• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦାଣ୍ଡ ଦୁଆରେ କାନ୍ଦ ବୋବାଳି ପଡ଼ିଛି...ଭୂଇଁରେ ମୁଣ୍ଡ ବାଡ଼େଇ ସ୍ତ୍ରୀ କାନ୍ଦୁଛି । ତୁନି କରିବାକୁ ପରିବାର ସହ ସମ୍ପର୍କୀୟ ଯେତେ ଚେଷ୍ଟା କଲେ ବି ସେ ତୁନି ହେଉନି । ଭଗବାନ ତାକୁ ଯେଉଁ ଦୁଃଖ ଦେଇଛନ୍ତି ତା’କୁ ସେ ବରଦାସ୍ତ କରିବ ବା କେମିତି? ୭ ଜନ୍ମର ସାଥୀ ହେବାକୁ ଯିଏ କଥା ଦେଇଥିଲା ସିଏ ଆଜି ଯେତେବେଳେ ସବୁଦିନ ଲାଗି ତାକୁ ଛାଡ଼ି ଦେଇ ଯାଉଛି ସେତେବେଳେ କାନ୍ଦିବା ଛଡ଼ା ସିଏ କରିବ ବା କଣ?

ଦୁଲୁଦୁଲି ବାଜା ବାଜୁଥିଲା, ଢୋଲ ବି ବାଜୁଥିଲା । ଗାଁର ପ୍ରତି ଘର ସାମ୍ନାରେ ମୁରୁଜ ପଡ଼ିଥିଲା...ପୁଣି କଳସ ବସିଥିଲା । ବିରାଟ ପାଟ ପଟୁଆରରେ ଗାଁ ଭିତରକୁ ସେନାର ଗାଡ଼ି ଆସିଲା । ଏମିତି ଦୃଶ୍ୟ ସବୁ ଦେଖିବା ପରେ ଆପଣ ଭାବିବେ ଦେଶ ସେବା କରିବା ପରେ ବୋଧହୁଏ କୌଣସି ସୈନିକ ଗାଁକୁ ଆସୁଥିବେ । ସେଇଥି ଲାଗି ଏତେ ସବୁ ଆୟୋଜନ ହୋଇଛି ।

ଅଧିକ ପଢ଼ନ୍ତୁ: ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

ଦେଶ ସେବା ଲାଗି ତ ଯାଇଥିଲେ । ଗାଁକୁ ବି ଫେରିଲେ । ହେଲେ ଜୀବନ୍ତ ନୁହେଁ ବରଂ ଶବ ହୋଇ । ଯବାନ ପୁଅ ପ୍ରତାପ ନିଆଲଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ପାଛୋଟି ନେଇଥିଲେ ଲୋକେ । ଆଉ ପୁଅର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ପାଗଳି ହୋଇଯାଉଥିଲା ମାଆ । ବେଲପଡା ବ୍ଲକର ବାଗଉଡାର ଗାଁର ପ୍ରତାପ ନିଆଲ ୨୦୧୩ ମସିହାରେ ସୀମା-ସୁରକ୍ଷା ବଳରେ କନେଷ୍ଟବଲ ଭାବରେ ଭର୍ତ୍ତି ହୋଇଥିଲେ । ବିହାର ପାଟଣା ଅଚଂଳରେ ସେ କାମ କରୁଥୂବା ବେଲେ କିଛିଦିନ ହେବ କ୍ୟାନ୍ସର ରୋଗର ଶିକାର ହୋଇଥିଲେ । ଗତ ୧୦ ତାରିଖରେ ଘରକୁ ଫେରୁଥିବା ବେଳେ ରେଲୱେ ଷ୍ଟେସନରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ । ପରେ ସାଥୀ ଯବାନମାନେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବାସ୍‌ ଯବାନ ପୁଅର ମୃତ ଦେହ ଗାଁକୁ ଆସୁଥୁବା ଖବର ପାଇବା ପରେ ଆଖପାଖ ଅଚଂଳର ଲୋକ ଏକାଠି ହୋଇଥିଲେ । ଦେଶ ସେବା କରୁ କରୁ ପ୍ରାଣ ଯାଇଥିବାରୁ ତାଙ୍କ ସମ୍ନାନ ପାଇଁ କିଛି ଏମିତି ବ୍ୟବସ୍ଥା କରିଥିଲେ ଗାଁ ଲୋକେ । ହେଲେ ଶବ ପହଞ୍ଚିବା ପରେ ପୂରା ଏରିଆରେ ଖେଳିଯାଇଥିଲା ଶୋକର ଛାୟା । ପ୍ରତାପଙ୍କୁ ହରାଇ ପରିବାରଠୁ ସମ୍ପର୍କୀୟ ସମସ୍ତେ କାନ୍ଦି କାନ୍ଦି ନୟାନ୍ତ ହୋଇଥିଲେ । ତେବେ ପ୍ରତାପଙ୍କୁ ରାଷ୍ଟ୍ରୀୟ ସମ୍ନାନ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ହେଲେ ଅଧା ରାସ୍ତାରେ ପ୍ରତାପ ସମସ୍ତଙ୍କୁ ଛାଡ଼ି ଦେଇ ଯାଇଥିବାରୁ ତାଙ୍କୁ ଝୁରୁଛନ୍ତି ପୂରା ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ।

(ପାଟଣାଗଡ଼ରୁ କରୁଣାକର ବୁଡ଼େକଙ୍କ ରିପୋର୍ଟ)