଞ୍ଜି ଥିଲା ତାକୁ ବି ସାରିଦେଇଛି । ହେଲେ ଭାଇ ଭଲ ହେଲାନି । ଭାଇ ଭଲହେଲାନି ବୋଲି ତାକୁ ସେ ହତାଦାର କରିନି ବରଂ ସେବାଯତ୍ନ କରି ଦୁନିଆ ଲାଗି ଉଦାହରଣ ପାଲଟିଛି । ଏବେ ତିନି ଅନାଥ ପିଲାଙ୍କ ସହ ବୁଢ଼ୀ ମାଉସୀ ଓ ବୁଢ଼ୀ ଆଇ ରହୁଛନ୍ତି ଗୋଟିଏ ଘରେ । ସରକାରୀ ଚାଉଳରେ ଚଳୁଛି ସଂସାର ।

ଏତେ ଦୁଃଖରେ ଥିବା ପରେ ବି ସେମାନଙ୍କୁ ମିଳୁନି ଘର କି ଭତ୍ତା । ବୁଢୀ ମାଉସୀ ପରଦୁଆରେ ମୂଲ ଲାଗିଲେ ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପରିବାର । ତେବେ ଏ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ବିଡିଓ କହିଛନ୍ତି ପ୍ରମିଳାଙ୍କ ପରିବାରକୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବା ସହିତ ଶାନ୍ତନୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯିବ ।

 

  • Reported by:
  • RAMAKANTA MAHANANDA