Advertisment

‘ମୁଁ ଏଇଠି ନରେନ୍ଦ୍ର ପୁଷ୍କରିଣୀ କୂଳରେ ଅଧିଆ ପଡ଼ିଛି, ଜଗା ମୋ ଡାକ ନିଶ୍ଚୟ ଶୁଣିବ’

କିଡନୀ ରୋଗରେ ପଡିବା ପରେ ବେଙ୍ଗାଲୁରୁର ଡାକ୍ତର ଫେରାଇଦେବା ପରେ ନିରାଶ ହୋଇ ଏବେ ଜଗା ଭରସାରେ ପଡିଛନ୍ତି ହିମାଂଶୁ। ନଖାଇ ନପିଇ ପ୍ରଥମେ ମାଉସୀ ମାଆ ମନ୍ଦିର ପାଖରେ ଅଧିଆ ପଡିଥିଲେ ଭଦ୍ରକ ଜିଲ୍ଲା ବନ୍ତର ହିମାଂଶୁ ସାହୁ। ହେଲେ ମାଉସୀ ମାଆ ମନ୍ଦିର ସାମ୍ନାରୁ ପୋଲିସ ତଡି ଦେଲା। କୁଆଡେ ଯିବେ? କେମିତି ଯିବେ? କିଛି ଚିନ୍ତା ନକରି ନରେନ୍ଦ୍ର ପୁଷ୍କରଣୀ ପାଖରେ ଏବେ ଠାକୁରଙ୍କ ନାଁ ନେଇ ରହୁଛନ୍ତି ହିମାଂଶୁ।

author-image
Sarbeswar
ଅଦ୍ୟତନ ହୋଇଛି
Jagannath Bharasa

Jagannath Bharasa

ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ପଡି ରହିଥିଲେ...ଏବେ ଗାଡିରେ ତାଙ୍କୁ ଉଦ୍ଧାର କରାଯାଇଛି। ଏମିତି କିଛି ଦୃଶ୍ୟକୁ ନେଇ ଶ୍ରୀକ୍ଷେତ୍ରରେ ଭାରି ଚର୍ଚ୍ଚା। ଯୁବକ ଜଣକ କିଏ? କାହିଁକି ରାସ୍ତା କଡରେ ପଡିଛନ୍ତି? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରୁଥିବ ନିଶ୍ଚୟ । ଜଗା ଦୁଆରେ ପଡିଥିବା ଯୁବକଙ୍କ ଦୁଃଖ ଜାଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ।

Advertisment

ବୟସ 42 ହେବ । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର। ଲିଭର ଓ କିଡନୀ ରୋଗରେ ପୀଡିତ ହୋଇ ଏବେ ଶଯ୍ୟାଶାୟୀ । ସବୁଆଡୁ ନିରାଶ ହେବା ପରେ ବେଙ୍ଗାଲୁରରୁ ଆସି ଏବେ ଜଗା ଦୁଆରେ ପଡିଛନ୍ତି ଅଧିଆ। ଦୁନିଆ ଚଳାଉଥିବା ଭଗବାନ ଦୁଆରେ ପଡିଥିବାରୁ ସେ ନିଶ୍ଚୟ ଭଲ ହୋଇଯିବେ ବୋଲି କହିଛନ୍ତି ପୁରୀ ନରେନ୍ଦ୍ର ପୁଷ୍କରଣୀ ପାଖରେ ଅଧିଆ ପଡିଥିବ ଯୁବକ ହିମାଂଶୁ।

କିଡନୀ ରୋଗରେ ପଡିବା ପରେ ବେଙ୍ଗାଲୁରୁର ଡାକ୍ତର ଫେରାଇଦେବା ପରେ ନିରାଶ ହୋଇ ଏବେ ଜଗା ଭରସାରେ ପଡିଛନ୍ତି ହିମାଂଶୁ। ନଖାଇ ନପିଇ ପ୍ରଥମେ ମାଉସୀ ମାଆ ମନ୍ଦିର ପାଖରେ ଅଧିଆ ପଡିଥିଲେ ଭଦ୍ରକ ଜିଲ୍ଲା ବନ୍ତର ହିମାଂଶୁ ସାହୁ। ହେଲେ ମାଉସୀ ମାଆ ମନ୍ଦିର ସାମ୍ନାରୁ ପୋଲିସ ତଡି ଦେଲା। କୁଆଡେ ଯିବେ? କେମିତି ଯିବେ? କିଛି ଚିନ୍ତା ନକରି ନରେନ୍ଦ୍ର ପୁଷ୍କରଣୀ ପାଖରେ ଏବେ ଠାକୁରଙ୍କ ନାଁ ନେଇ ରହୁଛନ୍ତି ହିମାଂଶୁ।

