• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜନ୍ମରୁ ଦିବ୍ୟାଙ୍ଗ । ଦୁନିଆର ଆଲୋକ କଣ ସେ ଦେଖିନାହାନ୍ତି ସତ ହେଲେ ୟୁଟ୍ୟୁବ୍‌ରୁ ପାଠ ପଢି +୨ରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାହା ପୁଣି ୪୨୦ ନମ୍ବର ରଖି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

ବାଲେଶ୍ୱର ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ଅସୁରିଆ ଗାଁର ଦିବ୍ୟାଙ୍ଗ ଯୁବତୀ ସଙ୍ଗୀତା ବେହେରା l ବୟସ ୨୨ । ସଙ୍ଗୀତା ଘରର ଗୋଟିଏ ବୋଲି ଝିଅ । ବାପା ଶଙ୍କର୍ଷଣ ବେହେରା ଓ ମାଆ କବିତା ବେହେରାଙ୍କର ଭାରି ଗେହ୍ଲା ସିଏ । ଶଙ୍କର୍ଷଣଙ୍କର ପରିବାର କହିଲେ ୨ ପୁଅ ଓ ଗୋଟିଏ ଝିଅ ଆଉ ପତ୍ନୀ । ଝିଅ ଜନ୍ମ ହେବା ପରେ ପରିବାର ବେଶ୍‌ ଖୁସିଥିଲା । ହେଲେ ବାପା-ମାଆ ଯେବେ ଜାଣିଲେ ଝିଅ ଦିବ୍ୟାଙ୍ଗ ବୋଲି ସେମାନେ ହାରି ଯାଇନଥିଲେ ବରଂ ସଂଘର୍ଷ କରି କେମିତି ସଫଳତା ପାଇହୁଏ ତାହା ଶିଖାଇଥିଲେ ।

ପିଲାଟି ଦିନରୁ ପଢାପ୍ରତି ଅହେତୁକ ଦୁର୍ବଳତା ଥିଲା ସଙ୍ଗୀତାଙ୍କର । ସେଇଥି ପାଇଁ ତ ଦିବ୍ୟାଙ୍ଗ ହେବା ପରେ ବି ୟୁଟ୍ୟୁବ୍‌ର ସାହାଯ୍ୟ ନେଇ ପଢି ଚାଲିଥିଲେ ପାଠ । ଜାଣିଆଶ୍ଚର୍ଯ୍ୟ ହେବେ କି ଦିବ୍ୟାଙ୍ଗଙ୍କ ପାଇଁ ଥିବା କଲେଜ୍‌ରେ ପାଠ ପଢିବା ପରେ ବି ତାଙ୍କୁ ବିଶେଷ କିଛି ସୁବିଧା ମିଳିପାରୁନଥିଲା । ତେଣୁ ଏମିତି ପରିସ୍ଥିତିରେ ୟୁଟ୍ୟୁବର ସାହାରା ନେଇ ସେ ପାଠ ପଢିଥିଲେ ଆଉ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ବି ହେଲେ ।

ପାଠ ପଢିବା ସମୟରେ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀ କେହି ମୋବାଇଲରେ ୟୁଟ୍ୟୁବ ବାହାର କରିଦେଲେ ସେ ଭାଷା ମାଧ୍ୟମରେ କଥା ଶୁଣି ଏହାକୁ ମନେ ରଖିବା ସହିତ ଦୃଷ୍ଟିବାଧିତଙ୍କ ପାଇଁ ଥିବା ବ୍ରେଲି ଲିପିରେ ପାଠ ପଢୁଥିଲେ l ଆଉ ପରୀକ୍ଷା ସମୟରେ ଅନ୍ୟ ଜଣେ ସାଙ୍ଗର ସହାୟତା ନେଇଥିଲେ l ପରୀକ୍ଷାରେ ୪୨୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l ସଙ୍ଗୀତା ଏବେ +୩ରେ ଖଇରା କଲେଜରେ ଆଡ଼ମିଶନ କରିଛନ୍ତି l କିନ୍ତୁ କଲେଜ ଯିବାକୁ କୌଣସି ସୁବିଧା ନାହିଁ । ବାପା-ଭାଇ ବାହାରେ ରହି କାମ କରୁଥିବାରୁ ସଙ୍ଗୀତାଙ୍କୁ ଲୋଡା ଏବେ ସରକାରୀ ସହାୟତା ।

ଜାଣିଆଶ୍ଚର୍ଯ୍ୟ ହେବେ କି, ନିଜସ୍ୱ ଉଦ୍ୟମରେ ସଙ୍ଗୀତା ଯେମିତି ସଫଳତା ପାଇଛନ୍ତି ତାହା ତାଙ୍କୁ ନୂଆ ସ୍ୱପ୍ନ ଦେଖିବାର ବଳ ଦେଉଛି । ସେଇଥି ଲାଗି ତ ଆଗାମୀ ଦିନରେ ଶିକ୍ଷୟିତ୍ରୀ ହେବାକୁ ପ୍ରସ୍ତୁତି ଚଳାଇଛନ୍ତି ସଙ୍ଗୀତା । କେବଳ ପାଠରେ ନୁହେଁ ବରଂ ଗୀତ ଗାଇବାରେ ସେ ପୂରା ମାହିର । ତେବେ ସଙ୍ଗୀତାଙ୍କୁ ଯଦି ସରକାରୀ ସ୍ତରରେ ସବୁ ପ୍ରକାର ସାହାଯ୍ୟ ମିଳନ୍ତା ତେବେ ସ୍ୱପ୍ନ ପୂରଣ ହେବା ସହଜ ହୁଅନ୍ତା ବୋଲି କହିଛନ୍ତି ପରିବାର ଓ ସାଙ୍ଗସାଥୀ ।

 

  • Reported by:
  • Niranjan Behera