ସୁଖନିଦ୍ରା ପରେ ବି କ୍ଲାନ୍ତି
ସନ୍ତୁଳିତ ଖାଦ୍ୟ ଖାଇବା ଓ ନିୟମିତ ପରିଶ୍ରମ କରିବା ପରି ପ୍ରତ୍ୟହ ଭଲରେ ଶୋଇବା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ନିର୍ଦ୍ଦିଷ୍ଟ ସମୟରେ ଉଠିବା ହିଁ ଉନ୍ନତ ନିଦର ଲକ୍ଷଣ । ଆଜିକାଲି ନିଦ ନହେବା ଏକ ବଡ ସମସ୍ୟା ରୂପେ ଦେଖାଯାଉଛି। ମାନସିକ ଚାପ, କାର୍ଯ୍ୟଭାର, ଦୁଶ୍ଚିନ୍ତା, କୋଳାହଳଯୁକ୍ତ ପରିବେଶ ଆଦି ପାଇଁ ଏଭଳି ସମସ୍ୟା ଉପୁଜୁଥିବା ନାନା ଗବେଷଣାରୁ ଜଣାପଡିଛି । ହେଲେ ରାତିରେ ଭଲରେ ଶୋଇବା ପରେ ବି ଆପଣଙ୍କୁ ଥକ୍କା ଲାଗୁଛି କି ?
ସକାଳର ଚା’ କିମ୍ବା କଫିରେ ଦିନଚର୍ଯ୍ୟା ଆରମ୍ଭ ହେଲେ ସୁଦ୍ଧା ଏନର୍ଜେଟିକ ଅନୁଭବ ହେଉନି.. କାମ କରିବା ମଧ୍ୟରେ ଅଫିସରେ ଘନ ଘନ ହାଇ ଆସୁଛି କି ? ଅନେକ ଲୋକଙ୍କ ପାଇଁ ଏହା ଏବେ ଏକପ୍ରକାର ସ୍ଥାୟୀ ସମସ୍ୟା ହୋଇଗଲାଣି, ଫଳରେ ନିତିଦିନିଆ କାମ କରିବାକୁ କଷ୍ଟ ଲାଗୁଛି ଆଉ ଅଳ୍ପ କାମରେ ଦୁର୍ବଳ ଅନୁଭବ ହେଉଛି ।
ବ୍ୟସ୍ତବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକ୍କାପଣ ଅନୁଭବ କରିବା ସ୍ବାଭାବିକ । ବିନା କୌଣସି ପରିଶ୍ରମରେ କ୍ଲାନ୍ତ ହୋଇପଡିବା, ଦୁର୍ବଳ ଲାଗିବା କିମ୍ବା ବାରମ୍ବାର ଥକ୍କାପଣ ଅନୁଭବ କରିବା ଆଦୌ ସାଧାରଣ ନ ହୋଇପାରେ । ଅନେକ ସମୟରେ ଏହା କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ । ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ । ଶୋଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରିବା myalgic encephalomyelitis କିମ୍ବା ଦୀର୍ଘକାଳୀନ ଥକ୍କାପଣ ରୋଗର ଲକ୍ଷଣ ହୋଇପାରେ।
Chronic fatigue syndrome କ’ଣ ?
Myalgic encephalomyelitis କିମ୍ବା Chronic fatigue syndrome ଏକ ଜଟିଳ ବ୍ୟାଧି। ଏହା ଅତ୍ୟଧିକ ଥକାପଣ ସୃଷ୍ଟି କରିଥାଏ, ଯାହା ଅତି କମରେ ଛଅ ମାସ ପର୍ଯ୍ୟନ୍ତ ରହିଥାଏ। ବିଶ୍ରାମ ନେବା ଏବଂ ପର୍ଯ୍ୟାପ୍ତ ନିଦ ହେବା ପରେ ମଧ୍ୟ ଏହି ଥକ୍କାପଣ ଦୂର ହୁଏ ନାହିଁ । ବିଶେଷଜ୍ଞଙ୍କ ମତରେ ଏହି ସିଣ୍ଡ୍ରୋମରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କର ଦୈନନ୍ଦିନ କାମ କରିପାରନ୍ତି ନାହିଁ । କ୍ରନିକ୍ ଫାଟିଗ ସିଣ୍ଡ୍ରୋମ୍ ଥିବା ଲୋକଙ୍କର ଗମ୍ଭୀର ଥକ୍କାପଣ ଏବଂ ନିଦ୍ରା ସମସ୍ୟା ହୋଇଥାଏ ।
ଏହି ସିଣ୍ଡ୍ରୋମର ଲକ୍ଷଣ କ’ଣ ?
କ୍ରନିକ ଫାଟିଗ ସିଣ୍ଡ୍ରୋମ ହେଉଛି ନିରନ୍ତର ଥକ୍କା କିମ୍ବା କ୍ଳାନ୍ତି ଯାହା ବିଶ୍ରାମ ସହିତ ଭଲ ହୁଏ ନାହିଁ। ସାଧାରଣ ଥକ୍କା ନିଦ୍ରା କିମ୍ବା ବିଶ୍ରାମ ସହିତ ଭଲ ହୋଇଯାଏ, ଏହି ସିଣ୍ଡ୍ରୋମରେ ପୀଡ଼ିତ ଘଣ୍ଟା ଘଣ୍ଟା ବିଶ୍ରାମ ପରେ ମଧ୍ୟ କୌଣସି ସୁଫଳ ପାଆନ୍ତି ନାହିଁ । ବିଶେଷଜ୍ଞଙ୍କ ମତରେ ଏବେସୁଦ୍ଧା ଏହାର କୌଣସି କାରଣ ସମ୍ପୂର୍ଣ୍ଣ ଭାବରେ ଚିହ୍ନଟ ହୋଇପାରି ନାହିଁ । ତଥାପି ଏହାର ଅନେକ କାରଣ ହୋଇପାରେ, ଯେପରିକି ଭାଇରସ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଚାପ, ପରିବେଶଗତ କାରଣ ଏବଂ ହରମୋନ ଅସନ୍ତୁଳନ।
ଲକ୍ଷଣ କ’ଣ?
କ୍ରମାଗତ ଥକ୍କାପଣ ସହିତ ସିଏସଏଫ ଥିବା ଲୋକମାନଙ୍କ ଠାରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ନିଦ୍ରା ସମସ୍ୟା, ମାଂସପେଶୀ ବିନ୍ଧା, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, କାମ ପରେ ଅସୁସ୍ଥ ଅନୁଭବ କରିବା, ଫ୍ଲୁ ପରି ଲକ୍ଷଣ ଦେଖାଯାଏ । ସିଏସଏଫ ପାଇଁ କୌଣସି ପରୀକ୍ଷଣ ନାହିଁ । ତଥାପି, ଡାକ୍ତରମାନେ ଅନ୍ୟାନ୍ୟ ଲକ୍ଷଣ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ପରୀକ୍ଷା କରନ୍ତି। ସେହି ପରୀକ୍ଷାଗୁଡ଼ିକ ଉପରେ ଆଧାର କରି ରୋଗୀକୁ ରିପୋର୍ଟ ଦେବାସହ ଉପଚାର କରାଯାଏ ।
ରୋଗକୁ ଚିହ୍ନଟ କରି ନପାରି ଭୁଲ ଉପଚାର
ଦୀର୍ଘକାଳୀନ ଥକ୍କାପଣର ଲକ୍ଷଣ ଗୁଡ଼ିକ ଡିପ୍ରେସନ, ଥାଇରଏଡ ପରବର୍ତ୍ତୀ ଲକ୍ଷଣ ସହିତ ସମାନ ଥିବାରୁ, ଏହାକୁ ପ୍ରାୟତଃ ଏହି ରୋଗ ମଧ୍ୟରୁ ଗୋଟିଏ ବୋଲି ଭାବି ନିଅନ୍ତି । ରୋଗର ପରୀକ୍ଷା ନଥିବାରୁ ଏହାକୁ ଚିହ୍ନଟ କରୁ କରୁ ମାସ ମାସ ସମୟ ଲାଗିଯାଏ । ଆଉ ଏହି ସମୟ ମଧ୍ୟରେ ରୋଗୀମାନେ ଅତ୍ୟଧିକ ଦୁର୍ବଳ ଓ ଅସହାୟ ଅନୁଭବ କରନ୍ତି, ଯାହା ତାଙ୍କର ଜୀବନର ଗୁଣବତ୍ତାକୁ ପ୍ରଭାବିତ କରିଥାଏ ।
