ଗ୍ରୀଷ୍ମ ଋତୁରେ ଯେ କେବଳ ତାପମାତ୍ରା ବଢି ଗରମ ଲାଗେ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ହୋଇ ଝାଳ ହୁଏ ଖାଲି ଏତିକି ସମସ୍ୟା ନଥାଏ। ଗ୍ରୀଷ୍ମ ଋତୁରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଯାଇଥାଏ। କିନ୍ତୁ ଆମ ଯଦି ଆଗୁଆ ସଚେତନ ଓ ସାବଧାନ ରହିବା, ତେବେ ଗ୍ରୀଷ୍ମ ଋତୁରେ ହେବାକୁ ଥିବା ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ଗୁଡିକୁ ଏଡାଇ ପାରିବା।
୧. ଗ୍ରୀଷ୍ମ ଋତୁରେ ତ୍ବଚାର ଯତ୍ନ:
ତୀବ୍ର ଖରା କିମ୍ବା ଦିନ ୧୧ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଖରାରେ ପଦାକୁ ବାହାରନ୍ତୁ ନାହିଁ।
ଘର ଭିତରେ କିମ୍ବା ବାଲକୋନୀ କୁ ଗଲେ ମଧ୍ୟ ସନ୍-ସ୍କ୍ରିନ୍ ନିଶ୍ଚୟ ବ୍ୟବହାର କରନ୍ତୁ। ଏସ୍ ପି ଏଫ୍ ୩୦ -୫୦ ମଧ୍ୟର ସନ୍-ସ୍କ୍ରିନ୍ ