IVF
ମାତୃତ୍ୱ ହେଉଛି ନାରୀ ଜୀବନର ସାର୍ଥକତା । ସନ୍ତାନ ଜନ୍ମର ଖୁସି ଜଣେ ମା’ ହିଁ ବୁଝିପାରେ । ଛୁଆର ମୁହଁକୁ ଥରେ ଚାହିଁଦେଲେ ଗର୍ଭଧାରଣ ସମୟର ସବୁ କଷ୍ଟ ଭୁଲି ହୋଇଯାଏ, ଅନ୍ତରଟା ମମତାରେ ଭରିଯାଏ । ହେଲେ ଆଜିକାଲି ବିଶୃଙ୍ଖଳିତ ଜୀବନଶୈଳୀ ଏବଂ ପ୍ରଦୂଷିତ ପରିବେଶ ଯୋଗୁଁ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହେଉଛି ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ଗର୍ଭଧାରଣ ସମ୍ବନ୍ଧୀୟ ସମସ୍ୟା। ଏହାସହ ପ୍ରଜନନ ସମ୍ମନ୍ଧୀୟ ସମସ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି, ଯେଉଁଥିପାଇଁ ସାରା ବିଶ୍ୱରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଇଭିଏଫ ଏପରି ଏକ ପ୍ରକ୍ରିୟା, ଯେଉଁଥିରେ ବନ୍ଧ୍ୟା ଦମ୍ପତିମାନଙ୍କର ଚିକିତ୍ସା କରାଯାଏ ଏବଂ ସେମାନେ ବାପାମା’ହେବାର ସୌଭାଗ୍ୟ ଅର୍ଜନ କରନ୍ତି । ବର୍ତ୍ତମାନ ସମୟରେ ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ମହିଳା ସୁରୁଖୁରୁରେ ସନ୍ତାନ ଜନ୍ମ ଦେଇପାରୁଛନ୍ତି । ଆଇଭିଏଫ ପ୍ରକ୍ରିୟା ଛୁଆ ନଥିବା ଦମ୍ପତିଙ୍କ ପାଇଁ ବରଦାନ ସଦୃଶ । ହେଲେ ଯଦି ଆଇଭିଏଫରେ ଗଡ଼ବଡ଼ି ହୋଇ ଆପଣ ଅଜଣା ଲୋକର ପିଲାକୁ ଜନ୍ମଦେବେ, ତେବେ ସ୍ଥିତି କିପରି ହେବ ଥରେ ଚିନ୍ତା କରିଦେଖନ୍ତୁ.. ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ।
ଅଷ୍ଟ୍ରେଲିଆର ଏକ ପ୍ରମୁଖ ଆଇଭିଏଫ କ୍ଲିନିକ୍ ଜଣେ ମହିଳାଙ୍କୁ ଭୁଲ ଭୃଣ ଦେଇଦେବା ପରେ କ୍ଷମା ପ୍ରାର୍ଥନା କରିଛି । ହେଲେ ଦୁଃଖର ବିଷୟ ମହିଳା ଜଣକ ଆଇଭିଏଫ ପ୍ରକିୟାରେ ଗର୍ଭବତୀ ହୋଇ ପିଲାକୁ ଜନ୍ମ ମଧ୍ୟ ଦେଇ ସାରିଛନ୍ତି । ଆଉ ଏହାକୁ ମାନବୀୟ ତ୍ରୁଟି କହି ସଫେଇ ଦେଇଛି ଆଇଭିଏଫ କ୍ଲିନିକ । ଅଷ୍ଟ୍ରେଲିଆରେ ୧୦୦ରୁ ଅଧିକ କ୍ଲିନିକ୍ ପରିଚାଳନା କରୁଥିବା ମୋନାସ୍ ଆଇଭିଏଫ ଏକ ବିବୃତିରେ କହିଛି, କର୍ମଚାରୀମାନଙ୍କ ଅସାବଧାନତା ଯୋଗୁଁ ଏପରି ଭୁଲ ହୋଇଯାଇଛି । ଏହାକୁ ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: ରାଉରକେଲା NIT ଛାତ୍ରଙ୍କ କମାଲ୍, କଟିଥିଲେ କି ହାଡ଼ ଭାଙ୍ଗିଥିଲେ ଯୋଡ଼ିବ ବାୟୋଇଙ୍କ୍
ଘଟଣା ପରେ ମୋନାସ ଆଇଭିଏଫ ସମ୍ପୃକ୍ତ ଦମ୍ପତିଙ୍କ ନାମ ନେଇନାହିଁ, କିମ୍ବା ଦମ୍ପତିଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଶିଶୁଟି କେବେ ଜନ୍ମ ହୋଇଥିଲା କିମ୍ବା ଶିଶୁ କାହା ପାଖରେ ଅଛି ସେ ବିଷୟରେ ପ୍ରଶ୍ନର ଉତ୍ତର ଦେଇନାହିଁ। ଏହି ତ୍ରୁଟିଟି କୁଇନ୍ସଲ୍ୟାଣ୍ଡର ମୋନାସ୍ IVFର ବ୍ରିସବେନ କ୍ଲିନିକରେ ଘଟିଛି, ଯେଉଁଠାରେ ପିଲା ଜନ୍ମ ଦେଇଥିବା ମାଆ ଏବଂ ତାଙ୍କ ସାଥୀଙ୍କୁ ଆଇନଗତ ପିତାମାତା ଭାବରେ ମାନ୍ୟତା ଦିଆଯାଏ । ତେବେ କ୍ଲିନିକ୍ ଏହି ତ୍ରୁଟି ଜାଣିବା ପୂର୍ବରୁ ଉଭୟ ଦମ୍ପତି କୌଣସି ପ୍ରକାରର ସନ୍ଦେହ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ଲିନିକାଲ୍ ଆସୋସିଏଟ୍ ପ୍ରଫେସର ଏବଂ ମେଲବର୍ଣ୍ଣର ରୟାଲ୍ ୱିମେନ ହସ୍ପିଟାଲର ପରାମର୍ଶଦାତା ଆଲେକ୍ସ ପଲିଆକୋଭ କହିଛନ୍ତି, ଅଷ୍ଟ୍ରେଲିଆରେ ଚାରି ଦଶନ୍ଧି ଧରି ଚାଲିଥିବା ଆଇଭିଏଫ ପ୍ରକ୍ରିୟାରେ ଏହା ପ୍ରଥମ ଘଟଣା। ଏପରି ଘଟଣା ଘଟିବାର ସମ୍ଭାବନା ଏତେ କମ୍ ଯେ ଏହାକୁ ସଂଖ୍ୟାରେ ଦର୍ଶାଇ ହେବନାହିଁ । ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା ପାଇଁ ଅଷ୍ଟ୍ରେଲିଆର ନିୟାମକ ଢାଞ୍ଚା ଏହାର କଠୋରତା ଏବଂ ସମ୍ପୂର୍ଣ୍ଣତା ପାଇଁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବୋଲି ସେ ଲିଖିତ ମନ୍ତବ୍ୟରେ କହିଛନ୍ତି।
କିପରି ଘଟିଲା ଏପରି ଭୁଲ?
