Advertisment

ଆପଣ ଅଧିକ ଜାମୁକୋଳି ଖାଇବାକୁ ଭଲ ପାଆନ୍ତି କି… ଜାଣି ରଖନ୍ତୁ କେତୋଟି ଦରକାରୀ କଥା

ବର୍ଷାଦିନିଆ କୋଳି ମଧ୍ୟରେ ଜାମୁକୋଳିର ସ୍ୱାଦ ନିଆରା। ଏହାକୁ ବିଭିନ୍ନ ଉପାୟରେ ଖିଆଯାଏ। ଏଥିରୁ ଅନେକ ପୋଷକତତ୍ତ୍ୱ ମଧ୍ୟ ମିଳେ, ଯାହା ଆମ ଶରୀର ପାଇଁ ବହୁ ଦରକାରୀ। ତେବେ ଏହାକୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଆସିଥାଏ ଏହି ସମସ୍ୟା।

ଅଦ୍ୟତନ ହୋଇଛି
This problem comes from consuming more jamun than needed

This problem comes from consuming more jamun than needed

Advertisment

ଆପଣଙ୍କ ମଧ୍ୟରୁ ଯେଉଁମାନେ ଗାଁରେ ରହୁଛନ୍ତି କିମ୍ୱା ବର୍ଷାଋତୁର ଆରମ୍ଭରେ ଗାଁକୁ ବୁଲିବାକୁ ଯାଇଛନ୍ତି ସେମାନେ ଗାଁ ବିଲମାଳ ମଝିରେ କିମ୍ୱା କାହା ବାଡ଼ିରେ ଅଥବା ଗାଁ ଶେଷ ବଣରେ ଜାମୁକୋଳି ଗଛରୁ ପିଲାମାନେ ଜାମୁକୋଳି ତୋଳି ଖାଉଥିବାର ଦେଖିଥିବେ। ଆଜିକାଲି ଏହା ସହରରେ ମଧ୍ୟ ବିକ୍ରି ହେଉଛି।

Advertisment

ତେବେ କିଛି ବାପାମାଆ ପିଲାମାନଙ୍କୁ ଏହା ଖାଇବାକୁ ମନା ମଧ୍ୟ କରିଥାଆନ୍ତି। ମୋର ମନେ ଅଛି ମତେ ବି ମୋ ଗୁରୁଜନ ମାନେ ଗାଁକୁ ଗଲାବେଳେ ବେଶି ଜାମୁକୋଳି ନ ଖାଇବାକୁ କହୁଥିଲେ। କାହିଁକି ପଚାରିବାରୁ ସେମାନେ କୁହନ୍ତି ବେଶି ଜାମୁକୋଳି ଖାଇଲେ ଥଣ୍ଡା ହେବ ଓ ଆଖି ଧରିବ। ଆପଣ ବି କେବେ ଏମିତି ଶୁଣିଛନ୍ତି କି? ଆସନ୍ତୁ ଆଜି ଏ ବିଷୟରେ ଜାଣିନେବା।

ଜାମୁକୋଳି ସାଧାରଣତଃ ବର୍ଷା ଆରମ୍ଭ ହେବା ବେଳେ ଫଳିବା ଆରମ୍ଭ କରେ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ବିଭିନ୍ନ ପୋଷକତତ୍ତ୍ୱ ଯେପରିକି ଆଣ୍ଟିଅକ୍ସିଡାଣ୍ଟ, ଫ୍ଲାବନଏଡ୍, ମ୍ୟାଗ୍ନେସିୟମ୍, ନିଆସିନ୍, ଫଲିକ୍ ଏସିଡ୍, ଫାଇବର୍, ପୁଷ୍ଟିସାର ଓ ସ୍ନେହସାର ଆଦିରେ ଭରପୂର ହୋଇଥାଏ। ଆୟୁର୍ବେଦରେ ଏହା ଅନେକ ବର୍ଷ ତଳୁ ବ୍ୟବହାର ହେଉଥିବା ଏକ ଉପାଦେୟ ଔଷଧ। ଏହା ହୃଦ୍‌ରୋଗ, ଆଜ୍‌ମା, କମ୍ ହିମୋଗ୍ଲୋବିନ୍, ଡାଇବେଟିସ୍ ଆଦିକୁ ଆଶାତୀତ ଭାବେ ନିୟନ୍ତ୍ରଣରେ ରଖେ।

Advertisment

ଜାମୁକୋଳି ଭିଟାମିନ୍ ସି’ରେ ଭରିରହିଥିବାରୁ ଶରୀରରେ ଫଲିକ୍ ଏସିଡ୍‌କୁ ଶୋଷଣ କରୁଥିବା ଲୌହ ବୃଦ୍ଧି କରିଥାଏ। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଶର୍କରା ଧାରଣ କ୍ଷମତା ଖୁବ୍ କମ୍ ହୋଇଥିବାରୁ ଏହା ଡାଇବେଟିସ୍ ରୋଗୀମାନଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଥାଏ। ଏହା ଫାଇବରରେ ଭରପୂର ଥିବାରୁ ମୋଟାପଣ କମେଇବା ଖାଦ୍ୟ ମଧ୍ୟରେ ଏହା ସାମିଲ ହେଇପାରିବ।

