ସୁନ୍ଦର ପାଦ ପାଇଁ ଟିପ୍ସ
ବର୍ଷା ଋତୁ ଆସିଲେ ପୃଥିବୀ ଗ୍ରୀଷ୍ମ, ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଏ, ଚାରିଆଡ ସୁନ୍ଦର ଓ ସବୁଜ ଦେଖାଯାଏ। କିନ୍ତୁ ସେଇ ସମାନ ସମୟରେ ବି ବର୍ଷା ଋତୁରେ ରାସ୍ତା ଘାଟ କାଦୁଅ ହୁଏ, ବିଭିନ୍ନ ସ୍ଥାନରେ ପାଣି ଜମା ହୁଏ, ଏବଂ ବର୍ଷା କାରଣରୁ ଲୁଗାପଟା ଏବଂ ଜୋତା ବାରମ୍ବାର ଓଦା ହୁଏ। ଏସବୁ କାରଣରୁ ଆମ ପାଦ ମଧ୍ୟ ବାରମ୍ବାର ଓଦା ହୁଏ, ନଚାହିଁ ମଧ୍ୟ ଆମେ ଅନେକ ସମୟରେ ଓଦା ଜୋତା ଓ ମୋଜା ପିନ୍ଧି ଅନେକ ସମୟ ରହିବା ପାଇଁ ପଡେ। ଏସବୁ ପାଦର ବିଭିନ୍ନ ସ°କ୍ରମଣ ଓ ସମସ୍ୟାର କାରଣ ହୋଇଥାଏ। ଯତ୍ନ ନନେଲେ ଅନେକ ସମୟରେ ଏହା ଗୁରୁତର ହୋଇପାରେ।
ବର୍ଷ ଋତୁରେ ପାଦର ସମସ୍ୟା:
● ଆଥଲେଟ୍ସ ଫୁଟ୍ - ପାଦ ଆଙ୍ଗୁଠି ସନ୍ଦି ଗୁଡ଼ିକରେ ଫଙ୍ଗାଲ୍ ସ°କ୍ରମଣ କାରଣରୁ ଚମଡା ଧଳା ପଡିଯାଏ, କୁଣ୍ଡାଇ ହୁଏ, ଚମଡା ଛାଡି ଯାଏ (ପିଲିଂ), ରାସେସ୍ ମଧ୍ୟ ହୋଇଥାଏ
● ଅନିକୋମାଇକୋସିସ୍ - ପାଦ ନଖ ଗୁଡ଼ିକ ଫଙ୍ଗାଲ୍ ସଂକ୍ରମଣ କାରଣରୁ ହଳଦିଆ ପଡିଯାଏ, ମୋଟା ଦେଖାଯାଏ ଏବଂ ସହଜରେ ଭାଙ୍ଗିଯାଏ
● ରିଙ୍ଗ୍-ଓ୍ବର୍ମ - ଫଙ୍ଗାଲ୍ ସଂକ୍ରମଣ କାରଣରୁ ପାଦରେ ଚେକା ଚେକା (କଏନ୍ ସଦୃଶ) ରାସେସ୍ ଦେଖାଯାଏ। ଉକ୍ତ ଚେକାର ମଝି ଅ°ଶ ମସୃଣ ଏବଂ ଚାରିପାଖ ଗୋଲାକାର ରିବ୍-ରିବ୍ ବା ଖଦଡ ଦେଖ ଯାଏ। ଏହା ପ୍ରବଳ କୁଣ୍ଡାଇ ହୋଇଥାଏ।
● ବ୍ୟାକ୍ଟେରିଆଲ୍ ଫଲିକୁଲାଇଟିସ୍ - ଚମଡା ଛାଡିବା କିମ୍ବା ଖଣ୍ଡିଆ ମାଧ୍ୟମରେ ଜୀବାଣୁ ଲୋମକୂପ ପର୍ଯ୍ୟନ୍ତ ପହଞ୍ଚି ସଂକ୍ରମଣ କରିଥାଏ, ଏହା ଦ୍ବାରା ଉକ୍ତ ସ୍ଥାନରେ ବଥ ବା ବ୍ରଣ ପରି ସଂକ୍ରମଣ ଦେଖାଯାଏ।
● ସେଲୁଲାଇଟିସ୍ - ଚମଡା ଛାଡିବା କିମ୍ବା ଖଣ୍ଡିଆ ହେବା କାରଣରୁ ଚମଡ଼ାର ଆଭ୍ୟନ୍ତରୀଣ ଅଂଶରେ ସଂକ୍ରମଣ କାରଣରୁ ଫୁଲା ଓ ଦରଜ ଦେଖାଯାଏ। ଏହାକୁ ଅଣଦେଖା କଲେ ସଂକ୍ରମଣ ସାଙ୍ଘାତିକ ମଧ୍ୟ ହୋଇପାରେ।