ଫେବ୍ରୁଆରୀ ମାସରେ ଆଇଭିଏଫ ମାଧ୍ୟମରେ ବାପାମା’ ହୋଇଥିବା ଦମ୍ପତି ସେମାନଙ୍କର ଅବଶିଷ୍ଟ ଭୃଣକୁ ଅନ୍ୟ ଏକ ଆଇଭିଏଫ ପ୍ରଦାନକାରୀଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିବା ପରେ ଭୁଲଟି ଜଣାପଡିଥିଲା। ସେମାନଙ୍କ ଷ୍ଟୋରେଜ୍ କମ୍ପାର୍ଟମେଣ୍ଟରେ ଅତିରିକ୍ତ ଭୃଣ ମିଳିବା ପରେ, ଏକ ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡିଲା ସେମାନେ ଭୁଲ ଭୃଣ ଦେଇ ଦେଇଥିଲେ ।
ତ୍ରୁଟି କିପରି ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ମୋନାସ୍ ଆଇଭିଏଫ ବିବୃତି ଅନୁଯାୟୀ, ଅନ୍ୟ ଜଣେ ରୋଗୀଙ୍କ ଭୃଣକୁ ଭୁଲରେ ଫର୍ଟିଲାଇଜ କରି ସଂପୃକ୍ତ ମହିଳାଙ୍କୁ ଗର୍ଭକୁ ସ୍ଥାନାନ୍ତର କରାଯାଇଥିଲା। କମ୍ପାନୀର ସିଇଓ କହିଛନ୍ତି , ଏହା ଏକ ପୃଥକ ଘଟଣା । ଆମେ ଆମର କ୍ଲିନିକ୍ଗୁ ଡ଼ିକରେ ଆମର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରୁଛୁ । ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଦୋଷୀକୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ ମଧ୍ୟ କହିଛନ୍ତି।
ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଫର୍ଟିଲିଟି ସୋସାଇଟି ଏକ ବିବୃତିରେ କହିଛି , ଏହି ଗମ୍ଭୀର ଘଟଣା ବିଷୟରେ ଆମେ ଅବଗତ ଏବଂ ତୁରନ୍ତ ଏହା ବିରୋଧରେ ପଦକ୍ଷେପ ନିଆଯିବ । ଏପରି ଘଟଣା ବିରଳ ଏବଂ ଏଥିପାଇଁ ସ୍ୱଚ୍ଛତାର ସର୍ବୋଚ୍ଚ ମାନଦଣ୍ଡ ଆବଶ୍ୟକ ବୋଲି କୁହାଯାଇଛି।
ପୂର୍ବରୁ ମଧ୍ୟ ଆମେରିକାରେ ସମାନ ତ୍ରୁଟି ହୋଇଛି, ଯେଉଁଥିରେ ଜଣେ ଶ୍ୱେତାଙ୍ଗ ମହିଳା ଏକ କୃଷ୍ଣକାୟ ଶିଶୁକୁ ଜନ୍ମ ଦେବା ପରେ ତାଙ୍କୁ ଭୁଲ ଭୃଣ ଦିଆଯାଇଥିଲା ବୋଲି ଜାଣିବାକୁ ପାଇଥିଲେ।
ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମୋନାସ IVF ବିରୋଧରେ ଏଭଳି ଅଭିଯୋଗ ଆସିଛି । କେବଳ ଏହି ଦମ୍ପତିଙ୍କ ସହ ନୁହେଁ, ଆଉ ଅନେକ ଦମ୍ପତିଙ୍କ ସହ ଏଭଳି ଘଟଣା ଘଟିଥିବା ଯାଞ୍ଚରୁ ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି ।
ଆସନ୍ତୁ ଜାଣିବା ଆଇଭିଏଫର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ?
