ଭୁବନ ବାମ, ସନ୍ଦୀପ ମାହେଶ୍ୱରୀ, ଆଶିଷ ଚଞ୍ଚଲାନି, ଦୁଷ୍ୟନ୍ତ କୁକ୍ରେଜା, ସୌରଭ ଯୋଶୀ ଆଦି ନାମ ଭାରତର ୟୁଟ୍ୟୁବ ଜଗତ ପାଇଁ ବେଶ ଜଣାଶୁଣା । ଦେଶର କିଶୋର ଓ ଯୁବ ଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ ସୋସିଆଲ ମିଡିଆକୁ ଦାୟୀ କରାଯାଉଥିବା ବେଳେ ଏମାନଙ୍କ ପରି କିଛି ଲୋକ ନୂତନ ଟେକ୍ନୋଲୋଜିର ସଦୁପୋଯୋଗ କରି ସମାଜକୁ ନୂଆ ବାର୍ତ୍ତା ଦେଉଛନ୍ତି । ୟୁଟ୍ୟୁବ ପରି ପ୍ଲାଟଫର୍ମ ଯେ ଲୋକଙ୍କୁ ରୋଜଗାର ଦେବ ଆଉ ଲୋକେ କୋଟି କୋଟି ଟଙ୍କା ରୋଜଗାର କରିବେ କିଏ ଜାଣିଥିଲା ।
ୟୁଟ୍ୟୁବ୍ ହେଉଛି ଏକ ଆମେରିକୀୟ ଅନଲାଇନ ଭିଡିଓ ଶେୟାରିଂ ପ୍ଲାଟଫର୍ମ, ଯାହାର ମୁଖ୍ୟାଳୟ କାଲିଫର୍ଣ୍ଣିଆର ସାନବ୍ରୁନୋରେ ଅବସ୍ଥିତ। ପ୍ରଥମେ ୨୦୦୫ରେ ଚାଡ ହର୍ଲି, ଷ୍ଟିଭ ଚେନ ଏବଂ ଜାୱେଦ କରିମଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ୟୁଟ୍ୟୁବ । ଜଣେ ୟୁଟ୍ୟୁବର ପ୍ରତି ଭିଡିଓ ପାଇଁ କେତେ ଟଙ୍କା ରୋଜଗାର କରନ୍ତି, ତାହା ବହୁତ ଭିନ୍ନ ହୋଇଥାଏ । ବିଜ୍ଞାପନ, ସବସ୍କ୍ରାଇବର, ଭିୟୁଜ ଏବଂ ବିଜ୍ଞାପନଦାତାଙ୍କ ବଜେଟ ଭଳି ଅନେକ କାରଣ ଉପରେ ନିର୍ଭର କରେ ସେମାନଙ୍କ ରୋଜାଗାର। ପ୍ରତି ଏକ ହଜାର ଦର୍ଶକଙ୍କ ପାଇଁ ଜଣେ ୟୁଟ୍ୟୁବର ଦଶ ହଜାର ମଧ୍ୟରେ ରୋଜଗାର କରିପାରନ୍ତି । କିଛି ବର୍ଷ ମଧ୍ୟରେ ୟୁଟ୍ୟୁବ ପାଇଁ ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଭାରତରେ ଏପରି ଏକ ଗାଁ ଅଛି,ଯାହାକୁ ୟୁଟ୍ୟୁବ କ୍ୟାପିଟାଲ କୁହାଯାଏ ।
Also Read
ଗାଁରେ ୪୦୦୦ ଲୋକ ବାସ କରୁଥିବା ବେଳେ ସେଥିମଧ୍ୟରୁ ୧୦୦୦ ଜଣ ୟୁଟ୍ୟୁବର୍ । ୫ ବର୍ଷ ପିଲାଠୁ ଆରମ୍ଭ କରି ୮୫ ବର୍ଷୀୟ ବୁଢା, ସମସ୍ତେ ୟୁଟ୍ୟୁବ ପାଇଁ ତିଆରୁ କରୁଛନ୍ତି ଭିଡିଓ। ଭିଡିଓର କ୍ୱାଲିଟି ବଢାଇବାକୁ ଏବେ ଗାଁରେ ପ୍ରତିଷ୍ଠା କରାଯାଇଛି ହାଇଟେକ୍ ଷ୍ଟୁଡିଓ। ସେମାନେ କ୍ରମାଗତ ଭାବରେ ୟୁଟ୍ୟୁବରେ କଣ୍ଟେଣ୍ଟ ଅପଲୋଡ୍ କରନ୍ତି କିମ୍ବା ଏହି କାର୍ଯ୍ୟ ସହିତ ଜଡିତ ଅଛନ୍ତି । ନକ୍ସଲ ପ୍ରବଣ ଇଲାକାର ଏହି ଲୋକମାନେ ଆଉ ରୋଜଗାର ପାଇଁ ଚିନ୍ତିତ ନୁହଁନ୍ତି, ଘରେ ବସି ବସି ସେମାନେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ସମସ୍ତେ ମିଶି ୟୁଟ୍ୟୁବରୁ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ ଗାଁର ସ୍ଥିତି ବଦଳି ଯାଇଛି କହିଲେ ଚଳେ ।
ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ମିଳିଛି । ନିକଟରେ ବିସିସିଆଇ ୱାର୍ଲ୍ଡ ଏହି ଗାଁ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ୟୁଟ୍ୟୁବ ପାଇଁ ଏଠାରେ ବହୁତ ପରିବର୍ତ୍ତନ ହୋଇଛି । ୟୁଟ୍ୟୁବ୍ ସେମାନଙ୍କୁ ଏବଂ ସେମାନଙ୍କ ଗାଁକୁ ଏକ ସୁନ୍ଦର ପରିଚୟ ଦେଇପାରିଛି । ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଏଠାରେ ଦିନସାରା ୟୁଟ୍ୟୁବ୍ କ୍ରାନ୍ତି ସହିତ ଜଡ଼ିତ ଥାଆନ୍ତି । କିଛି ଲୋକ ନିଜର ପ୍ରଡକ୍ସନ ସେଟ ମଧ୍ୟ ତିଆରି କରିଛନ୍ତି । ଆଉ କିଛି ଲୋକ କେବଳ ମୋବାଇଲ୍ ଏବଂ ଟ୍ରାଇପୋଡ ସହିତ ଭିଡିଓ କରନ୍ତି । ଲୋକଙ୍କ ମିଳିତ ପ୍ରୟାସକୁ ଦୃଷ୍ଟିରେ ରଖି ଏହି ଗାଁକୁ ଭାରତର ୟୁଟ୍ୟୁବ୍ ଗାଁର ମାନ୍ୟତା ମିଳିଛି । ଛତିଶଗଡ଼ି ଭାଷାରେ ଏହି ଭିଡିଓ ପ୍ରସ୍ତୁତ କରାଯାଉଥିବା ବେଳେ ଏଥିରେ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ଝଲକ ବି ଦେଖିବାକୁ ମିଳୁଛି।
ବିସିସିଆଇ ରିପୋର୍ଟ ଅନୁସାରେ ୟୁଟ୍ୟୁବରୁ ମିଳୁଥିବା ଟଙ୍କାରୁ ଗାଁର ସ୍ଥିତି ତଥା ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଛି । ଲୋକେ ଏଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି । ଆର୍ଥିକ ଲାଭ ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ସମାନତା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ସାଧନ ପାଲଟିଛି । ଏଠାରେ ଅନେକ ବାସିନ୍ଦାଙ୍କର ସଫଳ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି । ସେମାନଙ୍କ ପାଇଁ ୟୁଟ୍ୟୁବ ଆୟର ନୂଆ ଉତ୍ସ ପାଲଟିଛି କହିଲେ ଚଳେ ।
୨୦୧୮ ରେ ତୁଲସୀ ଗ୍ରାମରେ ଆରମ୍ଭ ହୋଇଥିଲା ୟୁଟ୍ୟୁବ୍ କ୍ରାନ୍ତି । ଦୁଇ ସାଙ୍ଗ ଜୟ ବର୍ମା ଏବଂ ତାଙ୍କ ବନ୍ଧୁ ଜୟେନ୍ଦ୍ର ଶୁକ୍ଲା ଛତିଶଗଡ଼ିଆ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲେ । ଅଭିନିୟ ପ୍ରତି ଜୟଙ୍କର ପିଲାଦିନୁ ପ୍ରବଳ ଆଗ୍ରହ ଥିଲା । ସିନେମା ଓ ସିରିୟଲ ତାଙ୍କୁ ୟୁଟ୍ୟୁବ ପ୍ରତି ଆକର୍ଷିତ କରିଥିଲା । କିଛି ନୂଆ କରିବା ଆଶାରେ ସେମାନେ ଚ୍ୟାଲେନ ଆରମ୍ଭ କରିଥିଲେ ଆଉ ସୌଭାଗ୍ୟବଶତଃ ତାଙ୍କର କଣ୍ଟେଣ୍ଟ ଲୋକଙ୍କୁ ଅଳ୍ପ ଦିନ ଭିତରେ ଖୁବ ପସନ୍ଦ ଆସିଥିଲା । ଦୁଇ ବନ୍ଧୁଙ୍କ ତୃତୀୟ ଭିଡିଓ ହିଁ ଇଣ୍ଟରନେଟରେ ଭାଇରାଲ ହେବା ସହ ତାଙ୍କୁ ମିଲିୟନ ଭିୟୁ ମିଳିଥିଲା । ଏଥିରେ ଧିରେ ଧିରେ ଗାଁର ଲୋକମାନେ ମଧ୍ୟ ଅଭିନୟ କରିବା ଆରମ୍ଭ କଲେ ।
