ହ୍ୱିଲ ଚେୟାରରେ ଘରୁ ଧରି ଧରି ଆଣି ବସାଉଛନ୍ତି, ବୃଦ୍ଧ ଜଣକ ବସିବା ପରେ ତାଙ୍କୁ ଗାଁ ଭିତରକୁ ବୁଲାଇବାକୁ ଆଉ ଜଣେ ବୃଦ୍ଧା ନେଉଛନ୍ତି । ଆଉ ଏମାନେ ଯେତେବେଳେ ସାଙ୍ଗ ହୋଇ ଯାଉଛନ୍ତି ସେତେବେଳେ ଦୁହେଁ ପରସ୍ପର ସହ ବେଶ୍ କିଛି କଥା ବି ହେଉଛନ୍ତି । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ହ୍ୱିଲ ଚେୟାରରେ ବସିଥିବା ବୃଦ୍ଧଙ୍କର ସିଏ ନିଶ୍ଚୟ ପୁଅ କି ପୁତୁରାହୋଇଥିବେ ନହେଲେ ସମ୍ପର୍କୀୟ ହୋଇଥିବ । ନା ଦର୍ଶକବନ୍ଧୁ ସେମାନେ ପରସ୍ପର ପରିବାରର ସଦସ୍ୟ ନୁହନ୍ତି କି ସମ୍ପର୍କୀୟ ବି ନୁହନ୍ତି ବରଂ ଏମାନେ ପିଲାଟି ଦିନରୁ ସାଙ୍ଗ ।
ସୁବର୍ଣ୍ଣପୁର ଖୁର୍ଡିଆବାହାଲ ଗାଁର ଦୁଇ ବନ୍ଧୁ ଶମ୍ଭୁ ପ୍ରସାଦ ସାହୁ ଓ ଟେଙ୍ଗନା ବାଗ । ଆଜି ନୁହେଁ ପିଲାଦିନରୁ ଏମାନେ ଭାରି ସାଙ୍ଗ । ଯୁଆଡେ ଯିବେ ଏକାଠି, ଯାହା ଖାଇବେ ଏକାଠି । ବୟସର ଅପରାହ୍ନରେ ପହଞ୍ଚିଲେ କିନ୍ତୁ ଦୋସ୍ତିରେ ଟିକିଏ ବି କମ୍ ହୋଇନି । ବରଂ ପିଲାବେଳେ ଯେମିତି ମିଶୁଥିଲେ ଆଜି ବି ସେମିତି ମିଶୁଛନ୍ତି । ଦୁହିଁଙ୍କ ମଧ୍ୟରେ କ୍ଷୀରନୀରର ସମ୍ପର୍କ ।
ଅଧିକ ପଢ଼ନ୍ତୁ: ଅମୂଲ୍ୟ ଏ ବନ୍ଧୁତା ସତେ, ଜେସିକାକୁ ନିତିଦିନ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି
ଶମ୍ଭୁ ଓ ଟେଙ୍ଗନା ପେଶାରେ ଦୁହେଁ ଚଷାଘରର ପୁଅ । ଯବାନ ଥିଲା ବେଳେ ବିଲବାଡିରେ ଚାଷ କରି ପରିବାର ପୋଷୁଥିଲେ । ହେଲେ ଭାଗ୍ୟର ବିଡମ୍ବନା ୬ ବର୍ଷ ହେଲା ଶମ୍ଭୁ ପାରାଲିସିସ୍ ରୋଗରେ ପଡିଛନ୍ତି । ରୋଗରେ ପଡିବା ପରେ ଶମ୍ଭୁ ଓ ଟେଙ୍ଗନାଙ୍କ ମଧ୍ୟରେ ଦୂରତା ବଢିନି ବରଂ କମିଛି । ପୂର୍ବରୁ ଯେଉଁଠିକୁ ଯିବାକୁ ହେଲେ ପୂର୍ବରୁ କଥାବାର୍ତ୍ତା ହୋଇ ସେଇଠାରେ ଉଭୟ ପହଞ୍ଚୁଥିଲେ। କିନ୍ତୁ ଏବେ ଶମ୍ଭୁଙ୍କୁ ନେବାକୁ ଘରକୁ ଆସୁଛନ୍ତି ଟେଙ୍ଗନା । ଯେଉଁଥିରେ ଉଭୟ ଉଭୟଙ୍କ ସହ ବେଶି ସମୟ ବିତାଇପାରୁଥିବା କହିଛନ୍ତି ।
Also Read
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟଙ୍କ ବୟସ ୭୦ ଉପରେ ହେଲାଣି । କିନ୍ତୁ କେହି ହାର ମାନିନାହାନ୍ତି । ଏବେ ବି ସାଙ୍ଗ ହୋଇ ବସାଉଠା କରିବା ସହିତ ଖିଆପିଆ ସହ ସବୁ କାମ ମିଳିମିଶି କରୁଛନ୍ତି । ଯେମିତି ଶପଥ ନେଇଛନ୍ତି ସାଙ୍ଗ ହୋଇ ବଞ୍ଚିବେ...ଆଉ ଜୀବ ଥିବା ଯାଏଁ ଏମିତି ଚଳୁଥିବେ... ତେବେ ଏମାନଙ୍କ ବନ୍ଧୁତ୍ୱକୁ ନେଇ ପୂରା ଅଂଚଳରେ ଚର୍ଚ୍ଚା ହେଉଥିବା ଖୋଦ୍ ଜିଲ୍ଲାପାଳ ମଧ୍ୟ ବନ୍ଧୁତାକୁ ନେଇ କରିଛନ୍ତି ପ୍ରଶଂସା...।
(ରିପୋର୍ଟ- ଦିଲ୍ଲୀପ କୁମାର ସାହୁ, ବିନିକା)