ଲିଙ୍ଗଗତ ବ୍ୟବଧାନ
ବିଶ୍ୱବ୍ୟାପୀ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ କ୍ରନିକ ଫାଟିଗର ଶିକାର ହୁଅନ୍ତି ।ଥକ୍କାପଣକୁ ନେଇ ଭାରତରେ କୌଣସି ସରକାରୀ ତଥ୍ୟ କିମ୍ବା ବଡ଼ ଧରଣର ଅଧ୍ୟୟନ ହୋଇନଥିଲେ ମଧ୍ୟ ମହିଳାମାନଙ୍କ ଠାରେ ବିଶେଷ କରି ଏହାର ଲକ୍ଷଣ ଅଧିକ ଦେଖାଯିବାର ରିପୋର୍ଟ ରହିଛି ।
ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଜନସଂଖ୍ୟା-ଭିତ୍ତିକ ସର୍ଭେ ଅନୁସାରେ, ଯେଉଁଥିରେ ୧୮-୫୦ ବର୍ଷ ବୟସର ୩,୦୦୦ ମହିଳାଙ୍କୁ ସାମିଲ କରାଯାଇଥିଲା, ସେଥିରେ ୧୨% ରୁ ଅଧିକ ମହିଳା ଦୀର୍ଘକାଳୀନ ଥକ୍କାପଣର ଶିକାର ହୋଇଥିବା ଜଣାପଡିଛି ।
ତେବେ ଏହି ସର୍ଭେରେ ୨୦ ପ୍ରତିଶତ ମହିଳା ଭାଗ ନେବାପାଇଁ ସିଧାସଳଖ ମନା କରିଦେଇଥିଲେ, ଏହାର କାରଣ ଘରର ପୁରୁଷ ତାଙ୍କୁ ଏଥିରେ ସାମିଲ ହେବାପାଇଁ ଅନୁମତି ଦେଇନଥିଲେ । ଲିଙ୍ଗଗତ ମାନଦଣ୍ଡ ମହିଳାଙ୍କ ସ୍ୱାସ୍ଥ୍ୟ ସ୍ୱାଧୀନତାକୁ କେତେ ଗଭୀର ଭାବରେ ପ୍ରଭାବିତ କରୁଛି ତାହା ଏଥିରୁ ସ୍ପଷ୍ଟ । ଭାରତୀୟ ମହିଳାମାନଙ୍କଠାରେ ଥକ୍କାପଣ ପ୍ରାୟତଃ ପୁଷ୍ଟିକର ଖାଦ୍ୟର ଅଭାବ କିମ୍ବା ରକ୍ତହୀନତା ହେତୁ ହୋଇଥାଏ, ତେଣୁ ଡାକ୍ତରମାନେ ପ୍ରଥମ ପ୍ରତିକ୍ରିୟା ଭାବରେ କ୍ୟାଲସିୟମ ଏବଂ ଭିଟାମିନ୍ ସପ୍ଲିମେଣ୍ଟ୍ ଲେଖିବାକୁ ବାଧ୍ୟ ହୁଅନ୍ତି ।
ଯଦିଓ ଏହା କିଛି କ୍ଷେତ୍ରରେ ସାହାଯ୍ୟ କରିପାରେ, କିନ୍ତୁ ଯେତେବେଳେ ଅନ୍ତର୍ନିହିତ କାରଣଗୁଡ଼ିକ ଅଧିକ ଜଟିଳ ହୋଇଥାଏ, ସେତେବେଳେ CFS ର ସଠିକ୍ ଉପଚାରରେ ସମସ୍ୟା ଉତ୍ପର୍ଣ୍ଣ ହୋଇଥାଏ । ଯଦିଓ ସିଏଫଏସ କେବଳ ମହିଳାମାନଙ୍କ ମଧ୍ୟରେ ସୀମିତ ନୁହେଁ, ତଥାପି ଏହା ପେରିମେନୋପଜ୍ ସମୟରେ ହରମୋନର ଉତ୍ଥାନ-ପତନ ଲକ୍ଷଣ ଗୁଡ଼ିକୁ ପ୍ରଭାବିତ କରିପାରେ କିମ୍ବା ଆରମ୍ଭ ମଧ୍ୟ କରିପାରେ। ଏହି ପର୍ଯ୍ୟାୟରେ ଥକ୍କାପଣ, ନିଦ୍ରା ସମସ୍ୟା ଏବଂ ମନୋଭାବ ପରିବର୍ତ୍ତନ ସ୍ଥିତିକୁ ଆହୁରି ଖରାପ କରିପାରେ କରିପାରେ ବୋଲି ଡକ୍ଟର ମତ ଦିଅନ୍ତି ।