ପ୍ରଥମେ ମନୋରଂଜନ ପାଇଁ ସେମାନେ ଏହି ଭିଡିଓ ପ୍ରସ୍ତୁତ କରୁଥିଲେ। କମେଡି ସହିତ ସମାଜକୁ ବାର୍ତ୍ତା ଦେଉଥିବା ଭଳି ଭିଡିଓ ଅପଲୋଡ କରୁଥିବାରୁ ଅଳ୍ପ ଦିନ ମଧ୍ୟରେ ଲୋକପ୍ରିୟ ହୋଇପାରିଥିଲେ ଦୁଇ ବନ୍ଧୁ । ଅଳ୍ପ କିଛି ଦିନ ମଧ୍ୟରେ ୟୁଟ୍ୟୁବ ଚ୍ୟାନେଲ ମନିଟାଇଜ ହୋଇଥିଲା । ତାଙ୍କର ଏହି ସଫଳତା ତୁଳସୀ ଗାଁର ଅନ୍ୟ ବାସିନ୍ଦାଙ୍କ ପାଇଁ ପ୍ରେରଣା ପାଲଟିଗଲା । ୟୁଟ୍ୟୁବରୁ ଭଲ ଆୟ ହେଉଥିବା ଦେଖି ଅନ୍ୟମାନେ ବି ଏହି ଧାରାରେ ସାମିଲ ହୋଇଥିଲେ । ଖୁସିର କଥା ହେଉଛି ଏଠି କେହି କାହାର ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି କି କେହି କାହାକୁ ଇର୍ଷା କରନ୍ତିନି । ସମସ୍ତେ ମିଳିମିଶି ଭିଡିଓ ତିଆରି କରିବା ସହ ପରସ୍ପରକୁ ଭିଡିଓ ପ୍ରସ୍ତୁତିରେ ସହାୟତା କରନ୍ତି।
ୟୁଟ୍ୟୁବର ଜୟ କୁହନ୍ତି, ଦୁଇ ସାଙ୍ଗ ପ୍ରଥମେ ନିଜ ମୋବାଇଲରେ ଭିଡିଓ ତିଆରି କରି ୟୁଟ୍ୟୁବରେ ଅପଲୋଡ କରୁଥିଲେ । ବେଶ କିଛି ଦିନ କଠିନ ପରିଶ୍ରମ କରିବା ପରେ ଚ୍ୟାନେଲକୁ ପାରିଶ୍ରମିକ ଆସିବା ଆରମ୍ଭ ହୋଇଥିଲା । ଟଙ୍କା ଆସିବା ପରେ ସବୁ ଖର୍ଚ୍ଚ କରିନଦେଇ ଏକ ସେକେଣ୍ଡ ହ୍ୟାଣ୍ଡ କମ୍ପ୍ୟୁଟର କିଣି ସେଥିରେ ଏଡିଟିଂ ଆରମ୍ଭ କରିଥିଲେ । ହେଲେ ଇଣ୍ଟରନେଟ ଭଲ ନଥିବାରୁ ୧୦ ମିନିଟର ଭିଡିଓ ଏଡିଟ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା। ଅପଲୋଡ଼ିଂ ପାଇଁ ମଧ୍ୟ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା ।
ତେବେ ଲୋକଙ୍କ ପ୍ରଚେଷ୍ଟା ଦେଖି ୨୦୨୩ ମସିହାରେ ଗାଁରେ ଏକ ଅତ୍ୟାଧୁନିକ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର । ଏଥିରେ ଡ୍ରୋନ ଓ ଡିଏସଆରଏଲ କ୍ୟାମେରା ସହ ଉନ୍ନତମାନର ଅଡିଓ ରେକଡିଂ, ଗ୍ରାଫିକ୍ସ ସଫ୍ଟୱେର ଏବଂ ଅନ୍ୟ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି ଗାଁର ଶହ ଶହ ଲୋକଙ୍କ ପାଇଁ ୟୁଟ୍ୟୁବ ଏବେ ଜୀବିକା ନିର୍ବାହର ମାଧ୍ୟମ ସାଜିଛି । ଏବେ ଏହି ଗାଁର ଲୋକ ୟୁଟ୍ୟୁବରୁ ଭଲ ରୋଜଗାର କରି ପରିବାର ଚଳାଇବା ସହ ସମାଜକୁ ଏବ ବଡ଼ ବାର୍ତ୍ତା ଦେଉଛନ୍ତି । କେବଳ ଏତିକି ନୁହେଁ ଗାଁର ଲୋକମାନେ ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ଉତ୍ତମ ଧରଣର କଣ୍ଟେଣ୍ଟ ଲେଖିବା ପାଇଁ ପିଲାଙ୍କୁ ନିୟୋଜିତ କରିଛନ୍ତି । ଖାଲିରେ ବସି ନରହି, କିମ୍ବା ମୋବାଇଲରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଟେକ୍ନୋଲୋଜିର ସଦୁପୋଯୋଗ କିପରି କରାଯାଏ, ଏମାନଙ୍କ ଠାରୁ ଶିଖିବା ଉଚିତ।