/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738646929.jpg)
କୁକୁର ସାଜିଲେ ଦେବଦୂତ
ମହାମାରୀର କରାଳ ଛାୟା ମାଡ଼ି ଆସୁଥାଏ । ଘରର ତାଟିକବାଟ ପଡିଯାଇଥାଏ । ମହାମାରୀ ଭୟରେ ଲୋକେ ଗୃହବନ୍ଦୀ ହୋଇଥାନ୍ତି । ଯେମିତି କବାଟ ଖୋଲିଲେ ମୃତ୍ୟୁଦୂତକୁ ଭେଟିବେ ! ଏମିତି ଅବସ୍ଥାରେ ରୋଗର ନିରାକରଣ କରାଯିବ କିପରି ? କିଏ ସେ ସଂକ୍ରମିତ ଇଲାକାକୁ ଯିବ ? କିଏ ପହଞ୍ଚାଇ ଦେବ ଚକିତ୍ସା ଉପକରଣ ? ଔଷଧ ଖାଇଲେ ତ ରୋଗ ନିୟନ୍ତ୍ରଣ ହେବ ! ହେଲେ କିଏ ସେ ମହାମାରୀ କବଳିତ ଇଲାକାକୁ ନେଇ ଯିବ ଔଷଧ ? ଏମିତି ଭୟ ଆଉ ଦ୍ୱନ୍ଦ୍ୱ ଭିତରେ ସାମ୍ନାକୁ ଆସିଲେ ସେଇ ଦେବଦୂତ ଯିଏ କି ମହାମାରୀ ପୀଡିତଙ୍କ ପାଖକୁ ଯାଇଥିଲା ଔଷଧ । ସେହି ଔଷଧ ଖାଇବା ପରେ ରୋଗ ନିୟନ୍ତ୍ରଣକୁ ଆସିଥିଲା । ତେବେ କିଏ ସେ ଦେବଦୂତ ଯିଏ ଜୀବନକୁ ବାଜି ଲଗେଇ ଯାଇଥିଲା ମୃତ୍ୟୁର ସେ ଇଲାକାକୁ ? ଜାଣି ଆଶ୍ଚର୍ଯ୍ୟ ହେବେ, ସେମାନେ ଥିଲେ କୁକୁର ।
ହଁ, ଏ ଭୟଙ୍କର ବିପତ୍ତି ସମୟରେ ଦେବଦୂତ ସାଜିଥିଲା କୁକୁର । ଶହଶହ କିଲୋକମିଟର ଦୂରରୁ ଔଷଧ ଠିକ ସମୟରେ ପହଞ୍ଚି ଯାଇଥିଲା । ଏକ ମହାମାରୀକୁ ରୋକି ଦେଇଥିଲା । ଶହଶହ ଜୀବନକୁ ମରଣ ମୁହଁରୁ ଟାଣି ଆଣିଥିଲା । ଘଟଣା ଘଟିଥିଲା ୧୯୨୫ ମସିହାରେ ଆଲାସ୍କାରେ, ଯେତେବେଳେ ଜାନୁଆରୀ-ଫେବୃଆରୀରେ ଏଠାରେ ବ୍ୟାପିଥିଲା ମହାମାରୀ । ଏ ପୃଥିବୀ ଅନେକ ମହାମାରୀ ଦେଖିଛି । ହେଲେ ମାଡି ଆସୁଥିବା ବିପତ୍ତିକୁ ଏମିତି ଅଟକାଇ ଦେବା ଘଟଣା ଖୁବ କମ୍ ଦେଖିବାକୁ ମିଳିଛି ।
କ’ଣ ଥିଲା ରୋଗ ?
