• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିନ ହେଉ କି ରାତି...ଶ୍ମଶାନରେ ସିଏ ସବୁବେଳେ ରୁହନ୍ତି । ଶବ ଦାହ ଗୃହରେ ଶୁଅନ୍ତି । ସେଇଠି ପୁଣି ବିଭିନ୍ନ ଫୁଲ ଗଛ ବି ଲଗାନ୍ତି । ପରିଷ୍କାର ଓ ପରିଛନ୍ନତା ବି ରଖନ୍ତି । ଆଉ ଶବଦାହ ଗୃହ ମଝିରେ ଥିବା ଦାହ ଚୁଲା ପାଖରେ ମୁଣ୍ଡ ରଖି ଶୁଅନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ କହିପାରନ୍ତି ତାଙ୍କର ନିଶ୍ଚୟ ମାନସିକ ବିକୃତି ହୋଇଥିବ । ତେଣୁ ଶ୍ମଶାନରେ ଶୁଆ-ବସା କରୁଛନ୍ତି । ହେଲେ ମାନସିକ ଅବସ୍ଥା ନୁହେଁ ବରଂ ସାଙ୍ଗ ପାଇଁ ଜଣେ ସାଙ୍ଗ ରହୁଛି ଶ୍ମଶାନରେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବି ଚାଲିଛି ଚର୍ଚ୍ଚା ।

କେହି କେହି ତାଙ୍କୁ ଅଜବ ମଣିଷ କୁହନ୍ତି । ଭୂତପ୍ରେତ କାହାକୁ ତାଙ୍କର ଖାତିର ନାହିଁ । ମନରେ କେବଳ ଗୋଟିଏ ଇଚ୍ଛା...ପ୍ରାଣ ହରାଇଥିବା ସାଙ୍ଗର ପ୍ରେତ ଆତ୍ମାକୁ ଦେଖିବେ, ତା’ ସହ ଟିକିଏ କଥା ହେବେ । ସେଇଥି ପାଇଁ ତ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୩୧ ବର୍ଷ ହେଲାଣି ଶ୍ମଶାନରେ କାଟୁଛନ୍ତି ଦିନ । କେବଳ ସାଙ୍ଗ ପାଇଁ ସଂସାର ଛାଡି ଶ୍ମଶାନକୁ କରିନେଇଛନ୍ତି ନିଜର ଘର । ଆପଣ ଭାବୁଥିବେ ବନ୍ଧୁତ୍ୱରେ କଣ ଏତେ ବଳଥାଏ ? କିଛି ଏମିତି ପ୍ରଶ୍ନ ମନରେ ଆସୁଥିବ, ହେଲେ କଟକ ସାଲେପୁରର ସାଇଗଡାରୁ ଆସିଥିବା ଖବର ଆପଣଙ୍କ ପ୍ରଶ୍ନର ଉତ୍ତର ।

ପଦ୍ମନାଭ ସାହୁ । ସଂସାର ଅଛି, ଘରେ ପିଲା, ଛୁଆ ସ୍ତ୍ରୀ ସମସ୍ତେ ଅଛନ୍ତି । କିନ୍ତୁ ଆଜକୁ ୩୧ ବର୍ଷ ତଳେ ପଦ୍ମନାଭଙ୍କ ସାଙ୍ଗ ପ୍ରତାପ କୁମାର ସିଂଙ୍କ ପ୍ରାଣ ଯାଇଥିଲା । ଗାଁ ପାଖ ଶ୍ମଶାନରେ ତାଙ୍କର ଦାହ ବି କରାଯାଇଥିଲା । ବାସ୍‌ ସେହି ଦିନଠାରୁ ପଦ୍ମନାଭ ସେଠାରେ ଘର କରି ରହିଛନ୍ତି । ତାଙ୍କର ପ୍ରେତଆତ୍ମା ସହ କଥା ହେବାକୁ ଅପେକ୍ଷା କରିଛନ୍ତି ।

ଦିନ ପରେ ଦିନ ଗଡୁଛି, ଏହାରି ଭିତରେ ଶହଶହ ଶବ ପୋଡା ହେଲେଣି । କିନ୍ତୁ କେବେ ବି ଭୟଭୀୟ ହୋଇନାହାନ୍ତି ପଦ୍ମନାଭ । କେବେ କାହାର ଛାଇ ବି ସେ ଦେଖିନଥିବା କୁହନ୍ତି । ହେଲେ ସାଙ୍ଗର ମୃତ୍ୟୁ ପରେ ବି ତା’ର ପ୍ରେତ ଆତ୍ମାକୁ ଦେଖିବା ପାଇଁ ୩୧ ବର୍ଷ ହେଲାଣି ଶ୍ମଶାନରେ ବସି ଅପେକ୍ଷା କରିବା କିଛି ସହଜ କଥା ନୁହେଁ । ଆପଣ ଅନେକ ବନ୍ଧୁତା ଦେଖିଥିବେ...ହେଲେ ଏମିତି ପାଗଳପ୍ରାୟ ବନ୍ଧୁ କେବେ ଦେଖିନଥିବେ....ସତରେ ଏ ବନ୍ଧୁତା ଯୁଗ ଯୁଗର ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)