ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Monkey pox

ମାନବସମାଜ ସାମ୍ନାରେ ଆଉ ଏକ ବଡ଼ ବିପଦ । କୋଭିଡ ପରି ଭୟଙ୍କର ଆଉ ଏକ ଭାଇରସକୁ ନେଇ ଆତଙ୍କିତ ବିଶ୍ୱ । ଚିନ୍ତା ବଢ଼ାଇଲାଣି ମଙ୍କି ପକ୍ସ ଭାଇରସ୍ ବା M-ପକ୍ସ (MPOX) । ବିଶ୍ୱବ୍ୟାପୀ ଏଥିରେ ଅନେକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଭାରତରେ ମଧ୍ୟ ଏହି ଭାଇରସର ଲକ୍ଷଣ ଥିବା ରୋଗୀଙ୍କୁ ପୃଥକ ୱାର୍ଡରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍କି ପକ୍ସ ଭାଇରସ୍ ଲୋକଙ୍କୁ ଶିକାର କରିବାରେ ଲାଗିଛି । ସାରା ବିଶ୍ୱରେ ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ବିଶ୍ୱବ୍ୟାପୀ ଅନେକ ଲୋକେ ଏଯାବତ ପୀଡିତ ହୋଇସାରିଲେଣି ।

ଏହି ଭାଇରସ କିପରି ବ୍ୟାପୁଛି, ଏହାକୁ ନେଇ ମଧ୍ୟ ଲୋକେ ଚିନ୍ତାରେ ରହିଛନ୍ତି । କୋଭିଡ୍ ପରି ପବନ ମାଧ୍ୟମରେ ଏହା ଲୋକଙ୍କୁ ପ୍ରଭାବିତ କରିଥାଏ ନା ଏହି ଭାଇରସ ଆକ୍ରମଣର ଅନ୍ୟ କୌଣସି କାରଣ ରହିଛି । ମଙ୍କିପକ୍ସ ବା ଏମପକ୍ସ ଏକ ଭାଇରାଲ ଜେନେଟିକ୍ ରୋଗ । ଏହା ମଧ୍ୟ ଓ ପଶ୍ଚିମ ଆଫ୍ରିକାର ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏହି ସମୟ ମଧ୍ୟରେ ୧୪ହଜାରରୁ ଅଧିକ ମାମଲା ମିଳିସାରିଛି । ଏଥିମଧ୍ୟରୁ ୫୦୦ରୁ ଅଧିକ ଜଣଙ୍କ ଜୀବନ ମଧ୍ୟ ଯାଇସାରିଲାଣି । ସ୍ଥିତିର ଗମ୍ଭୀରତାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହାକୁ ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିଛି । 

ଅଧିକ ପଢ଼ନ୍ତୁ: କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ମଙ୍କି ପକ୍ସ କ'ଣ ?

ମଙ୍କିପକ୍ସ ରୋଗ ମଙ୍କିପକ୍ସ ଭାଇରସ ସଂକ୍ରମଣ ଦ୍ୱାରା  ହୋଇଥାଏ । ଏହା ଅର୍ଥୋପୋକ୍ସଭାଇରସ ଜେନସର ସଦସ୍ୟ ଅଟେ । ଏଥିରେ ସ୍ମଲପକ୍ସ ମଧ୍ୟ ସାମିଲ । ବର୍ଷ ୧୯୫୮ରେ ମାଙ୍କଡ଼ମାନଙ୍କ ଶରୀରରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ଏଥିପାଇଁ ଏହାର ନାମ ମଙ୍କିପକ୍ସ ରଖାଯାଇଛି । ମଣିଷ ଦେହରେ ପ୍ରଥମ ସଂକ୍ରମଣର ଘଟଣା ୧୯୭୦ରେ କାଙ୍ଗୋରେ ଦେଖାଯାଇଥିଲା । 

ମଙ୍କିପକ୍ସ ଭାଇରସ ମୁଖ୍ୟତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକୀୟ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ମୂଷା ଓ ମାଙ୍କଡ଼ ପରି ସଂକ୍ରମିତ ପଶୁ ସଂପର୍କରେ ଆସିଲେ ମଣିଷଙ୍କ ମଧ୍ୟରେ ଏହା ବ୍ୟାପିଥାଏ । ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣଙ୍କୁ ଏହି ସଂକ୍ରମଣ ଅତି ଶୀଘ୍ର ବ୍ୟାପିଥାଏ । ବର୍ତ୍ତମାନ କାଙ୍ଗୋରେ ମଙ୍କିପକ୍ସ ଭାଇରସ କ୍ଲେଡ୍ ୧ବି ଷ୍ଟ୍ରେନ୍ ଲୋକଙ୍କୁ ସଂକ୍ରମିତ କରୁଛି । 

କେମିତି ବ୍ୟାପେ ମଙ୍କିପକ୍ସ ?

