/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676396411.jpg)
Educated Sarapancha
ବ୍ଲାକ୍ ବୋର୍ଡରେ ଲେଖାଚାଲିଛି ପୂର୍ବବର୍ତ୍ତୀ ସଂଖ୍ୟା ଓ ପରବର୍ତ୍ତୀ ସଂଖ୍ୟା। ସାର୍ ଯାହା ଯାହା ଲେଖୁଛନ୍ତି ପିଲାମାନେ ତାକୁ ବୁଝି ଖାତାରେ ଉତାରୁଛନ୍ତି। ଖାଲି ଏତିକି ନୁହେଁ ବରଂ ତଳେ ଚକାଆସନ ମାରି ପିଲାଙ୍କ ସହ ମିଶି ପଢାଉଛନ୍ତି ପାଠ। ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ କହିବେ ସବୁ ସାର୍ମାନେ ଯେମିତି ପିଲାଙ୍କୁ ପାଠ ପଢାନ୍ତି ଇଏ ବି ଜଣେ ସାର୍, ଆଉ ସେମିତି ପାଠ ପଢାଉଛନ୍ତି। ଏଥିରେ ନୂଆ କଣ? କିନ୍ତୁ ସତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଏଇଠି ପିଲାଙ୍କୁ ଯିଏ ପାଠ ପଢାଉଛନ୍ତି ସିଏ ଜଣେ ସାଧାରଣ ସାର୍ ନୁହନ୍ତି ବରଂ ସେ ହେଉଛନ୍ତି ଜଣେ ରାଜନେତା। ଯିଏକି ନିଇତି ଏମିତି ପିଲାଙ୍କୁ ପଢାଉଛନ୍ତି ପାଠ।
ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ସରପଂଚ ନିଜେ ପିଲାଙ୍କୁ ମାଗଣାରେ ପାଠ ପଢାଉଥିବା ବେଳେ ଗାଁରେ ବେକାର ବୁଲୁଥିବା ଶିକ୍ଷିତ ଯୁବକଙ୍କୁ ଆଣି କେଟିଂ ସେଂଟରରେ ପିଲାଙ୍କୁ ପାଠ ପଢାଇବାକୁ ଦେଉଛନ୍ତି ପ୍ରୋତ୍ସାହନ। କେମିତି ପିଲାମାନେ ଭଲ ପାଠ ପଢିବେ, ଗାଁର ନାଁ ରଖିବେ ସେଇ ମହତ ଉଦ୍ଦେଶ୍ୟରେ ପିଲାଙ୍କୁ ଏମିତି ପାଠ ପଢାଉଛନ୍ତି ସରପଂଚ।
ଏବେ ନୁହେଁ ବରଂ ବହୁଦିନ ହେଲାଣି ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ସ୍ନପ୍ନ ଦେଖୁଥିଲେ ସରପଂଚ। ହେଲେ ତାହା ସଫଳ ହେଉନଥିଲା। ସେଥିପାଇଁ ପଂଚାୟତରେ ଆଲୋଚନା କରିବା ପରେ ଜାନୁଆରୀ ୧ରୁ ଆରମ୍ଭ କରିଛନ୍ତି ଏମିତି ମାଗଣା କୋଚିଂ ସେଟର। ପ୍ରତିଦିନ ସକାଳ ୭ରୁ ୯ ଏବଂ ସଂଧ୍ୟା ୫ରୁ ୭ ପିଲାଙ୍କୁ ପଢାଉଛନ୍ତି ପାଠ। ଅଭିଭାବକଙ୍କୁ ଭେଟି ପିଲାଙ୍କୁ ଟ୍ୟୁସନ ଛାଡିବାକୁ କରୁଛନ୍ତି ଅନୁରୋଧ। ସେପଟେ ସରପଂଚଙ୍କ ଏମିତି ମହାନ ଉଦ୍ଦେଶ୍ୟକୁ ନେଇ ବେଶ୍ ଖୁସି ସ୍ଥାନୀୟ ଅଂଚଳର ଲୋକ। ଏମିତିକି ଲୋକେ କହୁଛନ୍ତି ସରପଂଚ ହେବ ତ ଏମିତି।
(ବଲାଙ୍ଗିର ପାଟଣାଗଡରୁ କରୁଣାକର ବୁଡେକଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)