Advertisment

ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା

undefined

wheelchair fencer

Advertisment

୫ ମାସ ବୟସରେ ଯେତେବେଳେ ପୋଲିଓରେ ଗୋଟିଏ ଗୋଡ଼ ଅଚଳ ହୋଇଗଲା, ଲୋକେ ଭାବିଥିଲେ ତାଙ୍କ ହାତ ପାଇଁ ହୁଏତ ଏଇ ଯୋଡ଼ିଏ ବୈଶାଖୀ ହିଁ ଲେଖିଦେଇଛି ବିଧାତା। ୟାକୁ ହିଁ ଧରି ତାଙ୍କୁ ଚାଲିବାକୁ ପଡ଼ିବ ଜୀବନଯାକର ବାଟ। ହେଲେ ନିଜ ସାହସ ଓ ପ୍ରତିଭା ବଳରେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଏକ ନିପଟ ଗାଁର ଗରିବ ପରିବାରରେ ଜନ୍ମିତ ଝିଅ ମଧୁସ୍ମିତା ।

Advertisment

ସାରା ଦୁନିଆକୁ ଦେଖାଇ ଦେଇଛନ୍ତି, ତାଙ୍କ ହାତକୁ ବୈଶାଖୀ ଜମାବି ମାନୁନି । ସେ ଜନ୍ମିଛନ୍ତି ବୀରାଙ୍ଗନାଙ୍କ ଭଳି ତରବାରୀ ଧରିବାକୁ। ଯୁଦ୍ଧଭୂଇଁରେ ନୁହେଁ, ଫେନ୍ସିଂ ପିଷ୍ଟରେ ଦୁନିଆ ଜିତିବାକୁ। ଇଏ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।

ମଧୁସ୍ମିତାଙ୍କ ପାଖରେ ମାସିକ ଭିନ୍ନକ୍ଷମ ଭତ୍ତା ଓ ଚାଉଳକୁ ଛାଡ଼ିଦେଲେ, ଆଉ ସମ୍ବଳ କହିଲେ କିଛି ବି ନାହିଁ। ମଧୁସ୍ମିତାଙ୍କୁ ଯେତେବେଳେ ୫ ମାସ, ଗୋଟିଏ ଗୋଡ଼କୁ ଅଚଳ କରିଦେଲା ପୋଲିଓ। ବହୁକଷ୍ଟରେ ଦଶମ ପରେ, ପାଠରେ ଡୋରି ବନ୍ଧାହେଲା। ହେଲେ ୨୦୧୯ରେ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ପାରା ଅଲିମ୍ପିଆନ୍ ରାଖାଲ ସେଠୀଙ୍କୁ ଭେଟିବା ପରେ, ତାଙ୍କ ମନରେ ସଞ୍ଚରିଲା କ୍ରୀଡ଼ାବିତ୍ ହେବାର ଆଶା। ରାଖାଲଙ୍କ ପ୍ରଶିକ୍ଷଣ ଏବଂ ବାସୁଦେବପୁର ବ୍ରାହ୍ମଣଗାଁର ମୋ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ପ୍ରଥମେ ରାଜ୍ୟ ଓ ପରେ ଜାତୀୟ ସ୍ତରର ହ୍ବିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ କଲେ ମଧୁସ୍ମିତା। 

Advertisment

ହରିୟାଣା କର୍ଣ୍ଣଲରେ ଜାତୀୟ ଫେନ୍ସିଂ ଚାମ୍ପିୟନସିପ ଫଏଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ଇପିପିରେ ରୌପ୍ୟ ପଦକ ହାସଲ ପରେ, ବିଦେଶ ଯିବାକୁ ବି ବାଟ ଫିଟିଗଲା। ହେଲେ କୁମ୍ଭାର ଚକର ବା କେତେ ଦମ୍? ଆସନ୍ତା ସେପ୍ଟେମ୍ବରରେ ଥାଇଲ୍ୟାଣ୍ଡରେ ଅନ୍ତର୍ଜାତୀୟ ମ୍ୟାଚ୍ ଥିବା ବେଳେ, ଉନ୍ନତ ହ୍ୱିଲଚେୟାର୍ ଓ କିଟ୍ ପାଇଁ ଖର୍ଚ୍ଚ ହେବ ପ୍ରାୟ ୩ ଲକ୍ଷ ଟଙ୍କା। ହାଣ୍ଡି ମାଠିଆ ବିକି ପରିବାର ପୋଷୁଥିବା ମଧୁସ୍ମିତାଙ୍କ ବାପା ଏତେ ଟଙ୍କା ଆଣିବେ କେଉଁଠୁ? ଏଭଳି ସ୍ଥିତିରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ କିଛି ଖେଳ ସରଞ୍ଜାମ ଯୋଗାଇ ଦେଇଥିବା ବେଳେ, ସରକାରଙ୍କ କ୍ରୀଡ଼ା ବିଭାଗ କିମ୍ବା କୌଣସି ବଦାନ୍ୟ ଅନୁଷ୍ଠାନକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ସମସ୍ତେ । ଯେପରି ବଣମଲ୍ଲୀଟି ବଣରେ ଝରିନପଡ଼ୁ।

(ରିପୋର୍ଟ: ପାର୍ଥସାରଥୀ ନାୟକ)

Divyang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