Diet
କିଶୋରାବସ୍ଥାରେ ଝିଅଟିଏ ପିରିୟଡ୍ ବା ଋତୁସ୍ରାବ ସମୟରେ ପେଟବ୍ୟଥା ଅନୁଭବ କରୁଥିବାରୁ ଅଧିକ ଯତ୍ନର ଆବଶ୍ୟକତା ପଡ଼େ। ଏହି ସମୟରେ ପିରିୟଡ୍ ଯୋଗୁଁ ହେଉଥିବା ଯନ୍ତ୍ରଣା ବା କ୍ରାମ୍ପ୍ସ, ମୁଡ୍ ସ୍ୱିଙ୍ଗ୍ସ ବା ମନୋଭାବରେ ପରିବର୍ତ୍ତନ, କ୍ଲାନ୍ତ ଲାଗିବା ପରି ଲକ୍ଷଣରୁ ମୁକ୍ତି ପାଇବାକୁ ଉପଯୁକ୍ତ ଡାଏଟ୍ ଏବଂ ଆରାମ ଜରୁରୀ ହୋଇଥାଏ। ଯଦି ଆପଣ କିମ୍ୱା ଆପଣଙ୍କ ଆଖପାଖରେ କେହି ବି ଝିଅ ଏପରି କଷ୍ଟର ସମ୍ମୁଖୀନ ହେଉଛନ୍ତି ତେବେ ଜାଣନ୍ତୁ କେତୋଟି ଖାଦ୍ୟ ବିଷୟରେ ଯାହା ଏହି ସମୟରେ ସେମାନଙ୍କୁ ଆରାମ ଦେବ ଏବଂ ସୁସ୍ଥ ରଖିବ।
କଣ ଖାଇବା ଉଚିତ୍
୧. ବିଭିନ୍ନ ଫଳ - ଏହି ସମୟରେ ଶରୀରରେ ପ୍ରଚୁର ପରିମାଣର ଜଳୀୟ ଅଂଶ ରହିବା ଦରକାର। ଏଣୁ ଆବଶ୍ୟକ ପରିମାଣର ପାଣି ପିଇବା ସହ ଜଳୀୟ ଅଂଶ ଅଧିକ ଥିବା ଫଳସବୁ ଖାଇବା ଆବଶ୍ୟକ। ତରଭୁଜ, କମଳା, କାକୁ଼ଡ଼ି ଇତ୍ୟାଦି ଫଳ ଓ ସାଲାଡ୍ ଆଦି ଖାଇବା ଆବଶ୍ୟକ। ଏଥିସହିତ ଏହି ଫଳ ସବୁ ଆଇରନ୍ ଓ ଭିଟାମିନ୍ ସି’ରେ ଭରପୂର ଯାହା ଏହି ସମୟରେ ରକ୍ତସ୍ରାବ ଯୋଗୁଁ ଶରୀରର କମ୍ ହିମୋଗ୍ଲୋବିନ୍ ପରିମାଣକୁ ସନ୍ତୁଳିତ ରଖିବ।
୨. ସବୁଜ ପନିପରିବା ଓ ଶାଗ - ସବୁଜ ପନିପରିବା ବିଭିନ୍ନ ମିନେରାଲ୍ରେ ଭରପୂର ଏବଂ ଶାଗରେ ଆଇରନ୍ ପ୍ରଚୁର ପରିମାଣରେ ଥାଏ। ପିରିୟଡ୍ ସମୟରେ ଝିଅମାନଙ୍କ ଶରୀରର ଆଇରନ୍ ପରିମାଣ ସନ୍ତୁଳିତ ରଖିବାରେ ଏହା ଅତ୍ୟନ୍ତ ସାହାଯ୍ୟକାରୀ। ମୁଖ୍ୟତଃ ପାଳଙ୍ଗ ଶାଗ ଭଜା ଓ ଏହାର ରସ ସେବନ ଦ୍ୱାରା ତତ୍କ୍ଷଣାତ୍ ଫଳ ମିଳିଥାଏ।
୩. ଅଦା - ଭାରତୀୟ ମସଲାଗୁଡ଼ିକ ମଧ୍ୟରେ ଅଦାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଆଣ୍ଟି ଇନଫ୍ଲେମେଟୋରୀ ବା ପ୍ରଦାହ-ବିରୋଧୀ ଗୁଣ ପିରିୟଡ୍ ସମୟରେ ଅଳସୁଆ ଲାଗିବା ଓ କ୍ଲାନ୍ତ ଲାଗିବା ପରି ଲକ୍ଷଣରୁ ମୁକ୍ତି ଦିଏ। ଅଦା ପକାଯାଇଥିବା ନାଲି ଚା କିମ୍ୱା ଅଦା ଓ ତୁଳସୀ ଗରମ ପାଣିରେ ଫୁଟାଇ ପିଇବା ଦ୍ୱାରା ଆରାମ ମିଳେ।
