• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାତ୍ର ୪ ଦିନ ପାଇଁ ସେ ଦୁନିଆକୁ ଆସିଥିଲା । ଆଉ ତାରି ଭିତରେ ଏମିତି ମହତ କାମ କରିଗଲା ଯେ, ତା ମହାନତାକୁ ମନେ ପକାଉଛି ସାରା ଦେଶ । ଗୁଜରାଟ ସୁରଟ ସହରର ଦମ୍ପତି ହର୍ଷଦ ସଂଘାଣି ଓ ଚେତନା ସଂଙ୍ଘାଣି । ଗତ ୧୩ ତାରିଖରେ ଏମାନଙ୍କ କୋଳକୁ ଆସିଥିଲା ଏକ ପୁତ୍ର ସନ୍ତାନ । ତେବେ ଦୁର୍ଭାଗ୍ୟ, ହସ୍ପିଟାଲରେ ଜନ୍ମ ହେବା ପରେ ଶିଶୁଟି କାନ୍ଦି ନଥିଲା । ପରେ ପତିପତ୍ନୀ ତାକୁ ଏକ ସ୍ୱତନ୍ତ୍ର ଚାଇଲଡ୍ କେୟାର ହସ୍ପିଟାଲକୁ ନେଇଥିଲେ ।

ସେଠାରେ ଡାକ୍ତର ଶିଶୁଟିକୁ ଆଇସିୟୁରେ ୩ରୁ ୪ ଦିନ ଅବଜର୍ଭେସନରେ ରଖିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ବି ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥଲା। ପରେ ଡାକ୍ତର ତାକୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ସଂଘାଣି ଦମ୍ପତିଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା । ହେଲେ ସେମାନଙ୍କ ଜୀବନର ଆସିଥିବା ଏ ଦାରୁଣ ଦୁଃଖକୁ ଖାଲି ମଥାପାତି ସହିଯାଇନଥିଲେ, ବରଂ ସେମାନଙ୍କ ସ୍ନେହ ଓ ପ୍ରେମର ଦ୍ୱିତୀୟ ସନ୍ତକର ସ୍ମୃତି କେମିତି ସବୁଦିନ ବଞ୍ଚିରହିବ, ସେଥିପାଇଁ ଅଙ୍ଗଦାନର ମହତ ନିଷ୍ପତ୍ତି ନେଇଥିଲେ ।

ସନ୍ତାନ ହରାଇବାର ଗଭୀର ମାନସିକ ଆଘାତ ଭିତରେ ଅନ୍ୟ କାହାର ଜୀବନ ବଞ୍ଚାଇବାର ମହାନତା ଦେଖାଇଥିବା ଏ ଦମ୍ପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି  ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲା ସୁରତର ଜୀବନଦୀପ ଅଙ୍ଗଦାନ ସଂସ୍ଥା । ସୁରତର ଏକ ଘରୋଇ ହସ୍ପିଟାଲରେ ଏ ୪ ଦିନର ଶିଶୁଟି ଦୁଇ ଆଖି, ଦୁଇ କିଡନୀ, ଲିଭର ଓ ସ୍ପ୍ଲିନ୍ ବା ପ୍ଲିହା ଦାନ କରିବା ପରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା ।

ଆଉ ଏପଟେ ତାର ମହତ ଦାନ ୬ ଜଣ ଶିଶୁଙ୍କୁ ଦେଇଥିଲା ନୂଆ ଜୀବନ। ହସ୍ପିଟାଲରେ ଅଙ୍ଗଦାନ ଭିତରେ ସଂଘାଣି ଦମ୍ପତି ଓ ସେମାନଙ୍କ ପରିବାର ଲୋକଙ୍କ ପ୍ରତି ମେଡିକାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀ ଓ ଅଙ୍ଗ ପ୍ରତ୍ୟାରୋପଣ ଅପେକ୍ଷାରେ ଥିବା ଶିଶୁଙ୍କ ପରିବାର ଲୋକଙ୍କ ପକ୍ଷରୁ ଝରି ପଡ଼ିଥିଲା ଆଶୀର୍ବାଦର ବର୍ଷା । ଆଉ ଏପଟେ ଗୋଲାପ ଫୁଲର ପାଖୁଡ଼ା ଓ ଜାତୀୟ ପତାକା ମାଧ୍ୟମରେ ଦିବଂଗତ ଶିଶୁଟି ପ୍ରତି ସମ୍ମାନ ଜଣାଇବା ସହ ସାବାସି ଓ ସାଧୁବାଦ ଦେବାକୁ ଭାଷା ପାଉନଥିଲେ ଉପସ୍ଥିତ ଲୋକେ ।

(ରିପୋର୍ଟ- ସୁରତରୁ ଶୈଳେଶ ଚମ୍ପାନେରିଆ)