• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସିଏ ଜଣେ ଦିବ୍ୟାଙ୍ଗ । ଜନ୍ମର ୫ ମାସ ପରେ ହଠାତ୍‌ ଡାହାଣ ଗୋଡ କାମ କରିବା ବନ୍ଦ ହୋଇଗଲା । କୁନି ଝିଅ ଭଲ ଥିଲା ହଠାତ୍‌ କାହିଁକି ଏମିତି ହେଲା...ଚିନ୍ତାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଲେ ଚିକିତ୍ସା ବି କରାଇଲେ । ଜଣାପଡିଲା ସେ ପୋଲିଓ ରୋଗରେ ଆକ୍ରାନ୍ତ...ଏମିତି ସ୍ଥିତିରେ ବି ସେ ସ୍କୁଲ୍‌ ଗଲେ, ପାଠ ପଢି ଦଶମ ପାସ୍‌ କଲେ । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠରେ ଡୋରି ବନ୍ଧା ହେଲା । ବାସ୍‌ ଏହାପରେ ସିଏ ଯେମିତି ସ୍ୱପ୍ନ ଦେଖିବା ବନ୍ଦ କରିଦେଇଥିଲେ...ହେଲେ ହଠାତ୍‌ ତାଙ୍କ ଜୀବନରେ ଉଇଁଲା ନୂଆ ସୂର୍ଯ୍ୟ...ଆଉ ଏବେ ପୂରା ରାଜ୍ୟରେ ତାଙ୍କୁ ନେଇ ଚର୍ଚ୍ଚା ।

ଭଦ୍ରକ ଧାମନଗର ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର କୁମ୍ଭାରସାହିର ମଧୁସ୍ମିତା ସାହୁ । ବୟସ ୨୯ ହେବ । କୁମ୍ଭାରଘର ହୋଇଥିବାରୁ ମାଟିରେ ହାଣ୍ଡି, ମାଠିଆ ଆଦି ସାମଗ୍ରୀ ଗଢିଲେ ପରିବାର ମୁହଁରେ ଦାନା ଦେବେ ବାପା । କିନ୍ତୁ ଦିବ୍ୟାଙ୍ଗ ଝିଅ ଘରେ ଥିବାରୁ ସବୁବେଳେ ଚିନ୍ତାରେ ଥିଲେ ବାପା । କେମିତି ସେ ଭଲରେ ରହିବ ସବୁବେଳେ ସେହିକଥା ଭାବୁଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲନଥିବାରୁ ଝିଅର ଇଚ୍ଛା ପରେ ବି ସେ ଅଧିକ ପଢାଇପାରୁନଥିଲେ । ହେଲେ ୨୦୧୯ ମସିହା ମଧୁସ୍ମିତାଙ୍କ ଜୀବନର ମୋଡ ବଦଳାଇଦେଲା ।

ଜିଲ୍ଲାର ଅନ୍ୟ ଜଣେ ପ୍ରତିଷ୍ଠିତ ପାରା ଅଲମ୍ପିଆନ ରଖାଲ କୁମାର ସେଠୀଙ୍କ ସଂସ୍ପର୍ଶରେ ଆସିଥିଲେ ମଧୁସ୍ମିତା । ଉଭୟେ ଦିବ୍ୟାଙ୍ଗ ହୋଇଥିବାରୁ ପରସ୍ପରକୁ ବେଶ୍‌ ଭଲରେ ବୁଝିପାରିଥିଲେ । ପ୍ରତି ମୁହୂର୍ତ୍ତରେ ରଖାଲ ମଧୁସ୍ମିତାଙ୍କୁ ଉତ୍ସାହିତ କରୁଥିଲେ । ଏମିତିକି ବିଭିନ୍ନ ସଂଗଠନ ସହାୟତାରେ ହ୍ୱିଲ ଚେୟାର ଫେନସିଂ ତାଲିମ ନେଲେ ମଧୁସ୍ମିତା । ଖେଳର ଟ୍ରେନିଂ ନେବା ପରେ ରାଜ୍ୟସ୍ତରରେ ସଫଳତା ପାଇଲେ ପରେ ଜାତୀୟସ୍ତରର ପାଇଁ ଚୟନ ହେଲେ । ଖାଲି ଚୟନ ହେଲେ ତାହା ନୁହେଁ ବରଂ ହରିୟାଣା କର୍ଣ୍ଣଲ ଠାରେ ଆୟୋଜିତ ୧୫ତମ ଜାତୀୟ ଫେନସିଂ ଚମ୍ପିୟାନସିପରେ ଫଏଲ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ଇପିପି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କଲେ ।

ବାସ୍‌ ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଆଗକୁ ଥାଇଲାଣ୍ଡରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ହ୍ୱିଲ ଚ୍ୟାୟର ଫେନ୍ସିଂ ପ୍ରତିଯୋଗିତା । ଆଉ ଏହି ଖେଳରେ ଭାଗ ନେବାକୁ ତାଙ୍କର ପ୍ରବଳ ଇଚ୍ଛା କିନ୍ତୁ ଏଥିଲାଗି ଯେଉଁସବୁ ସରଞ୍ଜାମ ଦରକାର ତାହାକୁ କିଣିବାକୁ ହେଲେ ଦରକାର ସାଢେ ତିନିଲକ୍ଷ ଟଙ୍କା । ହେଲେ ଏତିକି ବେଳେ ମଧ୍ୟସ୍ମିତାଙ୍କ ଆଶାର ଆଲୋକ ପାଲଟିଛନ୍ତି ଆଉ ଜଣେ ଦିବ୍ୟାଙ୍ଗ ତନୟା ଚୌଧୁରୀ । ପରିବାରର ଆର୍ଥିକ ସ୍ଥିତି ଭଲ ଥିବାରୁ ବିଭିନ୍ନ ଏନଜିଓ ସଂସ୍ଥାରେ କାମ କରିବା ସହ ଦିବ୍ୟାଙ୍ଗଙ୍କୁ ସହାୟତା ଦିଅନ୍ତି । ମଧୁସ୍ମିତାଙ୍କ କଥା ଜାଣିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତନୟା ପ୍ରାୟ ସାଢେ ତିନିଲକ୍ଷ ଟଙ୍କାର ଫେନସିଂ କିଟ ଦେଇଛନ୍ତି ।

ଏମିତି ସହାୟତା ପାଇବା ପରେ ଭାବବିହ୍ୱଳ ହୋଇପଡିଥିଲେ ସେ । ଅନେକ ସମୟରେ ଆମେ ଦେଖିଛନ୍ତି କି ସହାୟତା ଚାହୁଁଥିବା ବ୍ୟକ୍ତିଙ୍କୁ ସହାୟତା ମିଳିପାରେ ନାହିଁ, ହେଲେ ମଧୁସ୍ମିତାଙ୍କୁ ତନୟା ଯେମିତି ସାହାଯ୍ୟର ହାତ ବଢାଇଛନ୍ତି ତାହା ନିହାତି ପ୍ରଶଂସା ଯୋଗ୍ୟ ।

 

  • Reported by:
  • Partha Sarathi nayak