ସିଣ୍ଡ୍ରୋମ ସମ୍ପର୍କରେ ଜାଣନ୍ତିନି ଅନେକ ଭାରତୀୟ
ଆମେରିକା ଏବଂ ୟୁକେ ଭଳି ଦେଶଗୁଡ଼ିକରେ ଦୀର୍ଘକାଳୀନ ଥକ୍କାପଣ ବ୍ୟାପକ ଭାବରେ ଚିହ୍ନଟ କରାଯିବା ସହ ଏସମ୍ପର୍କରେ ଅଧ୍ୟୟନ ମଧ୍ୟ କରାଯାଉଛି, ହେଲେ ଭାରତ ଏହାର ସଚେତନତା ଏବଂ ଗବେଷଣା କ୍ଷେତ୍ରରେ ଖୁବ ପଛରେ ଅଛି। ଏହି ରୋଗ ସମ୍ପର୍କରେ ଅବଗତ ଥିବାରୁ ଆକେରିକାରେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଚିକିତ୍ସା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପାଇଁ ସାହାଯ୍ୟ ମିଳିଥାଏ । ହେଲେ ଭାରତରେ ରୋଗ ଚିହ୍ନଟ ହୋଇପାରୁ ନଥିବାରୁ କୌଣସି ସରକାରୀ ସହଯୋଗ ମିଳିପାରେ ନାହିଁ ।
ଭାଇରସ୍, ଚାପ, ଏବଂ ଅନ୍ୟାନ୍ୟ କାରକ
ଯଦିଓ CFS ର ସଠିକ୍ କାରଣ ଅଜଣା ରହିଛି, ତଥାପି ଏହା ଭାଇରସ୍ ସଂକ୍ରମଣ, ରୋଗ ପ୍ରତିରୋଧକ କ୍ଷମତା ହ୍ରାସ, ହରମୋନ୍ ଅସନ୍ତୁଳନ ଏବଂ ଅତ୍ୟଧିକ ଚାପ ଭଳି କାରଣ ଗୁଡ଼ିକର ମିଶ୍ରଣ ଦ୍ୱାରା ହୁଏ ବୋଲି ବିଶ୍ୱାସ କରାଯାଏ। ଅନେକ ଲୋକ କୁହନ୍ତି, ଫ୍ଲୁ ପରି ରୋଗ ପରେ ଏହା ଆରମ୍ଭ ହୁଏ ।
ଉପଚାର ସୁବିଧା ନାହିଁ
ଦୀର୍ଘକାଳୀନ ଥକ୍କାପଣ ପାଇଁ କୌଣସି ଜଣାଶୁଣା ଚିକିତ୍ସା ନାହିଁ। ଏହି ଚିକିତ୍ସାରେ ମୁଖ୍ୟତଃ ଲକ୍ଷଣ ପରିଚାଳନା ଏବଂ ଜୀବନର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଇଥାଏ । ବିଶ୍ରାମ, ପୁଷ୍ଟିସାର ଖାଦ୍ୟ ସେବନ , ଚାପ ହ୍ରାସ, ଏବଂ ଅତ୍ୟଧିକ ପରିଶ୍ରମ ଏଡ଼ାଇବା ପାଇଁ କୁହାଯାଇଥାଏ ।