୧୯୨୫ ଜାନୁଆରୀ ୨୦ ତାରିଖରେ ଆଲାସ୍କାର ନୋମ ସହରର ଡା.କର୍ଟିସ ବୋଲ୍ଚ ଅନୁଭବ କଲେ ଯେ ସହରରେ ଟାନ୍ସଲାଇଟିସ ରୋଗ ଦ୍ରୁତ ଗତିରେ ବଢିାରେ ଲାଗିଛି । ଏହି ଜୀବନ ନାଶକାରୀ ରୋଗକୁ ନେଇ ଖୁବ ଚିନ୍ତିତ ଥିଲେ ଡାକ୍ତର । ପରେ ପରେ ରୋଗର ନୂଆ ଲକ୍ଷଣକୁ ନେଇ ଡାକ୍ତରଙ୍କ ଭୟ ସତ ପ୍ରମାଣିତ ହୋଇଥିଲା । ପ୍ରକୃତରେ ଏହା କୌଣସି ସାଧାରଣ ରୋଗ ନ ଥିଲା । ବରଂ ଡିପ୍ଥେରିଆ ନାମକ ଏକ ବ୍ୟାକ୍ଟେରିଆ କାରଣରୁ ଏହା ବ୍ୟାପୁଥିଲା ଏବଂ ଜୀବନ ନେଇ ଯାଉଥିଲା । ଏହି ରୋଗ ଦ୍ୱାରା ରୋଗୀଙ୍କ ଗଳା କଫରେ ଭର୍ତ୍ତି ହୋଇ ଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟୁଥିଲା ।
ଚିକିତ୍ସା ଏବଂ ଔଷଧର ଆବଶ୍ୟକତା ଥିଲା
ତେବେ ସୌଭାଗ୍ୟର କଥା ଥିଲା ଯେ, ସେତେବେଳେ ଏହି ରୋଗର ନିରାକରଣ ପାଇଁ ନୋବେଲ ପୁରସ୍କାର ବିଜେତାଏମିଲ ୱାନ ବେହରିଂ ପ୍ରତିରୋଧକାରୀ ପଶୁଙ୍କ ସିରମରୁ ଏକ ଆଣ୍ଟିଟକ୍ସିନ ପ୍ରସ୍ତୁତ କରିପାରିଥିଲେ ଯାହା ଏହି ରୋଗର ନିରାକରଣ କରିପାରିବ । ହେଲେ ଏହି ରୋଗକୁ ଠାବ କରିଥିବା ଡାକ୍ତର ବୋଲ୍ଚଙ୍କ ପାଖରେ ନା ପର୍ଯ୍ୟାପ୍ତ ପରିମାଣର ଔଷଧ ଥିଲା ନା ନୋମ ସହରର ସହ ଅନ୍ୟ କୌଣସି ସହରର କିଛି ସମ୍ପର୍କ ଥିଲା । ମାସ ମାସ ଧରି ଏମିତି କଟିଗଲା । ରୋଗ ଦିନକୁ ଦିନ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଥାଏ । ଭୀଷଣ କଫ ଆଉ ସର୍ଦ୍ଦିରେ ପୀଡିତ ଆଲାସ୍କା ସହ ବିଶ୍ୱର ସମ୍ପର୍କ ଏକ ପ୍ରକାର ଛିନ୍ନ ହୋଇଯାଇଥାଏ । ଏପରି ସ୍ଥିତିରେ ଆଉ ବେଶୀ ଅପେକ୍ଷା କରିବା ପାଇଁ ହାତରେ ସମୟ ନ ଥାଏ ।
ଔଷଧ ପଠାଇବା ନେଇ ପଡ଼ିଥିଲା ଚିନ୍ତା
ତୁରନ୍ତ ସହାୟତା ନ ମିଳିଲେ ସ୍ଥିତି ସାଂଘାତିକ ହୋଇଯିବ । ବୋଲ୍ଚ ଟାଉନ କାଉନସିଲର ମାର୍କ ସମରଙ୍କ ଅନୁମତି ନେଇ ତୁରନ୍ତ ୱାଶିଂଟନରେ ଆମେରକା ଲୋକ ସ୍ୱାସ୍ଥ୍ୟସେବାକୁ ତାର ମାଧ୍ୟମରେ ଖବର ଦେଇଥିଲେ ଏବଂ କହିଥିଲେ, ଡିପଥେରିଆ ମହାମାରୀ ରୂପ ନେଲାଣି । ଏହାର ନିରାକରଣ ପାଇଁ ତୁରନ୍ତ ବିପୁଳ ପରିମାଣର ଆଣ୍ଟିଟକ୍ସିନର ଆବଶ୍ୟକତା ରହିଛି । ପାଣି ଜାହାଜରେ ଗଲେ ଏହା ଖରା ଦିନ ପୂର୍ବରୁ ପହଞ୍ଚି ପାରିବ ନାହିଁ । ବହୁତ ଥଣ୍ଡା କାରଣରୁ ଉଡାଜାହାଜ ବ୍ୟବହାର ଭରସାଯୋଗ୍ୟ ନୁହେଁ । ତେଣୁ ବ୍ୟବିସ୍ଥା କରିବାକୁ ଅନୁରୋଗ କରିଥିଲେ ।
