• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଙ୍ଗା ଦଦରା ଘର...କାନ୍ଥରୁ ମାଟି ଖସିଗଲାଣି । ତାଳବରଡ଼ାରେ ମଥାନ ଛପର ହୋଇଛି । ବିପଦ ସଙ୍କୁଳ ଘରେ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ଆଥଲେଟ୍‌ । ଦିନେ ସେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରି ଜାଭେଲିନ,ସଟଫୁଟ,ଭଳିବଲ ମାରାଥନ ଆଦି ଖେଳ ଖେଳି ମାଳମାଳ ମେଡାଲ ଜିତିବା ସହ ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି । ହେଲେ ଏବେ କିନ୍ତୁ ସେ ଆଖୋଜା ଓ ଅଲୋଡ଼ା । ସ୍ଥିତି ଏବେ ଏମିତି ହେଲାଣି ଯେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ କି ଖାଇବାକୁ କିଛି ନାହିଁ ।

ରୋଜଗାର ନାହିଁ...ପାଖରେ ଟଙ୍କା ବି ନାହିଁ । ସେଇଥି ଲାଗି ତ ଅବହେଳିତ ଅବସ୍ଥାରେ ନିଜ ବୁଢୀ ମାଆଙ୍କ ସହ ରହୁଛନ୍ତି ଦିବ୍ୟାଙ୍ଗ ଆଥଲେଟ୍‌ । କେନ୍ଦ୍ରାପଡା ରାଜକନିକା ଗଞ୍ଜା ଗାଁର ଦିବ୍ୟାଙ୍ଗ ଆଥଲେଟ୍‌ ସ୍ୱର୍ଣ୍ଣଲତା ବେହେରା । ଦିବ୍ୟାଙ୍ଗ ସତ..ହେଲେ ସେ କେବେ ହାର ମାନିନାହାନ୍ତି । ହ୍ୱିଲ ଚେୟାରରେ ଯିବାଆସିବା କରନ୍ତି ସତ କିନ୍ତୁ ରାଜ୍ୟପାଇଁ ବିଭିନ୍ନ ବର୍ଗର ଖେଳରେ ଆଣିଛନ୍ତି ମାଳମାଳ ମେଡାଲ ।

ଜାତୀୟସ୍ତରର ଆଥଲେଟ୍‌ଙ୍କ ଦୁଃଖ କହିଲେ ନସରେ । ଦିନେ ସେ ଖେଳ ପଡ଼ିଆରେ ଟ୍ରାଇ-ସାଇକେଲେରେ ବସି ନିଜର ପ୍ରତିଭା ଦେଖାଉଥିଲେ । କିନ୍ତୁ ଏବେ ପରିସ୍ଥିତିର କଷାଘାତରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ସ୍ୱର୍ଣ୍ଣଲତା । ବାପା ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳିଯାଉଥିଲା । ହେଲେ ଏବେ ସମୟ ବଦଳିଯାଇଛି...ସ୍ଥିତି ବି ବଦଳିଯାଇଛି । ତେଣୁ ୨ ବର୍ଷ ହେଲା ଏଇ ଛଣଛପର ଘରେ ମାଆଙ୍କ ସହ ରହୁଛନ୍ତି ସ୍ୱର୍ଣ୍ଣଲତା ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଏବେ ଘର ଚଳୁଛି ମାଆଙ୍କ ବିଧବା ଭତ୍ତା ଓ ନିଜର ଦିବ୍ୟାଙ୍ଗ ଭତ୍ତାରେ । ଆଜିକା ମହରଗ ଯୁଗରେ ଭତ୍ତା ଟଙ୍କାରେ କେମିତି ପରିବାର ଚଳୁଥିବ ତାହା ସ୍ପଷ୍ଟ ଅନୁମେୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜେ ଦିବ୍ୟାଙ୍ଗ ହୋଇଥିବାରୁ ପକ୍କାଘର ଖଣ୍ଡିଏ ଲାଗି ସରକାରୀ ଦପ୍ତରକୁ ଦଉଡି ଦଉଡି ନିରାଶ ହୋଇଛନ୍ତି ।

ସ୍ୱର୍ଣ୍ଣଲତାଙ୍କ କହିବା ଅନୁସାରେ, ୨୦୧୭ ମସିହାରୁ ଓଲଟପୁର ନିରତାରରୁ ଭଲିବଲ, ସର୍ଟଫୁଟ, ବାସ୍କେଟ ବଲ, ଜାଭେଲିନ,ମାରାଥନ ଆଦି ଖେଳରେ ପ୍ରଶିକ୍ଷଣ ନେଇ ବିହାର, ଚେନ୍ନାଇ, ତେଲେଙ୍ଗାନା, କଲିକତା, ପଞ୍ଜାବ ଆଦି ରାଜ୍ୟରେ ପ୍ରତିନିଧିତ୍ୱ କରି ସେ ଗୌରବ ଆଣିଛନ୍ତି । ଏତେ ସବୁ ପ୍ରତିକୂଳ ପରିସ୍ଥିତି ପରେ ବି ସେ ହାର ମାନିନାହାନ୍ତି । ବରଂ ଖେଳ ଜାରି ରଖିଛନ୍ତି । ସେପଟେ ସ୍ୱର୍ଣ୍ଣଲତାଙ୍କ ଅସହାୟତା ସମ୍ପର୍କରେ ବିଡିଓ ଅବଗତ ହେବା ପରେ କେମିତି ତାଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି ।

କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହନ ଦେବାକୁ ସର୍ବଦା ରାଜ୍ୟ ସରକାର କହୁଛନ୍ତି । ମାଳମାଳ ଯୋଜନା ବି ହେଉଛି...କିନ୍ତୁ ଜଣେ ଦିବ୍ୟାଙ୍ଗ ଖେଳାଳି ଏତେ କଷ୍ଟରେ ରହୁଥିବା ପରେ ବି ସରକାରୀ ସହାୟତା ମିଳୁନଥିବାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

 

  • Reported by:
  • Banamali Sahoo