• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯେଉଁଠି ମଣିଷ ରହୁଛି, ସେଇଠି ଛେଳି ଶୋଇଛି । ଦିନ ପ୍ରାୟ ୧୨ଟା କି ଗୋଟାଏ ହେବ । ଅଭିଯୋଗ ପାଇବା ପରେ ଆମେ ଯେତେବେଳେ କୋଣାର୍କର ଏକ ଗାଁରେ ପହଞ୍ଚିଥିଲୁ ଯାହା ଦେଖିଥିଲୁ ତାହାକୁ ସହଜରେ ବିଶ୍ୱାସ କରିପାରିନଥିଲୁ । କାରଣ ଘରେ ପଶୁପଶୁ ମୁଣ୍ଡ ବାଜିଥିଲା...ଆଉ ନଇଁ ନଇଁ ଆମେ ଯେବେ ଘରେ ଏଣ୍ଟ୍ରି କରିଥିଲୁ । ଯାହା ଦେଖିଥିଲୁ ତାହା ଆମକୁ ବିଚଳିତ କରିଥିଲା...ମନକୁ ଆନ୍ଦୋଳିତ କରିଥିଲା । ଆଉ ମନରେ ପ୍ରଶ୍ନ ବି ଆସିଥିଲା । ସରକାର କହୁଛନ୍ତି ସମସ୍ତଙ୍କୁ ମିଳୁଛି ପକ୍କାଘର, ହେଲେ ସେମାନେ କାହିଁକି ପାଇନାହାନ୍ତି ଘର ?

ପୁରୀ ନିମାପଡା ବ୍ଲକ୍‌ ମିଟେଇପୁର ପଂଚାୟତ କଦଳୀବାଡ଼ି ଗାଁର ମିନି ଦାଶ । ଘରର ଅବସ୍ଥା ବିଷୟରେ ବଖାଣିବାର କୌଣସି ଆବଶ୍ୟକତା ନାହିଁ । ଘର ତ ନୁହେଁ ବରଂ ଛେଳି ଗୁହାଳ କହିଲେ ଭୁଲ ହେବନି । ଖରାବେଳ ଥିବାରୁ ରୋଷେଇ ପ୍ରସ୍ତୁତି ହେଉଥିଲା । ହେଲେ ଯେଉଁଠି ରୋଷେଇ ହେଉଥିଲା ସେଇଠି ଛେଳି ବନ୍ଧା ହୋଇଥିଲା । ପୁଣି ଏହି ଘରେ ଦୁଇ ପୁଅ, ବୋହୂ, ନାତି ନାତୁଣୀଙ୍କ ସହ ରହୁଛନ୍ତି ପୂରା ପରିବାର ।

 

ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍‌ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍‌ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।

କେବଳ ମିନିଙ୍କ ପରିବାର ନୁହନ୍ତି । ନିମାପଡା ବ୍ଲକ ଉଛୁପୁର ପଂଚାୟତ ବରିହା ଗାଁର ଘନଶ୍ୟାମଙ୍କ ଦାସଙ୍କ ପରିବାରକୁ ଯେକେହି ଦେଖିବ ଆଖୁରେ ଲୁହ ଆସିଯିବ । ଫୋନି ବାତ୍ୟାରେ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏବେ ଭଙ୍ଗା ଘରେ ମାନସିକ ଅନଗ୍ରସର ପୁଅକୁ ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ପୁଅକୁ ନା ଭତ୍ତା ମିଳୁଛି ନା ମୁଣ୍ଡ ଗେଂଜିବାକୁ ଘର ମିଳୁଛି । ବିଡିଓ କବୁଛନ୍ତି ଖୁବଶୀଘ୍ର ତାଙ୍କୁ ମିଳିବ ଘର ।  ପ୍ରତି ପରିବାରକୁ ଘର ମିଳିବା ନେଇ ବାରମ୍ବାର ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଘର କାହାକୁ ମିଳୁଛି? କେତେ କଷ୍ଟରେ ରହୁଛନ୍ତି ଲୋକେ ? ସେ ଦୃଶ୍ୟ ଏହି ଘଟଣାରୁ ସ୍ପଷ୍ଟ ।

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)