ଔଷଧ ଆଣିବା ପାଇଁ ଚାଲିଥିଲା ପ୍ରଚେଷ୍ଟା
ପରିସ୍ଥିତିର ମୁକାବିଲା କରିବା ପାଇଁ ବୋଲ୍ଚ ଏବଂ ତାଙ୍କର ମୁଖ୍ୟ ନର୍ସ ସିଷ୍ଟର ଏମିଲି ମୋର୍ଗନ ଜୁ-ଜାନ ଦେଇ ଲାଗି ପଡିଥାନ୍ତି । ରୋଗର ନିରାକରଣ ପାଇଁ ପୁରୁଣା ଉପାୟକୁ ଆପଣାଇବା, କ୍ୱାରେଣ୍ଟାଇନ ଲାଗୁ କରିବା, ଅତି ଜରୁରୀ ପରିସ୍ଥିତିରେ ସୀମିତି ଥିବା ଆଣ୍ଟିଟକ୍ସିନର ଉପଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଯେତେବେଳେ ଆମେରିକାର ମୁଖ୍ୟ ସହରରେ ଆଣ୍ଟିଟକ୍ସିନର ଷ୍ଟକ ଯାଞ୍ଚ କରା ଯାଉଥିଲା, ସେତେବେଳେ ନୋମ ସହରର କାଉନସିଲର ମାର୍କ ସମର ଯୋଜନା ପ୍ରସ୍ତୁତ କରୁଥିଲେ, କିପରି ଏହି ଆଣ୍ଟିଟକ୍ସିନ ୧୦୮୫ କିମି ଦୂର ଆଲାସ୍କାର ଶେଷ ରେଳଷ୍ଟେସନ ନେନାନରୁ ନୋମକୁ ନିଆଯିବ । ଏହି ରୋମାଞ୍ଚକ କାହାଣୀକୁ ଗେ ସୈଲିସବରୀ ଏବଂ ଲୈନୀ ସୈଲିସବରୀ ନିଜ ପୁସ୍ତକ ‘ଦ କର୍ଲିଏଷ୍ଟ ମାଇଲ୍ସ: ଦ ହିରୋଇକ ଷ୍ଟୋରି ଅଫ ଡଗ୍ସ ଆଣ୍ଡ ମେନ ଇନ ରେସ ଏଗେନଷ୍ଟ ଏପିଡେମିକ’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
ଆରମ୍ଭ ହୋଇଥିଲା ଯାତ୍ରା
ଆଲାସ୍କା ପଠାଇବା ପାଇଁ ଔଷଧ ସଂଗ୍ରହ କରାଯାଇ ଏକାଠି କରାଯାଇଥିଲା । ହେଲେ ପାଣିପାଗର ସ୍ଥିତି ବହୁତ ଖରାପ ଥିଲା । ଏତେ ଥଣ୍ଡା ପଡୁଥିଲା ଯେ ଯିବା କଷ୍ଟକର ଥିଲା । ସେ ସମୟରେ ସେଠିକାର ତାପମାତ୍ରା ଶେଷ ୨୦ଟି ରେକର୍ଡ ଭାଙ୍ଗିବାକୁ ଯାଉଥିଲା । ଶେଷରେ ସ୍ଥିର ହୋଇଥିଲା, ୩ ଲକ୍ଷ ୟୁନିଟ ଔଷଧକୁ କୁକୁରଙ୍କ ସ୍ଲେଜରେ ନିଆଯିବ । ତା ପରେ ଜାନୁଆରୀ ୨୬ ତାରିଖରେ ସମସ୍ତ ସିରମକୁ ପ୍ରଥମେ ଟ୍ରେନରେ ନେନାନ ପର୍ଯ୍ୟନ୍ତ ପଠାଗଲା । ଏହାର ୨୪ ଘଣ୍ଟା ପରେ ନେନାନରୁ କୁକୁରଙ୍କୁ ନେଇ ଆସିଥିବା ଟିମ ଲିଡର ୱାଇଲ୍ଡ ବିଲ ଶାନୋନ ଯାହାଙ୍କୁ ମେସର୍ସ କୁହାଯାଉଥିଲା, ସେ -୫୮ ଡିଗ୍ରୀ ତାପମାତ୍ରାରେ ୯ଟି କୁକୁରଙ୍କର ଏକ ଟିମ ଓ ଔଷଧ ସହ ସନ୍ଧ୍ୟା ସମୟରେ ନେନାନ ଛାଡି ନୋମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।
