• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦେଶ ମାତୃକାର ସେବା ପାଇଁ ଆଜକୁ ଠିକ୍‌ ୨୭ ବର୍ଷ ତଳେ ସହିଦ ହୋଇଯାଇଥିଲେ ବାପା । ଏହାରି ମଧ୍ୟରେ ୨୭ ବର୍ଷ ବିତିଗଲାଣି ସତ ହେଲେ ପରିବାରକୁ ଆଜିଯାଏଁ ମିଳିପାରିଲାନି ସହାୟତା । ପୁଅକୁ ଦେଢ ବର୍ଷ ହୋଇଥିବା ବେଳେ ବାପା ସହିଦ ହୋଇଗଲେ । ବାପାଙ୍କ ଅବର୍ତ୍ତମାନରେ ପୁଅ ପାଠ ପଢି ବଡ ହେଲା କିନ୍ତୁ ଆଜି ଯ।ଏ ତାଙ୍କୁ ମିଳିପାରିନି ସରକାରୀ ସହାୟତା । ଆଜି ବି ନିଯୁକ୍ତିଟିଏ ପାଇଁ ଘୁରି ବୁଲୁଛନ୍ତି ସତ ହେଲେ ସାହାଯ୍ୟ ପାଇପାରିନାହାନ୍ତି ।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଚୁଟିଆଟୋଲାର ଏ ହେଉଛନ୍ତି ସହିଦ୍ CISF ଯବାନ ଅନିଲ ଟପ୍ପୋ । ତାଙ୍କ ବଳିଦାନ ଆଜି ବି ଚିରସ୍ମରଣୀୟ । ଡ୍ୟୁଟି ପାଇଁ ନିୟୋଜିତ ଥିବା ବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ବର୍ଷଣରେ ୧୯୯୬ ମସିହାରେ ସେ ସହିଦ୍ ହୋଇଯାଇଥିଲେ । ଜାଣିଆଶ୍ଚର୍ଯ୍ୟ ହେବେ କି ଚାକିରି କରିବାର ମାତ୍ର ୭ ବର୍ଷରେ ସେ ସହିଦ ହୋଇଯାଇଥିଲେ । ବୀର ଯବାନଙ୍କୁ ହରାଇ ଭାଙ୍ଗି ପଡିଥିଲେ ସ୍ତ୍ରୀ । କେମିତି ଦେଢ ବର୍ଷର ପୁଅକୁ ମଣିଷ କରିବେ ସେନେଇ ମେହନତ କରିଥିଲେ । କିନ୍ତୁ ଦୁଃଖର କଥା ଏହାରି ଭିତରେ ପୁଅ ପାଠ ପଢି ୨୮ ବର୍ଷର ହେଲାଣି କିନ୍ତୁ ପରିବାର ପ୍ରତି ସରକାରୀ ସ୍ତରରେ କୌଣସି ସହାୟତା ଦିଆଯାଇନି ।

ସ୍ୱାମୀଙ୍କ ଅବର୍ତ୍ତମାନରେ ବେଶ୍‌ ଦୁଃଖରେ ଚଳୁଥିବା ସହିଦଙ୍କ ପତ୍ନୀ ମେରୀପ୍ରଭା କହିଛନ୍ତି, ପ୍ରତି ମୁହୂର୍ତ୍ତରେ ସ୍ୱାମୀଙ୍କ କଥା ମନେ ପଡ଼ୁଛି । ଦେଶ ପାଇଁ ସେ ଜୀବନ ଦେଇଥିବାରୁ ଗର୍ବ ଲାଗୁଛି କିନ୍ତୁ ସ୍ୱାମୀଙ୍କ ସ୍ମୃତି ଆଜି ବି ତାଜା ଅଛି । ତେବେ ଏହାରି ଭିତରେ CISF ପକ୍ଷ୍ୟରୁ " ମେରି ମିଟ୍ଟି ମେରା ଦେଶ" କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ଅନୀଲଙ୍କ ପରିବାରକୁ । ଏହାସହ ୧୯୯୬ରେ ସହିଦ ହୋଇଥିବା ଯବାନ ଅନିଲଙ୍କ ସ୍ମୃତି ଫଳକକୁ ସିଆଇଏସ୍ଏଫ୍ କମାଣ୍ଡାଣ୍ଟ ଅଶୋକ ଜାଲୱାନିଆ ଉନ୍ମୋଚନ କରିଥିଲେ । ହେଲେ ସହିଦ ପରିବାରକୁ ଯେମିତି ଭାବରେ ଅବହେଳା କରାଯାଇଛି ତାହାକୁ ନେଇ ଅସନ୍ତୋଷ ଦେଖାଯିବା ସହିତ ତୁରନ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

 

 

  • Reported by:
  • Rakesh Kumar Sahoo