• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବର୍ଷେ କି ୨ ବର୍ଷ ନୁହେଁ ବରଂ ଦୀର୍ଘ ୩୧ ବର୍ଷ ପରେ ଭାରତୀୟ ଭଲିବଲ୍ ଟିମ୍‌ରେ ସାମିଲ ହୋଇପାରିଛନ୍ତି ଜଣେ ଓଡିଆ ଯୁବକ । ଏତେ ବର୍ଷ ପରେ ଜଣେ ଓଡ଼ିଆ ଭଲିବଲ୍‌ ଖେଳରେ ସାମିଲ ହୋଇଥିବାରୁ ତାଙ୍କୁ ନେଇ କେବଳ ରାଜ୍ୟ ନୁହେଁ ବରଂ ପୂରା ଦେଶରେ ବଢିଲାଣି ଚର୍ଚ୍ଚା ।

ଜଗତସିଂହପୁର ବାଲିକୁଦା ବ୍ଲକ ଗରାମ ଗାଁର ରାହୁଲ ବାରିକ । ବାପା ପ୍ରଶାନ୍ତ ବାରିକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ମାଆ ମମତା ବାରିକ ସୁଗୃହିଣୀ । ପିଲାଟି ଦିନରୁ ଭଲିବଲ୍ ଖେଳ ପ୍ରତି ରାହୁଳଙ୍କ ଆଗ୍ରହ ରହିଥିବା ବେଳେ କଠିନ ପରିଶ୍ରମ ଏବଂ ନିଷ୍ଠାପର ଉଦ୍ୟମ ତାଙ୍କୁ ଏହି ସ୍ଥାନରେ ପହଂଚାଇବାରେ ସହାଯ୍ୟ କରିଛି । ଗରାମ ଗାଁର ଗ୍ରୀନ୍ ଭିଲେଜ ସ୍ୱୋର୍ଟ୍ସ କ୍ଲବ୍‌ରୁ ଇଣ୍ଡିଆ ଟିମ୍‌ରେ ସ୍ଥାନ ପାଇବା ପର୍ଯ୍ୟନ୍ତ ରାହୁଳଙ୍କ ଯାତ୍ରା ଆଜି ପରିବାର ସହ ଗାଁ ଲୋକଙ୍କୁ ଗୌରବାନ୍ୱିତ କରିଛି ।

ଆଜି ନୁହେଁ ବରଂ ରାହୁଲ ଗାଁ ସ୍କୁଲରେ ଯେବେ ପାଠ ପଢୁଥିଲେ ସେବେଠାରୁ ଖେଳପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ପାଠ ପଢା ଛାଡି ବେଳେବେଳେ ଖେଳିବାରେ ଅଧିକ ମନ ଦେଉଥିବାରୁ ବାପାଙ୍କଠାରୁ ରାହୁଲ ଅନେକ ସମୟରେ ମାଡ ବି ଖାଆନ୍ତି । ମାଆ ରାତିରାତି ବସି ବୁଝାନ୍ତି । ହେଲେ ଖେଳ ପ୍ରତି ଥିବା ଦୁର୍ବଳତାକୁ ସହଜରେ ଛାଡି ପାରିନଥିଲେ ରାହୁଲ ।

ଏମିତିକି ପାରାଦୀପ,ଅଡସପୁର ଆଦି ସ୍ଥାନରେ ରହି ଅଭିଜ୍ଞ ପ୍ରଶିକ୍ଷକଙ୍କଠାରୁ କୋଚିଂ ନେଇଥିଲେ ରାହୁଲ । କୋଚିଂ ନେବା ପରେ ଧୀରେ ଧୀରେ ଭଲିବଲ୍‌ରେ ଅଧିକ ସମୟ ବିତାଇଥିଲେ ରାହୁଲ । ଯାହାର ଫଳସ୍ୱରୂପ ଆଜି ଜାତୀୟ ଭଲିବଲ୍ ଦଳରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ପୂରା ପରିବାର ଲୋକ । ଆଉ ଏବେ ଯେଉଁମାନେ ଖେଳପ୍ରତି ଆଗ୍ରହ ଦେଖାଉଛନ୍ତି ସେମାନଙ୍କ ଅଭିଭାବକଙ୍କୁ ରାହୁଲଙ୍କ ବାପା-ମାଆ କହୁଛନ୍ତି ପିଲାଙ୍କୁ ଦିଅ ଉପଯୁକ୍ତ ତାଲିମ୍‌ ।

ସେପଟେ ରାହୁଲଙ୍କ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଆଶା ରଖିଛନ୍ତି ରାହୁଲ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ । ଏପଟେ ସ୍ଥାନୀୟ ଲୋକେ କହୁଛନ୍ତି ଯଦି ସଠିକ୍‌ ଭାବରେ ପ୍ରଶିକ୍ଷଣ ଓ ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ଶହଶହ ରାହୁଲ ଆଗକୁ ଆସିବା ସହିତ ଦେଶର ନାଁ ରଖନ୍ତେ ।

 

  • Reported by:
  • Sashank Sekhar Panda