ଆଜିର ସମୟରେ ଖାଦ୍ୟପେୟ ଠାରୁ ଆରମ୍ଭ କରି ଜୀବନଶୈଳୀ ପର୍ଯ୍ୟନ୍ତ ସବୁକିଛିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଲୋକଙ୍କ ଜୀବନଯାପନ ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି, ଯାହା ମହିଳାଙ୍କ ଗର୍ଭଧାରଣ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏସବୁ କାରଣରୁ, ମହିଳାମାନେ ଗର୍ଭଧାରଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗର୍ଭବତୀ ହେଲେ ସୁଦ୍ଧା ଗର୍ଭପାତ ଭଳି ସମସ୍ୟା ଦେଖାଦେଉଛି । ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ IVFଚିକିତ୍ସା କରାଯାଏ।
IVF କୁ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ କୁହାଯାଏ। ଯେତେବେଳେ ମହିଳାଙ୍କ ଶରୀର ଡିମ୍ବାଣୁକୁ ଫର୍ଟିଲାଇଜ୍ କରିବାକୁ ସକ୍ଷମ ହୁଏ ନାହିଁ, ସେତେବେଳେ ଏହାକୁ ପରୀକ୍ଷାଗାରରେ ଫର୍ଟିଲାଇଜ୍ କରାଯାଏ। ଏଥିରେ ମହିଳାଙ୍କ ଡିମ୍ବାଣୁ ଏବଂ ପୁରୁଷଙ୍କ ଶୁକ୍ରାଣୁ ମିଶ୍ରିତ ହୋଇଥାଏ। ଏହି ମିଶ୍ରଣରେ ଭୃଣ ସୃଷ୍ଟି ହେବା ପରେ ଏହାକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପିତ କରାଯାଏ।
ସାଧାରଣ ଭାଷାରେ କହିବାକୁ ଗଲେ IVF ଚିକିତ୍ସାରେ ପରୀକ୍ଷାଗାରରେ ମହିଳାଙ୍କ ଡିମ୍ବାଣୁ ଏବଂ ପୁରୁଷଙ୍କ ଶୁକ୍ରାଣୁକୁ ଫର୍ଟିଲାଇଜ୍ କରି ଏକ ଭୃଣ ସୃଷ୍ଟି କରାଯାଏ। ଏହା ପରେ ଭ୍ରୁଣକୁ ମହିଳାଙ୍କ ଗର୍ଭାଶୟକୁ ପୁନର୍ବାର ସ୍ଥାନାନ୍ତରିତ କରାଯାଏ। ଏହାକୁ IVF କୁହାଯାଏ। IVFକୁ ଓଡ଼ିଆରେ ଭୃଣ ପ୍ରତିରୋପଣ ମଧ୍ୟ କୁହାଯାଏ ।
IVF କିପରି କରାଯାଏ?
IVF ପ୍ରକ୍ରିୟା କରିବା ପୂର୍ବରୁ ପୁରୁଷ ଏବଂ ମହିଳା ଉଭୟଙ୍କର ପରୀକ୍ଷା କରାଯାଏ। ଏହା ପରେ ରିପୋର୍ଟ ଆଧାରରେ ପ୍ରକ୍ରିୟାକୁ ଆଗକୁ ନିଆଯାଇଥାଏ ।
ସର୍ବପ୍ରଥମେ ପୁରୁଷର ବୀର୍ଯ୍ୟ (IVF) ପରୀକ୍ଷାଗାରକୁ ଦିଆଯାଏ, ଯେଉଁଠାରେ ତାଙ୍କର ଭଲ ଏବଂ ଖରାପ ଶୁକ୍ରାଣୁକୁ ପୃଥକ କରାଯାଏ। ଏହା ପରେ ମହିଳାଙ୍କ ଶରୀରରୁ ଇଞ୍ଜେକ୍ସନ ମାଧ୍ୟମରେ ଡିମ୍ବାଣୁ ବାହାର କରାଯାଇ ଫ୍ରିଜ କରାଯାଏ। ତା'ପରେ ପରୀକ୍ଷାଗାରରେ ଡିମ୍ବାଣୁ ସହ ଉତ୍ତମ ଓ ସକ୍ରିୟ ଶୁକ୍ରାଣୁ ଗୁଡ଼ିକୁ ରଖାଯାଏ ଏବଂ ପ୍ରାକୃତିକ ଭାବରେ ଫର୍ଟିଲାଇଜ ହେବା ପାଇଁ ଛାଡି ଦିଆଯାଏ।