ସେମାନେ ଦିନ ୧୧ଟାରେ ତୋଲୋବାନା ପହଞ୍ଚି ଯାଇଥିଲେ । ସେଠାରୁ ଏଡଗର କ୍ଲୈନ୍ଦସ ଔଷଧ ଧରି ଆହୁରି ୫୦ ମାଇଲ ଯାତ୍ରା ସମ୍ପନ୍ନ କରିଥିଲେ । ଏହାର ସାଢେ ତିନି ଦିନ ପରେ ୧୫ଟି ମେସର୍ସ ଏବଂ ତାଙ୍କର କୁକୁର ଟିମ ୬୭୯ କିଲୋମିଟର ରାସ୍ତା ଗସ୍ତ କରି ନୋମରେ ଔଷଧ ପହଞ୍ଚାଇଥିଲେ ।
ଶେଷରେ ଔଷଧ ପାର୍ସଲ ଲିୟୋନାର୍ଡୋ ସେପ୍ପାଲାଙ୍କ ପାଖରେ ପହଞ୍ଚିଥିଲା ଯିଏ କି ନୋମଠାରୁ ୨୭୨ କିମି ଦୂରରେ ଥିଲେ । ସେପ୍ପାଲା ଏବଂ ତାଙ୍କ କୁକୁର ଟିମ ନୋମରୁ ଶେକ୍ଟୁଲିକ ଏବଂ ପୁଣି ଗୋଲୋବିନ ଆସିଥିଲେ । ଏହି ୪୧୮ କିମିର ରାସ୍ତା ପାର କରିବା ପାଇଁ ପାଖାପାଖି ସାଢେ ୪ ଦିନ ଲାଗିଥିଲା । ଫେବୃଆରୀ ୧ ତାରିଖରେ ସେ ଏହି ପାର୍ସଲ ଚାର୍ଲି ଓଲସନଙ୍କୁ ଦେଇଥିଲେ । ପରଦିନ ଅର୍ଥାତ ଫେବୃଆରୀ ୨ ତାରିଖରେ ଏହା ନୋମ ସହରରେ ପହଞ୍ଚିଥିଲା । ସୌଭାଗ୍ୟବଶତଃ ଡା. ବୋଲ୍ଚ ସିରମକୁ ସୁରକ୍ଷିତ ଅବସ୍ଥାରେ ପାଇଥିଲେ । ସେ ଯଥାଶୀଘ୍ର ଏହାକୁ ଉପଯୋଗ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଯେଉଁ ରୋଗୀଙ୍କ ପାଇଁ ଔଷଧ ସବୁଠାରୁ ଅଧିକ ଆବଶ୍ୟକ ଥିଲା ସେଇମାନଙ୍କୁ ଏହା ଦିଆଯାଇଥିଲା । କହିବାକୁ ଗଲେ, ୧୦ ଦିନରେ ୧୦୮୫ କିମି ରାସ୍ତା ଯାତ୍ରା କରି କୁକୁର ଟିମ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲେ ।
ଏହିପରି ଭାବେ ମହାମାରୀ ରୂପ ନେଇଥିବା ଏହି ରୋଗକୁ ସମୟ ପୂର୍ବରୁ ଅଟକାଇ ଦିଆଯାଇଥିଲା । ଏହାପରେ ପୁଣି ଆବଶ୍ୟକ ଔଷଧ ଅଧା ବିମାନରେ ଏବଂ ଆଉ କିଛି କୁକୁରଙ୍କ ସହାୟତାରେ ପହୁଞ୍ଚା ଯାଇଥିଲା । ଏହି ଘଟଣା ସେତେବେଳେ ଆମେରିକାରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି କୁକୁରମାନେ ସେମାନଙ୍କ ଆଖିରେ ହୀରୋ ପାଲଟି ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)