ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Father-Daughter

ଯେମିତି ବାପା, ସେମିତି ଝିଅ । ପ୍ରତିଭାରେ କେହି କାହାରିଠୁ ଟିକେ ବି ଉଣା ନୁହନ୍ତି । କୋରାପୁଟ ଜୟପୁରର ସହରରେ ଏହି ବାପ-ଝିଅଙ୍କୁ ନେଇ ଖେଳ ଜଗତରେ ଢେର ଚର୍ଚ୍ଚା । କାରଣ ଶକ୍ତି ଉତ୍ତୋଳନରେ ଉଭୟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ଜୟପୁର ସହରର ସୌରା ସାହି ବାସିନ୍ଦା ବିଶ୍ୱନାଥ ନାୟକ ନିକଟରେ ଭୁବନେଶ୍ୱରରେ ଆୟୋଜିତ ରେଲୱେର ଓଡ଼ିଶା ଷ୍ଟେଟ୍ ଚାମ୍ପିଅନସିପ୍‌ର ୭୭ କିଲୋ ମାଷ୍ଟର୍ସ ବର୍ଗରେ ବିଶ୍ୱନାଥ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଆଉ ତାଠୁ ଅଧିକ ଖୁସିର କଥା ହେଉଛି ତାଙ୍କ ୧୪ ବର୍ଷର ଝିଅ ବୈଭବୀ ନାୟକ ବି ତାଙ୍କ ଭଳି, ସେଇ ସମାନ ଇଭେଣ୍ଟରେ ଜିଣିଛନ୍ତି ସ୍ୱର୍ଣ୍ଣ । ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୧୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୫୫ କିଲୋ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବୈଭବୀ ।

ବିଶ୍ୱନାଥ ପେଷାରେ ଜଣେ ଆଇନଜୀବୀ । ହେଲେ ବି ନିଶା ତାଙ୍କର ଆଥଲେଟିଂ ଓ ବଡି ବିଲ୍ଡିଂ । ଦୀର୍ଘ ବର୍ଷ ଧରି ସହରର ଜଣେ ଆଗଧାଡ଼ିର ଶକ୍ତି ଉତ୍ତୋଳକ ଭାବେ ତାଙ୍କର ପରିଚୟ ରହିଛି । ପୂର୍ବରୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ପ୍ରତିଯୋଗିତାରେ ସେ ବହୁ ପଦକ ଜିଣିଛନ୍ତି । ତେବେ ତାଙ୍କ ନିଜ ସଫଳତା ଅପେକ୍ଷା ଏବେ ତାଙ୍କ ପାଇଁ ଅଧିକ ଗର୍ବ ଆଣିଛନ୍ତି ତାଙ୍କ ଝିଅ । ବାପାଙ୍କ ପଦାଙ୍କ ଅନୁସରଣ କରି ପଦାର୍ପଣ ପ୍ରତିଯୋଗିତାରେ ବୈଭବୀ ସ୍ୱର୍ଣ୍ଣ ଜିତିଥିବାରୁ ଆଗକୁ ତାଙ୍କ ଉଜ୍ୱଳ ଭବିଷ୍ୟତ ଦେଖୁଥିବା କହିଛନ୍ତି ବିଶ୍ୱନାଥ । ସେପଟେ ଏମାନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ଜୟପୁର ବାସିନ୍ଦା ।

ପିଢ଼ି ପରେ ପିଢ଼ି କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ବିଶ୍ୱନାଥଙ୍କ ପରିବାର । ତାଙ୍କ ବାପା ମଧ୍ୟ ଜଣେ କୁସ୍ତି ଯୋଦ୍ଧା ଥିଲେ । ବିଶ୍ୱନାଥଙ୍କ ଆଗାମୀ ଲକ୍ଷ୍ୟ, ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ସଫଳତା ଆଣିବା ।