ଡକ୍ଟର କହିଛନ୍ତି, ଉପଚାର ବ୍ୟକ୍ତିଗତ ହେବା ଉଚିତ। କିଛି ଲୋକଙ୍କୁ କମ ଶାରୀରିକ କାର୍ଯ୍ୟକଳାପରୁ ଲାଭ ମିଳିଥାଏ, କିଛି ଲୋକମାନଙ୍କ ପାଇଁ ସଚେତନତାର ଆବଶ୍ୟକତା ହୋଇଥାଏ ।
ଦୀର୍ଘକାଳୀନ ଥକ୍କାପଣର ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ବିଶେଷଜ୍ଞ ସମାଜ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ଅଧିକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବା ଜରୁରୀ । ଡାକ୍ତରମାନଙ୍କୁ ଏହି ଅବସ୍ଥାକୁ ଚିହ୍ନିବା ଏବଂ ଗମ୍ଭୀରତାର ସହିତ ନେବା ପାଇଁ ତାଲିମ ଦିଆଯିବା ଆବଶ୍ୟକ। ଭାରତ ପରି ଦେଶରେ ଯେଉଁଠାରେ ଶାରିରୀକ, ଭାବନାତ୍ମକ ଓ ସାମାଜିକ ଦାୟିତ୍ୱ ତୁଳାଉଥିବା ମହିଳାଙ୍କ ଠାରେ ଥକ୍କାପଣ ଏକ ସାଧାରଣ ସମସ୍ୟା, ସେଠାରେ ସିଏସଏଫକୁ ଚିହ୍ନି ଉପଚାର କରିବା ଏକ ବଡ଼ ଚ୍ୟାଲେଞ୍ଜ ।
କେମିତି ଦୂର କରିବେ ଥକ୍କାପଣ ?
• କୁହାଯାଏ ସ୍ବାସ୍ଥ୍ୟ ହିଁ ସମ୍ପଦ । ଶରୀରର ସୁସ୍ଥ ରହିଲେ ମନ ମଧ୍ୟ ଭଲ ରହିଥାଏ । ଏଥିପାଇଁ ଏକ ସୁସ୍ଥ ଜୀବନଶୈଳୀ ନିହାତି ଜରୁରୀ । ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ନିଜର ଦିନଚର୍ଯ୍ୟାରେ ସାମିଲ କରନ୍ତୁ ।
• ପ୍ରତ୍ୟେକ ମଣିଷ ପାଇଁ ଅତିକମରେ ୬ରୁ ୮ ଘଣ୍ଟା ନିଦ୍ରା ଜରୁରୀ । ତେଣୁ ରାତିରେ ପର୍ଯ୍ୟାପ୍ତ ସୁଖ ନିଦ ପାଇଁ ଚେଷ୍ଟା କରନ୍ତୁ ।
• ଯେମିତି ଆପଣଙ୍କର ବେଡରୁମ୍ ଶୋଇବା ଅନୁକୂଳ, ଥଣ୍ଡା, ଶାନ୍ତ, ଅନ୍ଧାର ଓ ଆରାମଦାୟକ ହୋଇଥିବ,ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
• ମଦ୍ୟପାନ ଓ ଧୂମ୍ରପାନ କରନ୍ତୁ ନାହିଁ । ଯେତେ ସମ୍ଭବ ଏଭଳି ମାଦକଦ୍ରବ୍ୟରୁ ଦୂରେଇ ରୁହନ୍ତୁ । ଏଥିସହ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ବନ୍ଦ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744881610.jpg)