ଆଜି ଇଣ୍ଟରନ୍ୟାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ। ପଲିଥିନ୍ ବ୍ୟାଗ ମୁକ୍ତ ଦିବସ। ହେଲେ ଆମର ନିତିଦିନିଆ ଅଭ୍ୟାସ ଏମିତି ହୋଇଗଲାଣି ଯେ, ସତେ ଯେମିତି ପ୍ଲାଷ୍ଟିକ ବ୍ୟାଗ୍ ବିନା ବଂଚିବା କଷ୍ଟକର। ଆଉ ଏହା ବି ସତ ଯେ, ଏହି ପ୍ଲାଷ୍ଟିକ ବ୍ୟାଗ ହିଁ ନାନା ରୋଗର ସାଜିଛି କାରଣ। ପରିବେଶ ବି ପ୍ରଦୂଷଣ କରୁଛି। ପଲିଥିନ୍ ବନ୍ଦ କରିବାକୁ ଆଇନ ଅଛି, ହେଲେ ଦୃଢ ଭାବେ କାର୍ଯ୍ୟକାରୀ ହେଉନି। ଫ୍ୟାକ୍ଟ୍ରିରେ ବେଧଡକ ପଲିଥିନ୍ ତିଆରି ହେଉଛି, ବଜାରକୁ ବି ଆସୁଛି, ଏଭଳି ସ୍ଥିତିରେ ପଲିଥିନ୍ ବନ୍ଦ କରିବ କିଏ। ସେପଟେ ପଲିଥିନ୍ ବନ୍ଦ କରିବାକୁ ସରକାର ପେପର ବ୍ୟାଗ୍ ଉପରେ ଗୁରୁତ୍ବ ଦେଇଥିଲେ, ହେଲେ ଏବେ ତା ପ୍ରତି ବି ଯେମିତି ଆଖି ବୁଜି ଦେଇଛନ୍ତି।
ପଲିଥିନରେ ଖାଦ୍ୟ.. ପଲିଥିନରେ ଔଷଧ। ପ୍ରସାଦ ହେଉ କି ପନିପରିବା, ସବୁକିଛି ବେଧଡକ ବୁହା ହେଉଛି ପଲିଥିନରେ। ରାଜଧାନୀ ରସୁଲଗଡରେ ଥିବା କୋଚିଲେଇ ହାଟରେ ସକାଳୁ ରାତି ଯାଏଁ ଏଠି ବଜାର ବସୁଛି, ଆଉ ଖୁଲମଖୁଲା ଚାଲିଛି ପଲିଥିନର ବ୍ୟବହାର। ଆଉ ଏ ହେଉଛି, ବ୍ୟବହାର ପରେ ପଲିଥିନର ଚିତ୍ର। ଯେଉଁ ଆଡେ ଅନାଇବେ ସବୁଠି କୁଢ କୁଢ ଗଦା ହୋଇଛି। ଏହି ସିଙ୍ଗିଲ ୟୁଜଡ୍ ପ୍ଲାଷ୍ଟିକ ବ୍ୟାଗ୍ ନା ମାଟିରେ ମିଶୁଛି ନା ପାଣିରେ ମିଳାଉଛି। ବର୍ଷ ବର୍ଷ ଧରି ମାଟିରେ ପଡ଼ି ରହିଲେ ବି ନଷ୍ଟ ହେଉନି। ଆଉ, ସବୁ ଜାଣି ଅଜଣା ଜନତା।
ସିଲଭରସିଟି କଟକରେ ବି ସମାନ ସ୍ଥିତି। ପଲିଥିନମୟ ସହର। ଦୋକାନରେ ଡାଲି, ଚାଉଳ କିଣିଲେ ପଲିଥିନ୍, ଖାଦ୍ୟ ପଦାର୍ଥ ବି ପ୍ୟାକ୍ ହୋଇଛି ପଲିଥିନରେ। ନା ଦୋକାନୀ ବନ୍ଦ କରୁଛନ୍ତି ନା ଗ୍ରାହକ ଛାଡିପାରୁଛନ୍ତି। ନିତିଦିନିଆ ଅଭ୍ୟାସ ପାଲଟିଗଲାଣି ପଲିଥିନ୍ ଜରି। ଯେପରିକି ତା ବିନା ଚଳିବା ବି ମୁସ୍କିଲ ସମସ୍ତଙ୍କ ପାଇଁ। ଦୋକାନୀ କହିଛନ୍ତି, ମୂଳରୁ ଯଦି ଉତ୍ପାଦନ ନହେବ, ବଜାରକୁ ଆସିବ କେମିତି।
ଏକକ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। କଡ଼ା ଆଇନ ବି ଆଣିଛନ୍ତି। ବ୍ୟବସାୟୀ ହୁଅନ୍ତୁ କି ବ୍ୟବହାରକାରୀ, ଯାହା ହାତରେ ପଲିଥିନ ଥିବ ୫ଶହରୁ ୫ହଜାର ଯାଏଁ ଜୋରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ପଲିଥିନ୍ ବ୍ୟବହାର ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ ହେଉଛି, ହେଲେ ପରେ ଯଥା ପୂର୍ବଂ ତଥା ପରଂ। ସେପଟେ ରାଜ୍ୟ ସରକାର ଆଇନ ଆଣିବା ପରେ ପେପର ବ୍ୟାଗ ଶିଳ୍ପ ବହୁମାତ୍ରାରେ ଗଢି ଉଠିଥିଲା। ହେଲେ ନିୟମ ଦୃଢ ଭାବେ କାର୍ଯ୍ୟକାରୀ ନ ହେବା ଏବଂ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଧିରେ ଧିରେ ବନ୍ଦ ହେବାକୁ ବସିଲାଣି ଏହି ଶିଳ୍ପ। ସିଙ୍ଗିଲ ୟୁଜଡ ପଲିଥିନ୍ ବ୍ୟାଗ ପରିବେଶ ଦୂଷିତ କରିବା ସହ କ୍ୟାନସର ଭଳି ରୋଗର କାରଣ। ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ ବୋଲି ମତ ରଖିଛନ୍ତି ପରିବେଶବିତ୍।