୪. ମାଛ - ପିରିୟଡ୍ ସମୟରେ ପ୍ରୋଟିନ୍ ଓ ସ୍ନେହସାରଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ। ମାଛରେ ପ୍ରୋଟିନ୍ ସହ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ ଯାହା ପେଟର ବ୍ୟଥା କମ୍ କରେ। ଏହି ସମୟରେ ୟୁଟ୍ରସ୍ ବା ଗର୍ଭାଶୟରେ ସଂକୋଚନ ଯୋଗୁଁ ଏହି ବ୍ୟଥା ଅନୁଭୂତ ହୁଏ। ତେଲଯୁକ୍ତ ମାଛ ଖାଇବା ଦ୍ୱାରା ଏହି ବ୍ୟଥା ଜନିତ ମାନସିକ ଚାପ ମଧ୍ୟ କମ୍ ହୋଇଥାଏ।
୫. ଡାର୍କ ଚକୋଲେଟ୍ - ଆମେ ସାଧାରଣତଃ ଖାଉଥିବା ଚକୋଲେଟ୍ରେ ସୁଗାର ବା ଚିନି ଅଂଶ ଅଧିକ ଥାଏ। ଡାର୍କ ଚକୋଲେଟ୍ରେ କୋକୋଆ ଅଂଶ ଅଧିକ ଥାଏ ଯାହା ମ୍ୟାଗ୍ନେସିୟମ୍ ଅଭାବ ଦୂର କରେ। ଶରୀରରେ ମ୍ୟାଗ୍ନେୟିୟମ୍ ଅଭାବ ଥିଲେ ପିରିୟଡ୍ ସମୟରେ ଅସୁବିଧା ବା PMS (Pre-Menstrual Symptoms) ଦେଖାଯାଏ। ଏଣୁ ବଜାରରେ ମିଳୁଥିବା ୫୦ ପ୍ରତିଶତରୁ ଅଧିକ ଥିବା ଡାର୍କ ଚକୋଲେଟ୍ ଖାଇଲେ ଆପଣଙ୍କୁ ଆରାମ ମିଳିବ।
୬. ବିଭିନ୍ନ ମଞ୍ଜି - ଡ୍ରାଏ ଫ୍ରୁଟ୍ ଓ ନଟ୍ସ ବା ମଞ୍ଜି ମ୍ୟାଗ୍ନେସିୟମ୍, ଭିଟାମିନ୍ ଡି ଏବଂ ଆଇରନ୍ ପରି ମିନେରାଲ୍ସର ଉତ୍ସ। ଶରୀରରକୁ ଋତୁସ୍ରାବ ସମୟରେ ଦରକାର ହେଉଥିବା ମିନେରାଲ୍ସର ଅଭାବ ପୂରା କରିବା ସହ ଆପଣଙ୍କୁ ସତେଜ ରଖିବା ବିଭିନ୍ନ ମଞ୍ଜି ଓ ଡ୍ରାଏ ଫ୍ରୁଚ୍ସ। ଆଲମଣ୍ଡ, ଫ୍ଲାକ୍ସସିଡ୍(ପେଶୀ), ରାଶି ଲଡୁ, ବାଦାମ ଲଡ଼ୁ ପରି ଖାଦ୍ୟ ଏଥିପାଇଁ ଉପଯୁକ୍ତ।
କଣ ଖାଇବା ନାହିଁ
୧. ଅତ୍ୟଧିକ ମିଠା ବା ସୁଗାର୍ - ଏହି ସମୟରେ ଅତ୍ୟଧିକ ପରିମାଣର ଚିନି କିମ୍ୱା କୌଣସି ପ୍ରକାରର ମିଠା ସେବନ ଆପଣଙ୍କ ଶରୀରର ଏନର୍ଜି ସ୍ତରକୁ କମ୍ କରିଚାଲିବ। ଏହା ଦ୍ୱାରା ମାନସିକ ଦ୍ୱନ୍ଦ୍ୱ, କ୍ଲାନ୍ତି, ମୁଡ୍ ସ୍ୱିଂ ଆଦି ଦେଖାଯିବ।