● ଫୁଟ୍ ଅଲସର୍ - ଡାଇବେଟିସ୍ ବା ମଧୁମେହ ଏବଂ ରକ୍ତ ସଞ୍ଚାଳନରେ ବାଧା ଥିବା କ୍ଷେତ୍ରରେ ସାଧାରଣ ଖଣ୍ଡିଆ କିମ୍ବା ଚମଡା ଫାଟିଥିବା ଜାଗା ସହଜରେ ଶୁଖେ ନାହିଁ ଏବଂ ଜୀବାଣୁ ସଂକ୍ରମଣ ହୋଇ ସାଧାରଣ ସମସ୍ୟା ଗମ୍ଭୀର ହୁଏ।
● କ୍ରାକ୍ଡ ହୀଲ୍ସ / ଗୋଇଠି ଫାଟିବା - ଓଦା ମୋଜା, ଜୋତା ଏବଂ ଅଧିକ ସମୟ ପାଣିରେ ରହିବା କାରଣରୁ ଗୋଇଠିର ଚମଡା ଅଧିକ ଫାଟି ଯାଏ।
● ଫୋଟକା - ଓଦା ଜୋତା କିମ୍ବା ମୋଜା ଏବଂ ରେନି-ସୁରେ ପାଦର ଚମଡା ଘଷି (ଫ୍ରିକସନ୍) ହୋଇ ଫୋଟକା ହୋଇଯାଏ।
● ବିଣ୍ଡି ଏବଂ କ୍ୟାଲସ୍ ଦରଜ ବଢିଯାଏ।
● ପାଦ ଦୁର୍ଗନ୍ଧ - ଓଦା ଜୋତା, ମୋଜା ଏବଂ ଗୁଳୁଗୁଳି କାରଣରୁ ପାଦର ଦୁର୍ଗନ୍ଧ ସମସ୍ୟା ଦେଖାଯାଏ।
ପାଦର ଯତ୍ନ କିପରି ନେବେ:
1. ଘରକୁ ଫେରିଲା ପରେ ହାଲକା ସାବୁନ୍ କିମ୍ବା ଲିକ୍ବିଡ୍ ସୋପ୍ ଏବଂ ଉଷୁମ ପାଣିରେ ଗୋଡ ଧୋଇ ନିଅନ୍ତୁ
2. କେବଳ ପାଦର ଉପରି ଅଂଶ ନୁହେଁ ବରଂ ଆଙ୍ଗୁଠି ସନ୍ଦି ମଧ୍ୟ ଭଲରେ ପୋଛି ଶୁଖିଲା ରଖନ୍ତୁ
3. ରାତିରେ ଶୋଇବା ପୂର୍ବରୁ ମଏଶ୍ଚରାଇଜର୍ କିମ୍ବା ନଡ଼ିଆ ତେଲ ଲଗାନ୍ତୁ। ପାଦ ଓଦା ହେବାର ସମ୍ଭାବନା ରହୁଥିଲେ ଘରୁ ବାହାରିବା ପୂର୍ବରୁ ମଧ୍ୟ ଆଙ୍ଗୁଠି ସନ୍ଦିରେ ନଡ଼ିଆ ତେଲ ଲଗାଇ ପାରନ୍ତି
4. ବର୍ଷା ଋତୁରେ ପାଦର ନଖ ନିୟମିତ କାଟି ଛୋଟ ଓ ସଫା ରଖନ୍ତୁ। ନଖ କୋଣରେ ମଇଳା ଜମିଥିବାର ସମ୍ଭାବନା ଥିଲେ ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ରେ ସଫା କରି ପାରନ୍ତି
5. ହ୍ୟାଣ୍ଡ୍-ବ୍ୟାଗରେ ସବୁବେଳେ ଗୋଟିଏ ଜୋଡି ମୋଜା ଅଧିକ ରଖନ୍ତୁ, ପିନ୍ଧି ଥିବା ମୋଜା ଓଦା ହୋଇଗଲେ ତୁରନ୍ତ ବଦଳାଇ ନିଅନ୍ତୁ।
6. ପାଦର 3-S Care(Soak, Scrub, Smooth): ସପ୍ତାହରେ ଥରେ ଉଷୁମ ପାଣିରେ କିଛି ଲୁଣ ଏବଂ ଆଣ୍ଟିସେପଟିକ୍ ଲୋସନ୍ ମିଶାଇ ପାଦକୁ ୧୫-୨୦ ମିନିଟ୍ ବୁଡାଇ ରଖନ୍ତୁ। ୟା ପରେ ଗୋଟିଏ ତଉଲିଆ କମ୍ବା ମୋଟା କପଡାରେ ହାଲକା ଘଷି (ବେଶୀ ରଗଡିବେ ନାହିଁ) ସଫା କରନ୍ତୁ। ତା’ପରେ ପାଦ ସାଧାରଣ ପାଣିରେ ଧୋଇ, ଭଲରେ ପୋଛି ମଏଶ୍ଚରାଇଜର୍ ଲଗାନ୍ତୁ (ନହେଲେ ପାଦର ଜଳୀୟ ଅଂଶ ଉଡିଯାଏ ଓ ଚମଡା ଅଧିକ ଫାଟେ)।