ଏହା ଆନ୍ଥୋସିଆନିନ୍ ଓ ଏଲାଜିକ୍ ଏସିଡ୍ ପରି ପୋଷକ ଧାରଣ କରେ ଯାହା ଛାତିରେ ଜ୍ୱଳନ ବା ପେଟରେ ଏସିଡ୍ ହେବା ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଫ୍ଲାବୋନଏଡ୍ ଶରୀରର ଆଲର୍ଜି ବିରୋଧୀ ଉପାଦାନଗୁଡ଼ିକୁ ବଢ଼ାଇଥାଏ। ଏହା ହେମୋଗ୍ଲାବିନ୍ ବଢ଼ାଇବାରେ କାର୍ଯ୍ୟକ୍ଷମ ଥିବାରୁ ଆନିମିଆ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ।

Advertisment

ଏହିସବୁ ସ୍ୱାସ୍ଥ୍ୟ ଉପକାରିତା ଥିବା ସତ୍ତ୍ୱେ ଏହାକୁ ଅଧିକ ଖାଇବା ଦ୍ୱାରା କିଛି ଶାରିରିକ ଅସୁବିଧା ମଧ୍ୟ ହୋଇଥାଏ। ଏହାର ଶର୍କରା ଧାରଣ କ୍ଷମତା କମ୍ ଥିବାରୁ ଏହା କମ୍ ଶର୍କରା ଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ହୋଇ ନଥାଏ। ଏଥିରେ ଅକ୍ଜାଲେଟ୍ ନାମକ ଏକ ଯୌଗିକ ଥାଏ ଯାହା ଶରୀରରେ କ୍ୟାଲସିୟମ୍ ସହ ମିଶି କିଡ୍‌ନିରେ ଷ୍ଟୋନ୍ ତିଆରି କରିବାରେ କାମ କରେ।

ଏହା ଅମ୍ଲୀୟ ପ୍ରକୃତିର ହୋଇଥିବାରୁ ଆମ ଦାନ୍ତର ଉପର ସ୍ତରରେ ଥିବା ଏନାମେଲ୍‌ ଉପରେ ପ୍ରଭାବ ପକାଏ ଓ ଏହାକୁ କ୍ଷୟ କରିଦେଇଥାଏ। ସୁତରାଂ ଯାହାକୁ ଆମେ ବିଭିନ୍ନ ରୋଗ ଉପଶମ ପାଇଁ ବ୍ୟବହାର କରୁ ତାହା ଏକ ନିର୍ଦ୍ଦିଷ୍ଟ ପରିମାଣରେ ନେବା ଠିକ୍ ହୋଇଥାଏ। ଏହାର ଅତ୍ୟଧିକ ପରିମାଣ ଶରୀରରେ ଓଲଟା ପ୍ରଭାବ ପକାଇବା ଆରମ୍ଭ କରେ।

ଜାମୁକୋଳି ଏକ ଋତୁ ଅନୁଯାୟୀ ହେଉଥିବା କୋଳି ହେଇଥିବାରୁ ଏହାକୁ ଖାଇବା ଆବଶ୍ୟକ ହୋଇଥାଏ। ଗବେଷଣାରୁ ଜଣାଯାଇଛି ଯେ କୌଣସି ପ୍ରକାର ଶାରୀରିକ ସମସ୍ୟା ନଥିବା ବ୍ୟକ୍ତି ଦିନକୁ ୧୦୦ଗ୍ରାମ ଜାମୁକୋଳି ଖାଇପାରିବ। ଏହା ଅମ୍ଲୀୟ ସ୍ୱଭାବର ହୋଇଥିବାରୁ ଏହାକୁ ସକାଳେ କିମ୍ୱା ଖାଲି ପେଟରେ ଖାଇବା ଅନୁଚିତ।

ଜାମୁକୋଳିର ରେସିପି:

ସହଜରେ ବନେଇ ପାରୁଥିବା କିଛି ଜାମୁକୋଳିର ରେସିପି ବିଷୟରେ ଆସନ୍ତୁ ଜାଣିନେବା।

  • ଜାମୁକୋଳିରୁ ଜୁସ୍ ବାହାର କରି ଏଥିରେ ଟିକିଏ ଗୁଡ଼ ଓ କଳା ଲୁଣ ମିଶାଇ ପିଇପାରିବେ
  • ଜାମୁକୋଳିର ଶସ ବାହାର କରି ଏଥିରେ ଚିଆ ସିଡ୍, ନଡ଼ିଆ କ୍ଷୀର ଓ ଡ୍ରାଏ ଫ୍ରୁଟ୍‌ସ୍ ପକାଇ ପୁଡ଼ିଙ୍ଗ୍ ପ୍ରସ୍ତୁତ କରି ଖାଇପାରିବେ

ସାଧାରଣ କୋଳି ପରି ଖିଆଯାଉଥିବା ଜାମୁକୁ ଏତେ ପ୍ରକାର ପ୍ରସ୍ତୁତ କରି ସୁସ୍ୱାଦୁ କରି ଖାଇହେବ। ହେଲେ ସର୍ବଦା ଆବଶ୍ୟକ ମୁତାବକ ଏହାକୁ ଖାଇଲେ ଏହାର ଗୁରୁତ୍ୱପୂର୍ଣ୍ଣ ଶାରୀରିକ ଲାଭଗୁଡ଼ିକ ଆମକୁ ମିଳିପାରିବ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Jamun Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