Success Story: ଥିଲେ ଇଞ୍ଜିନିୟର, ନୂଆ ପରିଚୟ ଦେଲା ସେଓ ଚାଷ

ଇଞ୍ଜିନିୟରଙ୍କୁ ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟର ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥା ପେନ୍ଥା ସେଓ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେବା ପରେ ଏବେ ଟାଙ୍ଗରା ଭୂଇଁରେ ସେଓ ଫଳାଇ ହେଉଛନ୍ତି ମାଲାମାଲ । ଅନ୍ୟକୁ ରୋଜଗାର ବି ଦେଉଛନ୍ତି ।

ସେଓ ଚାଷ

ଇଞ୍ଜିନିୟରରୁ ସଫଳ ଚାଷୀ । ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟର ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥା ପେନ୍ଥା ସେଓ । ଏମିତି ଜଣେ ସଫଳ ଚାଷୀ ପାଲଟିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ବିରଞ୍ଚି ଲାକ୍ରା । ସେ ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେଇଛନ୍ତି । ଚାକିରି ସମୟରୁ ଭାବିଥିଲେ ଜଣେ ସଫଳ ଚାଷୀ ହେବା ପାଇଁ । କିନ୍ତୁ ସମୟ ଅଭାବ ସହିତ ବ୍ୟସ୍ତବହୁଳ ଜୀବନ ଭିତରେ ଚାଷ କରି ପାରୁନଥିଲେ । ଅବସର ପରେ ତାଙ୍କ ଝିଅ ସେଓ ଚାଷ ପାଇଁ ପ୍ରେରଣା ଦେଇଥିଲେ । ପରେ ୟୁଟ୍ୟୁବ୍‌ ଓ ଖବରକାଗଜରୁ ସମସ୍ତ ସୂଚନା ପାଇ ଏବେ ସେଓ ଚାଷ କରୁଛନ୍ତି ବିରଞ୍ଚି ଲାକ୍ରା ।

ଅଧିକ ପଢ଼ନ୍ତୁ: ବାରିକ୍‌ ସାର୍‌ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଚୁକପଡ଼ା ପଞ୍ଚାୟତର ବୁଚୁକୁପଡ଼ା ଗାଁରେ ବିରଞ୍ଚିଙ୍କ ଘର । ସେ ପ୍ରଥମେ ପରୀକ୍ଷାମୂଳକ ଭାବେ ୧୦୦ଟି ଚାରା ମଗାଇ ଗଛ ଲଗାଇଥିଲେ । ପରେ ସଫଳ ହେବା ପରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ନିଜର ୨ ଏକର ଜାଗାରେ ୫୦୦ ସେଓ ଗଛ ଲଗାଇଛନ୍ତି । ଏବେ ଟାଙ୍ଗରା ଭୂଇଁରେ ଫଳିଛି ପେନ୍ଥା ପେନ୍ଥା ସେଓ । 

ଖାଲି ସେତିକି ନୁହେଁ ବିରଞ୍ଚି ସେଓ ଚାଷ ପାଇଁ ଶ୍ରମିକମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ତାଙ୍କ ଚାଷରୁ ୪ଟି ପରିବାରର କୁଟୁମ୍ବ ଚଳୁଛି । ଆଉ ଏହି ସେଓ ଚାଷ ପାଇଁ ବିରଞ୍ଚିଙ୍କୁ ତାଙ୍କ ପରିବାର ମଧ୍ୟ ସହଯୋଗ କରୁଛନ୍ତି ।

ଆଜିର ସମୟରେ ଯେଉଁଠି ଯୁବଗୋଷ୍ଠୀ କେବଳ ଚାକିରି ପଛରେ ଗୋଡାଉଛନ୍ତି ଏବଂ ଚାକିରି ନମିଳିଲେ ବେକାରୀ ସାଜୁଛନ୍ତି, ସେହି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବିରଞ୍ଚି । ଚାକିରି ପଛରେ ନ ଗୋଡ଼ାଇ ତାଙ୍କ ଭଳି ନିଆରା ଚାଷ କରି ଭଲ ରୋଜଗାର କରିହେବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ, ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି କଲେ ପ୍ରାଣ ପ୍ରତିଷ୍ଠା