ଡାଇବେଟିସ୍ ପାଇଁ ଉପଯୋଗୀ ଫଳ
ଫଳରେ ଥିବା ସୁଗାର ବା ଶର୍କରା ପ୍ରାକୃତିକ ଅଟେ, ଏହା ଥଣ୍ଡା ବା ମୃଦୁ ପାନୀୟ, ମିଠା, କେକ୍, କୁକିଜ୍ ଆଦି ଠାରୁ ଭିନ୍ନ। ଯଦିଓ ଫଳରେ ପ୍ରାକୃତିକ ସୁଗାର ଫ୍ରୁକ୍ଟୋଜ୍ ଏବଂ ଗ୍ଲୁକୋଜ ରହିଥାଏ, ଆହୁରି ବି ଏଥିରେ ରହିଥାଏ ଶରୀର ପାଇଁ ଅତ୍ୟାବଶ୍ୟକ ମିନେରାଲ୍ସ, ଭାଇଟାମିନ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟସ୍, ଯାହା ଶରୀରର ମା°ସପେଷୀ, ସ୍ନାୟୁ, ହାଡ ତଥା ସୁସ୍ଥ ମସ୍ତିଷ୍କ ପାଇଁ ଜରୁରୀ। ତେଣୁ ଡାଇବେଟିସ୍ ବା ମଧୁମେହରେ ମଧ୍ୟ ସଠିକ୍ ମାତ୍ରାରେ ସଠିକ ଫଳ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇ ନଥାଏ ଏବଂ ରକ୍ତରେ ଶର୍କରାର ମାତ୍ରା ହଠାତ୍ ବଢି ନଥାଏ।
ଫଳ ଖାଇଲେ ବ୍ଲଡ ସୁଗାର ବଢେ କାହିଁକି: ଫଳରେ ପ୍ରାକୃତିକ ଶର୍କରା ଫ୍ରୁକ୍ଟୋଜ୍ ଏବଂ ଗ୍ଲୁକୋଜ୍ ରହିଥାଏ, ଯାହା ମଣିଷ ଫଳ ଖାଇବା ଦ୍ବାରା ପାଚନତନ୍ତ୍ରରୁ ରକ୍ତରେ ସାମିଲ୍ ହୋଇଥାଏ। ଜଣେ ସାଧାରଣ ମଣିଷ କ୍ଷେତ୍ରରେ, ମେଟାବୋଲିଜମ୍ ମାଧ୍ୟମରେ କୋଷ ଗୁଡିକ ଦ୍ବାରା ଶର୍କରାର ଅବଶୋଷଣ ଘଟେ ତେଣୁ ରକ୍ତରେ ସୁଗାରର ମାତ୍ରା ବଢେ ନାହିଁ।
କିନ୍ତୁ ମଧୁମେହରେ ଇନ୍ସୁଲିନର ଅଭାବ (ଟାଇପ୍ ଓ୍ବାନ୍) କିମ୍ବା ଇନ୍ସୁଲିନ୍ ପ୍ରତିରୋଧ (ଟାଇପ୍ ଟୁ) କାରଣରୁ ଶର୍କରା ମେଟାବୋଲିଜିମ୍ ବାଧାପ୍ରାପ୍ତ ହୁଏ ଏବଂ କୋଷ ଗୁଡିକ ଏହାକୁ ଅବଶୋଷଣ କରି ପାରନ୍ତି ନାହିଁ। ତେଣୁ ଫଳ ଖାଇବା ଦ୍ବାରା ମଧୁମେହରେ ରକ୍ତରେ ଶର୍କରାର ମାତ୍ରା ବା ବ୍ଲଡ ସୁଗାର ଲେଭେଲ୍ ବଢି ଯାଏ। କିନ୍ତୁ ଏହି ରକ୍ତ ସୁଗାରର ମାତ୍ରା ବଢିବା ଖାଉଥିବା ଫଳର ଗ୍ଲାଇସେମିକ୍ (GI Index) ଇଣ୍ଡେକ୍ସ ଉପରେ ନିର୍ଭର କରିଥାଏ। ଅଧିକ ବା high GI index ଫଳ ଖାଇବା ଦ୍ବାରା ରକ୍ତ ଶର୍କରା ତୁରନ୍ତ ବଢିବା ସହ ତନ୍ତୁ ଯୁକ୍ତ ଏବଂ କମ୍ ବା low GI index ଫଳ ଖାଇବା ଦ୍ବାରା ଶର୍କରା ଧିରେଧିରେ କାମ କରେ।
ଡାଇବେଟିସରେ କେଉଁ ଫଳ ଗ୍ରହଣୀୟ:
ଅମୃତଭଣ୍ଡା
ପିଜୁଳି
ତରଭୁଜ
ଆପଲ୍/ ସେଓ
ପିଅର୍/ ନାସପାତି
କମଳା, ମୋସମ୍ବୀ
ସପୁରୀ
ପିଚ୍
କିଓ୍ବି
ଷ୍ଟ୍ରବେରୀ, ବ୍ଲୁବେରୀ
ଡାଇବେଟିସରେ କେଉଁ ଫଳ ଖାଇବେ ନାହିଁ:
ଆମ୍ବ
ପାଚିଲା ପଣସ
ପାଚିଲା କଦଳୀ
ଅଙ୍ଗୁର
ସପେଟା
ଖଜୁରୀ, କିସମିସ୍, ଶୁଖିଲା ଫଳ
ଫଳ ରସ/ ଜୁସ୍
ପଇଡ ପାଣି
