Advertisment

ବିଛଣାରେ ଶୋଇଛି ବଢିଲା ଝିଅ...ସେବା କରିଚାଲୁଛି ମାଆ

ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍‌ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ...

author-image
Sarbeswar
ଅଦ୍ୟତନ ହୋଇଛି
undefined

Jagatsinghpur Special Story

ଜଗତସିଂହପୁର: ସପରେ ଉପରେ ଦିନରାତି ଶୋଇ ରହୁଛି ବଢିଲା ଝିଅ। ଗରମ କ୍ଷୀରରେ ରୁଟି ବୁଡେଇ ବୁଡେଇ ନିଇତି ଖୁଆଇ ଦେଉଛି ମାଆ। ଆଉ ଟିକେ ଟିକେ ଖାଉଛି ଝିଅ। ଏକଥା ଶୁଣିବା ପରେ ଆପଣଙ୍କୁ ଲାଗୁଥିବ ଝିଅର ବୋଧହୁଏ ଦେହ ଖରାପ ଅଛି ତେଣୁ ଏମିତି ମାଆ ଖୁଆଇ ଦେଉଛି। କିନ୍ତୁ ଏବେ ନୁହେଁ ବରଂ ଜନ୍ମରୁ ଆଜିଯାଏଁ ବିଛଣାରେ ଶୋଇଛି ଝିଅ ଆଉ ତାହାର ସେବା କରୁଛି ମାଆ।

Advertisment

ଜଗତସିଂହପୁର ରଘୁନାଥପୁର ଧରାଧରପୁର ପଂଚାୟତ ବସନ୍ତା ଗାଁର ଛବିଳ ସାହାଣୀଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖି ବି ଲୁହରେ ଭିଜିଯିବ । ସ୍ୱାମୀ ଲୋକନାଥ ସାହାଣୀ ବଞ୍ଚିଥିବା ବେଳେ ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ହସଖୁସିରେ ଚଳୁଥିଲା ପରିବାର। ହେଲେ ସ୍ୱାମୀ ଆରପାରିକୁ ଯିବା ପରେ ଏବେ ଦୁଃଖର କଳାବାଦଲ ଛବିଳଙ୍କ ଉପରେ ଢାଙ୍କି ହୋଇ ରହିଛି। ଜନ୍ମରୁ ଝିଅ ସସ୍ମିତାଙ୍କୁ ପୋଲିଓ। ବାପା ଥିବା ବେଳେ ଗ୍ଲେହ୍ଲୀ ଝିଅ ସସ୍ମିତାର ସବୁ କାମ କରିଦେଉଥିଲେ ହେଲେ ସିଏ ତ ୨ ବର୍ଷ ହେଲା ନାହାନ୍ତି। ଆଉ ବାପାଙ୍କ ସବୁ କାମ ଏବେ ମାଆଙ୍କୁ କରିବାକୁ ପଡୁଛି।

ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍‌ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ । ରକ୍ଷଣାବେକ୍ଷଣ ଅଭାବରୁ କିଛି ଅଂଶରେ ଭାଙ୍ଗିଗଲାଣି। ହେଲେ ତାକୁ ମରାମତି କରିବାକୁ ଆଉ ଛବିଳଙ୍କ ଅଣ୍ଟାରେ ଜୁ’ ବି ନାହିଁ। ସେପଟେ ଦିବ୍ୟାଙ୍ଗ ସସ୍ମିତାଙ୍କୁ ଭତ୍ତା ବାବଦରେ ମାସକୁ ୭୦୦ ଟଙ୍କା ମିଳୁଛି । ସେତିକିରେ କେମିତି ପରିବାର ଚଳିବ ତାହାକୁ ନେଇ ଚିନ୍ତାରେ ଛବିଳ।

Advertisment

ସେପଟେ ଛବିଳାଙ୍କ ଅସହାୟତା ସମ୍ପର୍କରେ  ଆମେ ରଘୁନାଥପୁର ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଥିଲେ । ସ୍ଥାନୀୟ ସରପଂଚ କହିଛନ୍ତି ସେ ଦାୟିତ୍ୱ ନେବାପରେ ଛବିଳ ସାହାଣୀଙ୍କୁ ବିଧବା ଭତା ମିଳିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଅଳ୍ପଦିନ ମଧ୍ୟରେ ତାଙ୍କୁ ଭତ୍ତା ମିଳିବ। ଏହାସହ ଅନ୍ୟ ସରକାରୀ ସହାୟତା ବି ତାଙ୍କୁ ଯୋଗାଇ ଦିଆଯିବ। ତେବେ ସମୟ କହିବ କେବେ ଛବିଳଙ୍କୁ ମିଳୁଛି ସରକାରୀ ସହାୟତା।

ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ, ଓଟିଭି

Odisha Jagatsinghpur Special Story
Advertisment
Advertisment