• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାମ କରୁ କରୁ ପ୍ରେମ ହୋଇଗଲା ପ୍ରେମ । ଖାଲି ପ୍ରେମ ହେଲା ତାହା ନୁହେଁ ବରଂ ୭ ଜନ୍ମର ସାଥୀ ହେବା ପାଇଁ ଉଭୟଙ୍କ ମଧ୍ୟରେ ନିଷ୍ପତ୍ତି ହେଲା । ପରେ ପ୍ରେମକୁ ସ୍ୱୀକାର କରିବା ସହିତ ଉଭୟ ଅଗ୍ନିଙ୍କୁ ସାକ୍ଷୀ ରଖି ବିବାହ କଲେ…ଘର ସଂସାର ବି କଲେ । ଆଉ ଏହାରି ମଧ୍ୟରେ କୋଳରେ ଝିଅଟିଏ ବି ଖେଳିଲା । କିନ୍ତୁ ପିଲା ଜନ୍ମ ପରେ ପେଟର ଯନ୍ତ୍ରଣା ଭୟଙ୍କର ଭାବରେ ବଢିଯିବାରୁ ଏବେ ସ୍ୱାମୀ କରିଦେଲା ପର…ବାସ୍‌ କୁନି ଝିଅକୁ ନେଇ ମାଆ କୁଆଡ଼େ ଯିବ ? କେମିତି ବଞ୍ଚିବ ସେନେଇ କରୁଛି କସରତ ।

ଦଶପଲ୍ଲାର ପୁଷ୍ପଲତା । ପିଲାଟି ଦିନରୁ ଗାଁରେ ବେଶ ହସଖୁସିରେ ଚାଲୁଥିଲା ସଂସାର । କିନ୍ତୁ ବଡ ହେବା ପରେ ନିଜେ ରୋଜଗାର କରିବା ଚକ୍କରରେ ଗାଁରୁ ଆସି ପହଞ୍ଚିଥିଲେ ଭୁବନେଶ୍ୱରରେ । ଆଉ ଏଇ ରାଜଧାନୀରେ ତାଙ୍କର ଦେଖା ହୋଇଥିଲା କନ୍ଧମାଳର ଯୁବକ ବାଦଲ ଦିଗାଙ୍କ ସହ । ଏକାଠି କାମ, ଏକାଠି ଖିଆପିଆ...ପୁଣି କେତେବେଳେ ଏକାଠି ବୁଲୁବୁଲୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ । ଆଉ ପ୍ରେମ ସମୟ କ୍ରମେ ପତୀ-ପତ୍ନୀର ରୂପ ବି ନେଇଥିଲା ।

ବାହାଘରର ୭ ବର୍ଷ ପର୍ଯ୍ୟନ୍ତ ବି ଉଭୟଙ୍କ ମଧ୍ୟରେ ଉତ୍ତମ ସଂପର୍କ ଥିଲା । କିନ୍ତୁ ହଠାତ୍‌ ଝିଅ ଜନ୍ମ ହେବା ପରେ ପୁଷ୍ପଲତାଙ୍କ ପେଟରେ ଅତ୍ୟଧିକ ଯନ୍ତ୍ରଣା ବଢିଯାଇଥିଲା । ଆଉ ଏତିକି ବେଳେ ମାଆ ଓ ଝିଅକୁ ଛାଡି କୁଆଡେ ଅନ୍ତଧ୍ୟାନ ହୋଇଗଲା ବାଦଲ ଯେ ଏଯାଏଁ ତାଙ୍କର ମିଳିପାରୁନି ଖୋଜ ଖବର । ସେପଟେ ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ଭୁବନେଶ୍ୱରରେ ପୁଷ୍ପଲତାଙ୍କୁ ଡାକ୍ତର ଦେଖାଇଥିଲେ ତାଙ୍କର ମାଆ । ଚିକିତ୍ସା କରିବା ପରେ ଡାକ୍ତର ଜାଣିବାକୁ ପାଇଛନ୍ତି କି ତାଙ୍କ ପେଟରେ ମାଂସ ପିଣ୍ଡୁଳା ବଢୁଥିବାରୁ ଅପରେସନ୍‌ର ଆବଶ୍ୟକତା ରହିଛି । ହେଲେ ଟଙ୍କାର ଅଭାବ ଥିବାରୁ ଏବେ ଅପରେସନ୍‌ ହୋଇପାରୁନି କି ପୁଷ୍ପଲତାଙ୍କ ଚିକିତ୍ସା ବି ହୋଇପାରୁନି ।

ଝିଅର କଷ୍ଟ ମାଆ ସାରଳା ଦେଖିପାରୁନାହାନ୍ତି କି କିଛି କରି ବି ପାରୁନାହାନ୍ତି । ବାସ୍‌ ଯେମିତି ଭଗବାନଙ୍କ ଉପରେ ସବୁକିଛି ଛାଡି ଦେଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି, ଏତେ ଦୂରାଅବସ୍ଥାରେ ରହୁଥିବା ପରେ ବି ତାଙ୍କୁ ମିଳିପାରୁନି ସରକାରୀ ସହାୟତା । ସାହାଯ୍ୟ କହିଲେ ମାସକୁ ମିଳୁଛି ମାତ୍ର, ୫ କିଲୋ ଚାଉଳ ସହ ୫୦୦ ଟଙ୍କା ଭତ୍ତା । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଏପଟେ ଝିଅକୁ ଭଲ କରିଦେବାକୁ ସମସ୍ତଙ୍କୁ ସାହାଯ୍ୟ ଲୋଡିଛନ୍ତି ମାଆ ସାରଳା । ତେବେ ପୁଷ୍ପଲତାଙ୍କ ଦୁଃଖ ନେଇ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ସେ ପ୍ରତିଶ୍ରୁତି ଦେଇଛନ୍ତି ସବୁ ପ୍ରକାର ସରକାରୀ ସହାୟତା ତାଙ୍କୁ ଯୋଗାଇ ଦିଆଯିବ ।

 

  • Reported by:
  • Sanjeeb Sahoo