ଫର୍ଟିଲାଇଜେସନର ତୃତୀୟ ଦିନ ସୁଦ୍ଧା ଭୃଣ ପ୍ରସ୍ତୁତ ହୋଇଯାଏ, ତା’ପରେ କ୍ୟାଥେଟର ଡିଭାଇସ୍ ସାହାଯ୍ୟରେ ଭୃଣକୁ ମହିଳାଙ୍କ ଗର୍ଭାଶୟରେ ରଖାଯାଏ। ଭୃଣ ସ୍ଥାନାନ୍ତର ହେବାର କିଛି ଘଣ୍ଟା ପରେ ମହିଳା ଜଣକ ଘରକୁ ଯାଇପାରିବେ। ଦୁଇ ସପ୍ତାହ ପରେ ମହିଳାଙ୍କୁ ଗର୍ଭାଶୟ ଯାଞ୍ଚ ପାଇଁ ଡକାଯାଏ ଏବଂ ଗର୍ଭଧାରଣ ବିଷୟରେ ଟିପ୍ସ ଦିଆଯାଏ।
ଅଧିକ ପଢ଼ନ୍ତୁ: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଓଡ଼ିଆ ବୈଜ୍ଞାନିକଙ୍କ ଗବେଷଣାରୁ ମିଳିଲା ତଥ୍ୟ
IVF ପାଇଁ କେତେ ଖର୍ଚ୍ଚ ହୁଏ?
ଭାରତରେ IVF ଚିକିତ୍ସାର ସାଧାରଣ ଖର୍ଚ୍ଚ ୯୦,୦୦୦ ଟଙ୍କାରୁ ୧,୫୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ। ଏହା ବ୍ୟତୀତ ଏହା ନିମ୍ନଲିଖିତ କାରଣ ଗୁଡ଼ିକ ଉପରେ ନିର୍ଭର କରି ଭିନ୍ନ ହୋଇପାରେ:-
• ଡାକ୍ତରଖାନା
• ରହିବା ସ୍ଥାନ
• ଅନ୍ୟାନ୍ୟ ସୁବିଧା
• ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
IVF ଗର୍ଭଧାରଣର ଲକ୍ଷଣଗୁଡ଼ିକ କ’ଣ?
ଯଦି ଜଣେ ମହିଳା IVF ଚିକିତ୍ସା ପରେ ଗର୍ଭବତୀ ହୁଅନ୍ତି, ତେବେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇପାରେ:-
• ବାନ୍ତି ଲାଗିବା
• ରକ୍ତସ୍ରାବ ହେବା
• ଦୁର୍ବଳତା ଏବଂ ଥକ୍କାପଣ
• ସ୍ତନ ଯନ୍ତ୍ରଣା
• ଡିସଚାର୍ଜରେ ପରିବର୍ତ୍ତନ
• ଫୁଲା ପଡ଼ିପାରେ
• ପିରିୟଡ୍ ମିସ ହେବ
• ବାରମ୍ବାର ପରିସ୍ରା ଲାଗିବା
IVF ପରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ?
IVF ଚିକିତ୍ସା ପରେ, ଡାକ୍ତରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ସମସ୍ତ ସତର୍କତାକୁ କଡ଼ାକଡ଼ି ପାଳନ କରନ୍ତୁ, ଏହା ସଫଳ ଚିକିତ୍ସାର ସମ୍ଭାବନାକୁ ବହୁ ପରିମାଣରେ ବୃଦ୍ଧି କରେ।
• ଭାରୀ ଜିନିଷ ଉଠାଇବା ଠାରୁ ଦୂରେଇ ରୁହନ୍ତୁ
• ଠିକ୍ ସମୟରେ ଔଷଧ ଖାଆନ୍ତୁ
• ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
• ସୁସ୍ଥ ଓଜନ ବଜାୟ ରଖନ୍ତୁ
• ଶାରୀରିକ ସମ୍ପର୍କ ରଖିବାରୁ ଦୂରେଇ ରୁହନ୍ତୁ
• ନିଶାଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ
• ଚାପ ନିଅନ୍ତୁ ନାହିଁ
• ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IVF_1744525584.jpg)