ଡାଇବେଟିସରେ କେତେ ମାତ୍ରାରେ ଫଳ ଖାଇ ପାରିବେ:
ଦିନରେ ୧ - ୨ ଥର ଫଳ ଖାଇ ପାରିବେ।
ଫଳ ଖାଇବା ସମୟରେ ଅନୁମାନ ନକରି ଥରକେ ଗୋଟିଏ “କପ୍” ମାତ୍ରାର ଫଳ ଯେଉଁଥିରେ କି ପାଖାପାଖି ୧୫ ଗ୍ରାମ୍ ଶ୍ବେତସାର ରହିଥିବ, ମାପିକରି ଖାଆନ୍ତୁ:
ଗୋଟିଏ ଛୋଟ ଆପେଲ୍ କିମ୍ବା କମଳା/ ମଧ୍ୟମ ଧରଣର ଆପେଲ୍ କିମ୍ବା କମଳାରୁ ଫାଳେ
ଫାଳେ ମଧ୍ୟମ ଧରଣର କଦଳୀ
ପାଚିଲା ଅମୃତଭଣ୍ଡା କିମ୍ବା ଆମ୍ବର ଛୋଟ ଖଣ୍ଡ
ତିନି ଚତୁର୍ଥାଶ° କପ୍ ତରଭୁଜ କିମ୍ବା ଖରଭୁଜ, ବ୍ଲୁ-ବେରୀ
ଗୋଟିଏ ଛୋଟ ପିଜୁଳି
୧ କପ୍ ଗୋଟା ଷ୍ଟ୍ରବେରୀ
ଗୋଟିଏ କପର ଆଠ ଭାଗରୁ ଭାଗେ କିସମିସ୍
ଡାଇବେଟିସରେ ଫଳ ଖାଇବା ସମୟରେ ସାବଧାନତା:
ଫଳରସ ନୁହେଁ (ଘରେ ପ୍ରସ୍ତୁତ ହେଲେ ବି) ସମ୍ପୂର୍ଣ୍ଣ ଫଳ ବାଛନ୍ତୁ।
ଚୋପା ଯୁକ୍ତ ଫଳ ବାଛନ୍ତୁ, ଏଥିରେ ଫାଇବରର ମାତ୍ରା ଅଧିକ ଥାଏ
କେବଳ ଫଳ ନଖାଇ ତା’ସହ ନଟ୍ସ, ଛେନା (ସ୍କିମ୍ଡ ମିଲ୍କରୁ ପ୍ରସ୍ତୁତ), ଦହି, ଗଜା ମୁଗ-ବୁଟ ଖାଆନ୍ତୁ। ଏହାଦ୍ବାରା ରକ୍ତରେ ହଠାତ୍ ସର୍କରା ମାତ୍ରା ବଢି ନଥାଏ।
ରାତିରେ ଭୋଜନ ପରେ କିମ୍ବା ଶୋଇବା ପୁର୍ବରୁ ଫଳ ଖାଆନ୍ତୁ ନାହିଁ।
ବିଭିନ୍ନ ପ୍ରକାର ଫଳ ମିଶାଇ ବା ଫ୍ରୁଟ୍ ସାଲାଡ୍ ଖାଆନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କ ସର୍କରା ଉପରେ କେଉଁ ଫଳ କି ପ୍ରକାର ପ୍ରଭାବ ପକାଉଛି ଆପଣଙ୍କ ପକ୍ଷେ ଜାଣିବା କଷ୍ଟକର ହେବ।
କୌଣସି ନୂଆ ପ୍ରକାର ଫଳ ପ୍ରଥମକରି ଖାଇବା ପରେ ନିଜର ବ୍ଲଡ୍ ସୁଗାର ଜାଞ୍ଚକରି ଦେଖନ୍ତୁ ଏବଂ ଆଉ ଥରେ ତାକୁ ଖିଆଯିବ କି ନାହିଁ ନିଶ୍ଚିତ କରନ୍ତୁ।
ଋତୁଗତ ଏବଂ ସ୍ଥାନୀୟ ଉତ୍ପାଦିତ ଫଳ ଅଧିକ ଖାଆନ୍ତୁ, ଶରୀର ପକ୍ଷରେ ଏହାକୁ ଗ୍ରହଣ କରିବା ଏବଂ ପାଚନ କରିବା ସହଜ ହୋଇଥାଏ।
ଫଳ ଆମର ଶତ୍ରୁ ନୁହେଁ କିମ୍ବା ଡାଇବେଟିସ ଭୋଗୁଥିବା ବ୍ୟକ୍ତି ପାଇଁ ବିଷ ନୁହେଁ। ସନ୍ତୁଳିତ ଏବଂ ସାବଧାନତାର ସହ, ଉପଯୁକ୍ତ ମାତ୍ରାର ଏବଂ ଉପଯୁକ୍ତ ଫଳ ବାଛି ପାରିବା ତାହେଲେ ଫଳ ମଧ୍ୟ ଡାଇବେଟିସରେ ଉପକାରୀ ସାବ୍ୟସ୍ତ ହୋଇପାରେ। ଆପଣ ନିଜେ ହିଁ ଭାବନ୍ତୁ ନା’, ଲୋଭକରି ଏକାଥରେ ଗୋଟିଏ ଥର ଖାଇଦେଇ ତା’ପରେ ସମ୍ପୂର୍ଣ୍ଣ ବାରଣରେ ରହିବା ଅପେକ୍ଷା ଅଳ୍ପ ଅଳ୍ପ କରି ସବୁଦିନେ ଉପଭୋଗ କରିବା, ଆନନ୍ଦଦାୟକ ନୁହେଁ କି?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749110351.jpg)