ଜୀବନ ନେଉଛି ଜଳ, ଗୋଳିଆ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ପୂରା ଗାଁ

ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି ।

Water Problem

ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି । ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ୧୦ ବର୍ଷରେ କିଡନୀ ରୋଗରେ ଗଲାଣି ଅନେକ ଲୋକଙ୍କ ଜୀବନ । ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ କାହିଁ କେତେ ଯୋଜନା ।

କିନ୍ତୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତ ଘୋଡାମାରି ଦୁଆରଗାଁ ଲୋକେ ପିଉଛନ୍ତି ବିଷାକ୍ତ ପାନୀୟଜଳ । କୂଅ ନାଳକୂପ ଜଳରେ ଭାସୁଛି ମାତ୍ରାଧିକ ଫ୍ଲୋରାଇଡ । ଏହି ଜଳ ଯୋଗୁଁ ଗାଁରେ ବ୍ୟାପୁଛି ମାରାତ୍ମକ କିଡନୀ ରୋଗ । ଗତ ୧୦ ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗଲାଣି ଅନେକ ଲୋକଙ୍କ ଜୀବନ । କିଛି ରୋଗରେ ପ୍ରାଣ ହରାଇ ସାରିଥିବା ବେଳେ ଆଉ କିଛି ଏବେ ବି ଯନ୍ତ୍ରଣା ଭୋଗୁଛନ୍ତି । କିଡନୀ ରୋଗକୁ ଡରି ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ।

ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଫ୍ଲୋରାଇଡ ପାଣି ବ୍ୟବହାର କରି ଦିନକୁ ଦିନ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତର ଘୋଡାମାରି ଦୁଆର ଗାଁରେ ଦେଖା ଦେଇଛି ଏଭଳି ସମସ୍ୟା । ନଳକୂଅରୁ ଗୋଳିଆ ପାଣି ବାହାରୁଥିଲେ ବି ଲୋକେ ବାଧ୍ୟ ହୋଇ ତାହା ପିଉଛନ୍ତି । କାରଣ, ଶୋଷ ମେଣ୍ଟାଇବାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ନଳକୂପରୁ ବାହାରୁ ଥିବା ବିଷାକ୍ତ ପାଣି ପିଇ ଗାଁର ଅନେକ ଲୋକ କିଡନୀ ରୋଗରେ ପୀଡିତ ହୋଇଛନ୍ତି ।

କିଛି ରୋଗରେ ପ୍ରାଣ ହରାଇ ସାରିଥିବା ବେଳେ ଆଉ କିଛି ଏବେ ବି ଯନ୍ତ୍ରଣା ଭୋଗୁଛନ୍ତି । ଜଳ ସମସ୍ୟା ସମ୍ପର୍କୀତ ଅଭିଯୋଗ ବିଭିନ୍ନ ସରକାରୀ ଅଫିସରେ ଗଡୁଛି, କିନ୍ତୁ ଏମାନଙ୍କ ଦୁଃଖ ଦୂର ହେବାର ନାଁ ଧରୁନି । ଗାଁରେ ପ୍ରାୟ ୨୦୦ରୁ ଅଧିକ ଲୋକ ବସବାସ କରନ୍ତି । ବର୍ତ୍ତମାନ ଗାଁର ବଡ ସମସ୍ୟା କହିଲେ ବିଶୁଦ୍ଧ ପାନୀୟ ଜଳ ।

ଗାଁର ୩ଟି ନଳକୂପରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ୨ଟିରୁ ବାହାରୁଛି ଗୋଳିଆ ଓ ଆଇରନ ମିଶା ପାଣି । ଯାହା ପିଇବା ଅନୁପଯୋଗୀ । ଗ୍ରାମରୁ ୧୦ ବର୍ଷରେ ଅନେକ ଲୋକ କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଫ୍ଲୋରାଇଡ ଯୁକ୍ତ ପାଣି ପିଇବା ଦ୍ୱାରା ଲୋକେ ଅନେକ ସମୟରେ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରୁଛନ୍ତି । ଏହି ପାଣି ବ୍ୟବହାର କରିବା ଦ୍ଵାରା ପ୍ରଥମେ ଦେହ ହାତ ଗୋଡ ମୁଁହ ଫୁଲିବା ସହ ଦେହର ହାଡ଼ ଦୁର୍ବଳ ହେଇଯାଉଛି । ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁ ଠାରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ।

ଲୋକଙ୍କ ଘର ଆଗରେ ଷ୍ଟାଣ୍ଡପୋଷ୍ଟ ବସିଛି । ହେଲେ ଲୋକଙ୍କ ପାଖରେ ପାଣି ଟୋପାଏ ପହଞ୍ଚିପାରିନାହିଁ । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଆଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । କେବେ ଏହାର ସମାଧାନ ହେଉଛି ତାକୁ ହିଁ ଗ୍ରାମବାସୀଙ୍କ ଅପେକ୍ଷା ।