• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆମେ ସମସ୍ତେ ଜାଣନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଜୟ ଯବାନ ଜୟ କିଷାନ ନାରା ଦେଇଥିଲେ । ଯାହା ଆଜି ବି ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ହୁଏ । ଆଉ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ସେନାରୁ ଅବସର ନେଇଥିବା ଗୋବର୍ଦ୍ଧନ ସାହୁ । ସାଧାରଣତଃ ସରକାରୀ ଚାକିରି ସରିବା ପରେ ଅନେକ ବିଶ୍ରାମ ନିଅନ୍ତି ନହେଲେ କେହି କେହି ଛୋଟମୋଟ କାମ କରନ୍ତି । ହେଲେ ଗୋବର୍ଦ୍ଧନ ଶାସ୍ତ୍ରୀଙ୍କ ନାରାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି ।

ଚାକିରିରୁ ଅବସର ନେବା ପରେ ଗୋବର୍ଦ୍ଧନଙ୍କ ବଗିଚାରେ ଏବେ ଭଳିକି ଭଳି ଗଛ ସହ ପେନ୍ଥା ପେନ୍ଥା ବରକୋଳି, ସପୁରି, କଦଳୀ, କାଜୁ, ଓ ଆମ୍ବ ଅନେକ ଫଳମୁଳ ଭରି ରହିଛି । ଚାଷରୁ ଅମଳ ହେବା ପରେ ଏସବୁକୁ ନିଜର ପାୱାର ଟିଲର ଟ୍ରାକ୍ଟରରେ ଲଦି ଗାଁ ହାଟକୁ ନେଇ ବିକ୍ରି କରୁଛନ୍ତି । ସେଇଥି ପାଇଁ ତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସାହେବୀ ପଚାଂୟତ ରେଂଗାଲି ପଂଚୁ ଗାଁର ଗୋବର୍ଦ୍ଧନ ସାହୁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ।

ସୈନିକ ଜୀବନରୁ ଅବସର ନେବା ପରେ ପରିବାର ଲୋକଙ୍କ ସହ ମିଶି ଜୈବିକ ସାର ଦେଇ ବିଭିନ୍ନ ପ୍ରକାର ଫଳମୂଳ ,ପନିପରିବା , କୁକୁଡା,ମାଛ, ଆଦି ଚାଷ କରି ଜଣେ ସଫଳ ଚାଷୀର ପରିଚୟ ସୃଷ୍ଟି କରିପାରିଛନ୍ତି । ଖାଲି ଚାଷ କରୁଛନ୍ତି ତାହା ନୁହେଁ ବରଂ ବଳକା ସମୟରେ ସ୍ଥାନୀୟ ଅଂଚଳର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ସାମିଲ ହୁଅନ୍ତି । ଏତିକିରେ ଚୁପ୍‌ ବସିନାହାନ୍ତି ଗୋବର୍ଦ୍ଧନ ବରଂ କେମିତି ଯୁବକମାନେ ଫିଟ୍‌ ହେବେ ସେନେଇ ମାଗଣାରେ ତାଙ୍କୁ ଦେଉଛନ୍ତି ତାଲିମ୍‌ ।

୧୯୮୬ ମସିହାରେ ସିଆରଫିଏଫ ଯବାନ ଭାବରେ ନିଯୁକ୍ତି ପାଇଥିଲେ । ପରେ ୧୯୯୧ ମସିହାରେ ପଜାଂବ ପୋଲିସର ସ୍ୱତନ୍ତ୍ର ଟାକ୍ସଫୋର୍ସର ଡାକରାରେ ଏକ ମିଶନ ଆରମ୍ଭ ହୋଇଥିଲା । ମିଶନରେ ସାମିଲ ହୋଇ ୪ ଆତଙ୍କବାଦୀଙ୍କୁ ନିପାତ କରିବାରୁ ରାଷ୍ଟ୍ରପତି ତାଙ୍କୁ ସୌରଚକ୍ର ସମ୍ମାନରେ ସମ୍ମାନିତ କରିଥିଲେ । ତେବେ ୨୦୦୭ ମସିହାରେ ଅବସର ନେବା ପରେ ଏବେ ଗାଁରେ ଏମିତି ଚାଷ କରୁଛନ୍ତି ଗୋବର୍ଦ୍ଧନ ।

  • Reported by:
  • RAMAKANTA MAHANANDA