ଜୋତା ବାଛିବେ କେମିତି:
● ପବନ ଆତଯାତ ବା ଦୁଇ ପାଖ ଖୋଲା ଥିଲା ପରି ଓ୍ବାଟର୍-ଫ୍ରୁଫ୍ ଜୋତା କିମ୍ବା ଲୋଫର୍ସ ବାଛନ୍ତୁ
● ବର୍ଷାରେ ଚମଡା କିମ୍ବା କାନଭାସ୍ ସୁ ପିନ୍ଧନ୍ତୁ ନାହିଁ
● ଗୋଟିଏ ଜୋତାକୁ ସପ୍ତାହ ସାରା ନପିନ୍ଧି ଅନ୍ୟ ଜୋତା ସହ ବଦଳାଇ ପିନ୍ଧନ୍ତୁ
● ଜୋତା ରଖିବା ସମୟରେ ତା’ ଭିତରେ ସିଲିକା ପ୍ୟାକ୍ ରଖି ପାରନ୍ତି, ଏହା ଦ୍ବାରା ଜୋତାର ଆଦ୍ରତା ଦୂର ହୁଏ ଏବଂ ଦୁର୍ଗନ୍ଧ ହୁଏ ନାହିଁ
● ଜୋତା ପିନ୍ଧିବା ପୂର୍ବରୁ ସେଥିରେ ଆଣ୍ଟି ଫଙ୍ଗାଲ୍ ପାଓଡର ବ୍ୟବହାର କରି ପାରନ୍ତି
● ଜୋତା ଓଦା ହୋଇଥିଲେ ନଶୁଖିବା ପର୍ଯ୍ୟନ୍ତ ପିନ୍ଧନ୍ତୁ ନାହିଁ
● ଏବେ ବଜାରରେ ସୁ-କଣର ମଧ୍ୟ ମିଳିଲାଣି, ଓଦା ହେବାର ଆଶଙ୍କା କିମ୍ବା ମଧୁମେହ ଥିଲେ ଚାଲିବା ସମୟରେ ଜୋତା ଉପରେ ଏହାକୁ ପିନ୍ଧି ପାରିବେ
● ନିୟମିତ ଭାବରେ ଜୋତା ଧୋଇ ସଫା ରଖନ୍ତୁ
ଡାକ୍ତରଙ୍କ ପରାମର୍ଶ କେତେବେଳେ ନେବେ (ପାଦର ବିଶେଷଜ୍ଞଙ୍କୁ Podiatrist (ପୋଦାୟାଟ୍ରିଷ୍ଟ) କୁହାଯାଏ)
● ଆପଣ ଜଣେ ମଧୁମେହ ରୋଗୀ ଏବଂ ପାଦରେ କୌଣସି ଚମଡା ଫାଟିବା କିମ୍ବା ଖଣ୍ଡିଆ ଲକ୍ଷ୍ୟ କଲେ
● ସାଧାରଣତଃ ଚମଡା ଫାଟି ରହୁଥିବା ସ୍ଥାନରୁ ରକ୍ତସ୍ରାବ ହେଲେ କିମ୍ବା ଦରଜ ବଢିଲେ
● ପାଦ ଲାଲ୍ ପଡି, ଫୁଲା ଏବଂ ଦରଜ ରହିଲେ
● ପାଦର କୁଣ୍ଡାଇ ହେବା ଅସହ୍ୟ ହେବା ସହ ଜଳାପୋଡା ଏବଂ ଚମଡା ଛାଡିଲେ
● ଆଙ୍ଗୁଠି ନଖ ହଳଦିଆ ପଡି ମୋଟା ଓ ଭଙ୍ଗୁର ହୋଇଗଲେ
● ଲୋମକୂପ ବ୍ରଣ ନଶୁଖି ପୂଜ କିମ୍ବା ଦୁର୍ଗନ୍ଧ ହେଲେ
● ଡାକ୍ତରଙ୍କ ବିନା ପରାମର୍ଶରେ ଖଣ୍ଡିଆ ହୋଇଥିବା ସ୍ଥାନରେ ସୋସିଆଲ ମିଡିଆରୁ ଯାହା ବି ଦେଖିଲେ ବ୍ୟବହାର କରିବା କିମ୍ବା ଲେପ ଦେବା ଆରମ୍ଭ କରନ୍ତୁ ନାହିଁ। ଅନାବଶ୍ୟକ ସ୍ଥଳରେ ଦୋକାନରୁ ଯାହା ବି କ୍ରିମ ମିଳିବ ଆଣି ଲଗାନ୍ତୁ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751268789.jpg)