ମଙ୍କିପକ୍ସ ଭାଇରସ୍ କୋଭିଡ୍ ୧୯ ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତ ଅନୁସାରେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିପାରେ । ସଂକ୍ରମିତ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେଲେ, ପାଖରେ ବସିଲେ କିମ୍ବା ଯୌନ ସଂପର୍କ ରଖିଲେ ମଧ୍ୟ ଶରୀରରେ ପ୍ରବେଶ କରିଯାଇଥାଏ । ଏଥିସହ ପାଖରେ ବସିବା ସମୟରେ ଆଖି, ନିଶ୍ୱାସ ପ୍ରଶ୍ୱାସ, ନାକ ଓ ମୁହଁରୁ ମଧ୍ୟ ଏହି ଭାଇରସ ଶରୀରକୁ ଯାଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ମଙ୍କି ପକ୍ସରେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସାମଗ୍ରୀ ଯେମିତିକି ତକିଆ, କମ୍ବଳ, ଚାଦର ଓ ରୁମାଲ-ଟାୱେଲ୍ ଆଦି ପ୍ରୟୋଗ କରିବା ଦ୍ୱାରା ମଧ୍ୟ ଏହି ଘାତକ ଭାଇରସ ସଂପର୍କରେ ଆସିବାର ସମ୍ଭାବନା ରହିଛି । ଗର୍ଭବତୀ ମହିଳାଙ୍କୁ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି ।

ମଙ୍କିପକ୍ସର ଲକ୍ଷଣ

ମଙ୍କିପକ୍ସ ସଂକ୍ରମଣ ହେଲେ ପ୍ରଥମେ ଜ୍ୱର ହୋଇଥାଏ । ଏହା ସାଙ୍ଗକୁ ମୁଣ୍ଡବିନ୍ଧା, ମାଂଶପେଶୀରେ ଯନ୍ତ୍ରଣା ଓ ପିଠିରେ ଯନ୍ତ୍ରଣା ହୋଇଥାଏ । କେବଳ ଏତିକି ନୁହେଁ, ଶରୀରରେ ଥିବା ଶୀରା ପ୍ରଶିରା ଫୁଲିବା ସହ ଫୋଟକା ଭଳି ଦେଖାଯାଏ । ତେବେ ଚିକେନପକ୍ସ ରୋଗୀଙ୍କ ଠାରେ ଏହି ଲିମ୍ଫ୍ ନୋଡ ଫୁଲିବା ଦେଖାଯାଏ ନାହିଁ । କିଛି ଦିନ ପରେ ରୋଗୀର ଶରୀରରେ ଫୋଟକା ଭଳି ଦେଖାଯାଏ । ପ୍ରଥମେ ଏହା ମୁହଁରୁ ଆରମ୍ଭ ହୁଏ ଓ ପରେ ଶରୀରର ଅନ୍ୟ ଭାଗରେ ମାଡ଼ିଯାଇଥାଏ । ପରେ ଫୋଟକା ଗୁଡ଼ିକ ତରଳ ପଦାର୍ଥରେ ଭରି ଯାଇଥାଏ ।

ମୁକାବିଲା ପ୍ରସ୍ତୁତି

ଘାତକ ସାଜିଥିବା ମଙ୍କିପକ୍ସ ମୁକାବିଲା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ସବୁ ବିମାନ ବନ୍ଦରକୁ ଆଲର୍ଟ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି । ବାଂଲାଦେଶ ଏବଂ ପାକିସ୍ତାନ ସୀମାନ୍ତରେ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି । ଯାତ୍ରୀଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମଙ୍କିପକ୍ସ ଚିକିତ୍ସା ପାଇଁ ରହିଥିବା ସ୍ୱତନ୍ତ୍ର ୩ଟି ହସପିଟାଲରେ ରୋଗୀଙ୍କ ସଙ୍ଗରୋଧ ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ମଙ୍କିପକ୍ସ ପରୀକ୍ଷା ପାଇଁ ଦେଶର ୩୨ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ମଙ୍କିପକ୍ସର ମୁକାବିଲା, ପ୍ରସ୍ତୁତି ଏବଂ ଚିକିତ୍ସା ନେଇ ପ୍ରଧାମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି ।

ଅଧିକ ପଢ଼ନ୍ତୁ: ସର୍ଭେରେ ଆସିଲା ଚିନ୍ତାଜନକ ରିପୋର୍ଟ; ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା...