• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜିରୋଧା ଦେଶର ଏକ ବଡ଼ ତଥା ନାମୀଦାମୀ ବ୍ରୋକରେଜ୍‌ କମ୍ପାନୀ । ଏହି କମ୍ପାନୀ ମାଧ୍ୟମରେ ଆପଣ ଏକ ଅନଲାଇନ୍ ଆକାଉଣ୍ଟ୍ ଖୋଲି ଷ୍ଟକ୍ ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ବିନିଯୋଗ କରିପାରିବେ । ଭାରତରେ ଅଳ୍ପ କିଛି ଷ୍ଟାର୍ଟଅପ୍ ମଧ୍ୟରୁ ଜିରୋଧା ଏକ, ଯାହା ଲୋକଙ୍କୁ ଭଲ ଲାଭ ଦେଉଛି । ଚଳିତ ଆର୍ଥିକ ବର୍ଷରେ ଜିରୋଧା ୨୦୦ କୋଟି ଟଙ୍କାର ଲାଭ କରିଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ, ଏହି ଷ୍ଟାଟଅପ୍ ଗଢ଼ିଥିବା ନିଖିଲ ଏବଂ ନିତିନ କାମାଥ ଆନୁଷ୍ଠାନିକ ଭାବେ କୌଣସି ପ୍ରକାର ଆର୍ଥିକ ଶିକ୍ଷା ଗ୍ରହଣ କରିନାହାନ୍ତି ।

ନିତିନ କାମାଥ ଜଣେ ଇଞ୍ଜିନିୟର ହୋଇଥିବାବେଳେ ନିଖିଲ କାମାଥ ସ୍କୁଲରୁ ପାଠପଢ଼ା ଛାଡ଼ି ଦେଇଥିଲେ । ଏହି କାରଣରୁ କମ୍ପାନୀ ପ୍ରତିଷ୍ଠା ସମୟରେ ଦୁଇ ଭାଇଙ୍କୁ ଖୁବ୍‌ କଷ୍ଟ କରିବା ପାଇଁ ପଡ଼ିଥିଲା । ଜିରୋଧାରେ ଆଜି ପର୍ଯ୍ୟନ୍ତ ବାହାରୁ କୌଣସି ପ୍ରକାର ଟଙ୍କା ବିନିଯୋଗ ହୋଇନାହିଁ , ତଥାପ ଦୁଇ ଭାଇଙ୍କ କଠିନ ପରିଶ୍ରମରେ କମ୍ପାନୀ ଏତେ ଦୂର ଆଗେଇ ପାରିଛି ।

ନିତିନ କାମାଥ(Nithin Kamath) ଅଧିକ ଲୋକପ୍ରିୟ ଚେହେରା ହୋଇଥିବା ବେଳେ ସେ ଦୁଇ ଭାଇଙ୍କ ମଧ୍ୟରେ ବଡ଼ । ତେବେ ସାନଭାଇ ନିଖିଲ କାମାଥ(Nikhil Kamath )ଙ୍କ କାହାଣୀ କୌଣସି ସିନେମା ଠାରୁ କମ୍‌ ନୁହେଁ । ସେ ବର୍ତ୍ତମାନ କମ୍ପାନୀର ସହ-ପ୍ରତିଷ୍ଠାତା(Co-Founder) ଏବଂ CFO ଅଟନ୍ତି ।

ସ୍କୁଲ ଶିକ୍ଷା ସମାପ୍ତ ନକରି ମଧ୍ୟ ସେ କଠିନ ପରିଶ୍ରମ କରି ୧୬,୫୦୦ କୋଟି ଟଙ୍କା ମୂଲ୍ୟର ଏକ କମ୍ପାନୀ ତିଆରି କରିଦେଇଛନ୍ତି । ବର୍ତ୍ତମାନ ଜିରୋଧା(Zerodha )ର ଭାଲ୍ୟୁଏସନ୍‌ ପ୍ରାୟ ୨ ବିଲିୟନ ଡଲାର ଅଟେ ।

୧୪ ବର୍ଷ ବୟସରେ ପୁରୁଣା ଫୋନ୍‌ ବିକ୍ରି କରୁଥିଲେ

ନିଖିଲ କାମାଥଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ସେତେବେଳେ ସେ ସେକେଣ୍ଡ୍ ହ୍ୟାଣ୍ଡ୍‌ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ, ଯାହା ତାଙ୍କ ପାଠପଢ଼ା ଉପରେ ପ୍ରଭାବ ପକାଇଲା । ତାଙ୍କ ମା ଏକଥା ଜାଣିବା ପରେ ସମସ୍ତ ଫୋନକୁ ଡ୍ରେନରେ ପକାଇ ଦେଇଥିଲେ । ନିୟମିତ ସ୍କୁଲ ଯାଉନଥିବାରୁ ତାଙ୍କୁ ଦଶମ ବୋର୍ଡ ପରୀକ୍ଷାରେ ବସିବାକୁ ଦିଆଯାଇ ନଥିଲା। ଏହିପରି ଭାବରେ ସେ ଅଧାରୁ ପାଠ ଛାଡ଼ି ଦେଇଥିଲେ ।

୧୭ ବର୍ଷ ବୟସରେ ସେ ଏକ କଲ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କୁ ମାସକୁ ୮,୦୦୦ ଟଙ୍କା ମିଳୁଥିଲା । ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ ଏବଂ ତା’ପରେ ସକାଳେ ଷ୍ଟକ୍ ମାର୍କେଟରେ ଭାଗ୍ୟ ପରୀକ୍ଷା କରୁଥିଲେ । ଆଉ ସେହି ସମୟରେ ହିଁ ସେ ଷ୍ଟକ୍ ମାର୍କେଟ ସମ୍ପର୍କରେ ବହୁତ କିଛି ଶିଖିଥିଲେ ।

ତେବେ ଏଥିରେ ତାଙ୍କ ବାପା ବହୁତ ସମର୍ଥନ କରିଥିଲେ । ଷ୍ଟକ ମାର୍କେଟରେ ବିନିଯୋଗ କରିବା ପାଇଁ ନିଖିଲଙ୍କୁ ଟଙ୍କା ଦେଇଥିଲେ । ତେବେ କଲ୍‌ ସେଣ୍ଟର ସହକର୍ମୀଙ୍କୁ ମଧ୍ୟ ମନେଇ ସେ ଟଙ୍କା ନେଇ ଷ୍ଟକ୍‌ ମାର୍କେଟରେ ଲଗାଉଥିଲେ । ଏହିପରି ଭାବରେ ଷ୍ଟକ୍ ବ୍ରୋକିଂରେ ତାଙ୍କର କ୍ୟାରିଅର୍ ଆରମ୍ଭ ହୋଇଥିଲା । ଅନେକ ପରିଶ୍ରମ ପରେ୨୦୧୦ରେ ଜିରୋଧା ଲଞ୍ଚ କରାଯାଇଥିଲା । ୨୦୨୧ରେ ନିଖିଲ କାମାଥ ମାତ୍ର ୩୪ ବର୍ଷ ବୟସରେ କୋଟିପତି ହୋଇଯାଇଛନ୍ତି ।