Advertisment

ହିମାଂଶୁଙ୍କ ଏମିତି ଦୟନୀୟ ଅବସ୍ଥା ଦେଖି କିଛି ସମାଜସେବୀ ତାଙ୍କୁ ଖାଇବାକୁ ଦେବା ସହିତ ପାଲ ଦେଇଥିଲେ। ହେଲେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଥିଲା ଯେ ସେ ଉଠିପାରୁନଥିଲେ। ସେଇଠି ଝାଡା ଆଉ ସେଇଠି କରୁଥିଲେ ପରିସ୍ରା। ଏମିତି ସ୍ଥିତି ନେଇ ଓଟିଭି ଟିମ୍‌ ପାଖରେ ପହଞ୍ଚିଲା ଖବର। ଆଉ ଖବର ପହଞ୍ଚିବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିବା ପରେ କାନ୍ଦକାନ୍ଦ ହୋଇ ପୂରା ଦୁଃଖ କାହାଣୀ କହିଥିଲେ ହିମାଂଶୁ।

ତାଙ୍କ କହିବା ଅନୁସାରେ, ଦିନେ ମିସ୍ତ୍ରୀ ଭାବରେ ସେ କାମ କରୁଥିଲେ। ଅଳ୍ପ ରୋଜଗାରରେ ଭଲରେ ଚଳୁଥିଲା ପରିବାର। ହେଲେ କିଡନୀ-ଲିଭର ରୋଗର ହେବା ଜୀବନରେ ଭରିଯାଇଥିଲା ଦୁଃଖ। ନିଜ ପାଖରେ ଥିବା ଟଙ୍କା ଚିକିତ୍ସାରେ ସରିବାରୁ ଘରକୁ ଯାଇଥିଲେ। କିନ୍ତୁ ଭାଇ-ଭାଉଜ ଟଙ୍କା ତ ଦେଲେ ନାହିଁ ବରଂ ବାପା-ମାଆ ଛେଉଣ୍ଡ ହିମାଂଶୁଙ୍କ ଦୁଃଖ ଶୁଣିଲେନି।

ଚିକିତ୍ସା ନହେବା କାରଣରୁ ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବି ବଢିବାରେ ଲାଗିଲା। ତେଣୁ ଉପାୟଶୂନ୍ୟ ହୋଇ ଏବେ ଜଗା ଦୁଆରେ ଆଶ୍ରା ନେଇଛନ୍ତି ହିମାଂଶୁ। ତେବେ ହିମାଂଶୁଙ୍କ ଦୁଃଖ ବିଷୟରେ ଜାଣିବା ପରେ ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ ମହାରଣା ନିଜ ଟିମ୍ ସହ ଆସି ହିମାଂଶୁଙ୍କୁ ଚନ୍ଦନପୁରୁ ନୀଳାଦ୍ରି ନିଳୟକୁ ନେଇଛନ୍ତି। ଏଠାରେ ତାଙ୍କର ଯତ୍ନ ସହ ଚିକିତ୍ସା କରାଯିବ ବୋଲି କହିଛନ୍ତି ସୁଭ୍ରାଶୁଂ। ଉଦ୍ଧାର ହେବା ପରେ ଓଟିଭି ଟିମ୍‌ ଓ ସାମାଜିକକର୍ମୀଙ୍କୁ ଜଣାଇଛନ୍ତି ଧନ୍ୟବାଦ।

ସରକାର ଡିଡିମ୍ବ ପିଟୁଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲକ୍ଷଲକ୍ଷ ଲୋକ ଉପକୃତ ହେବେ। ଏସସିବି ମେଡିକାଲ ଏମ୍ସ ପ୍ଲସ୍‌ ହେବ। ହେଲେ ରୋଗୀ ଯେ ରାସ୍ତା କଡରେ ଛଟପଟ ହେଉଛି ସେନେଇ ସରକାର କି ପ୍ରଶାସନ ପାଖରେ ଖବର ନାହିଁ। ଏବେ କେବଳ ଅପେକ୍ଷା କେବେ ସଂପୂର୍ଣ୍ଣ ସୁସ୍ଥ ହେଉଛନ୍ତି ହିମାଂଶୁ।

ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ

Advertisment
Advertisment