୨. ଲୁଣିଖାଦ୍ୟ - ଆମ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଲୁଣର ପରିମାଣ ଆମ ଶରୀର ପାଇଁ ଉପଯୁକ୍ତ। ହେଲେ ବେଳେବେଳେ ଆମେ ପ୍ୟାକେଟରେ ଥିବା ଖାଦ୍ୟ ଯେପରିକି ସ୍ନାକ୍ସ, କୁରକୁରେ, ଲେଜ୍, ଭୁଜିଆ ଆଦି ଖାଇବା
ସମୟରେ ଆମ ଅଜାଣତରେ ଅତ୍ୟଧିକ ପରିମାଣର ଲୁଣ ସେବନ କରୁ। ଏଣୁ ପିରିୟଡ୍ ସମୟରେ ବ୍ଲୋଟିଂ ବା ଗ୍ଲାସ୍ ସମସ୍ୟା, ବଦହଜମି ଆଦିରୁ ମୁକ୍ତି ପାଇଁ ଲୁଣି ଖାଦ୍ୟରୁ ଦୂରେଇ ରୁହନ୍ତୁ।
୩. କଫି - କଫି ନାଁ ଶୁଣି ଆପଣ ଭାବୁଥିବେ ଯେ ଏହା ପିଇବାରେ କଣ ଅସୁବିଧା ହୋଇପାରେ। ହେଲେ କଫିରେ ଥିବା କ୍ୟାଫେନ୍ ନାମକ ପଦାର୍ଥ ଏହି ସମୟରେ ମାନସିକ ସ୍ୱାସ୍ଥ୍ୟର ଅବନ୍ନତି, ଶାରୀରିକ କ୍ଲାନ୍ତି, ମୁଣ୍ଡବିନ୍ଧା ନିଦ ଲାଗିବା
ପରି ସମସ୍ୟା ଡାକିଆଣେ। ଏଣୁ ଯେତେସମ୍ଭବ କମ୍ କଫି ପିଅନ୍ତୁ।
୪. ମସଲାଯୁକ୍ତ ଖାଦ୍ୟ - ମସଲାଯୁକ୍ତ ଖାଦ୍ୟ ଶରୀରରେ ପ୍ରକ୍ରିୟାକରଣ ହେବାକୁ ସମୟ ନିଏ। ପିରିୟଡ୍ ବା ଋତୁସ୍ରାବ ସମୟରେ ଶରୀର ବିଶ୍ରାମ ଦରକାର କରୁଥିବା ବେଳେ ମସଲା ଓ ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା
ଆମର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଏ। ଏହା ଫଳରେ ଗ୍ୟାସ୍ ଆଦି ସମସ୍ୟା ଦେଖାଦେଇ ଆପଣଙ୍କ ଶକ୍ତି କମ୍ ହେବା ପରି ଲାଗେ। ଆମ ଶରୀରର ସ୍ଥିତି ଅନୁଯାୟୀ ଆମକୁ ବାହ୍ୟ ସୂଚନା ମିଳୁଥିଲେ ମଧ୍ୟ ସମସ୍ତେ ଜାଣିପାରନ୍ତି ନାହିଁ। ଏଣୁ ଯେତେ ସମ୍ଭବ ଏସବୁ
ଖାଦ୍ୟକୁ ଆଭଏଡ୍ କରି ଉପରେ ଦିଆଯାଇଥିବା ସ୍ୱାସ୍ଥ୍ୟକର ଖାଦ୍ୟକୁ ଖାଇବାରେ ସାମିଲ୍ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଏଥିସହିତ ଅଳ୍ପ ସହଜ ବ୍ୟାୟାମ, ଯୋଗ ଇତ୍ୟାଦି କରିବା ଦ୍ୱାରା ମଧ୍ୟ ଶରୀର ସୁସ୍ଥ ରହେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Diet_1757672232.jpg)