ଚେହେରା ମଳିନ ପଡ଼ିଗଲାଣି । ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସର ଅପରାହ୍ଣରେ ସିନା ସେ ପହଞ୍ଚିଛନ୍ତି, ହେଲେ ଆଜି ବି ତାଙ୍କ ହୃଦୟ ସେମିତି ନିର୍ମଳ । ଖାଲି ମଣିଷ ନୁହଁନ୍ତି, ତାଙ୍କୁ ଜଣେ ମହାନ ମଣିଷ କହିଲେ ହୁଏ ତ ଭୁଲ ହେବ ନାହିଁ । କାରଣ ଗାଁର ପିଲାମାନଙ୍କ ପାଇଁ ସେ ଦାନ କରିଛନ୍ତି ନିଜର ୫ ଏକର ପୈତୃକ ସମ୍ପତ୍ତି । ଆଉ ସେଇଥିରେ ଏ ପିଲାମାନେ କ୍ରିକେଟ୍ ପ୍ରାକ୍ଟିସ୍ କରୁଛନ୍ତି । ସାବିତ୍ରୀ ମାଉସୀ କୁହନ୍ତି, ଗାଁର ପିଲା ଖେଳରେ ସୁନାମ ଅର୍ଜନ କଲେ ଗାଁ, ବ୍ଲକ, ଜିଲ୍ଲା ତଥା ରାଜ୍ୟର ସୁନାମ ହେବ । ତେଣୁ ସେ ଖେଳ ପଡ଼ିଆ ପାଇଁ ସିନାପାଲି ବିଡିଓଙ୍କ ଜରିଆରେ ଓଡ଼ିଶା ସରକାରଙ୍କୁ ଜମି ଦାନ କରିଛନ୍ତି l
Also Read
ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଛତିଶଗଡ ସୀମାନ୍ତରେ ଅଛି ସିଙ୍ଗଝର ଗାଁ । ଏଠାରେ ପ୍ରାୟ ୪୦ ବର୍ଷ ହେବ ଫୁଟବଲ, କ୍ରିକେଟ, ଭଲି ଓ ଖୋଖୋ ଭଳି ଅନେକ ଖେଳ ଖେଳାଯାଏ l କିନ୍ତୁ ଆବଶ୍ୟକ ଖେଳ ପଡିଆ ଗାଁରେ ନ ଥିବାରୁ ଅନ୍ୟ ଲୋକମାନଙ୍କ ଜମିରେ ପିଲାମାନେ ଖେଳିଥା’ନ୍ତି । ତେଣୁ ଗାଁର ୯୫ ବର୍ଷ ବୟସ୍କା ବୃଦ୍ଧା ସାବିତ୍ରୀ ମାଝୀ ପିଲାଙ୍କ ଖେଳର ବିକାଶ ପାଇଁ ଦାନ କରିଛନ୍ତି ଏହି ଜାଗା l ସାବିତ୍ରୀଙ୍କ ଏହି ମହାନ କାର୍ଯ୍ୟ ପରେ ତାଙ୍କୁ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି । ଆଉ ପିଲାମାନେ ଖୁସି ହୋଇ ବୃଦ୍ଧାଙ୍କ ଆଶା ପୂରଣ କରିବାକୁ ଶପଥ ନେଇଛନ୍ତି l
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସାବିତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି l ଆଜିର ଦିନରେ ରକ୍ତ ସମ୍ପର୍କ ଭିତରେ ଇଞ୍ଚେ ଜମିକୁ ନେଇ ତିକ୍ତତା ଲାଗି ରହୁଥିବାବେଳେ ସାବିତ୍ରୀ ମାଉସୀଙ୍କ ଏହି ମହାନତା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।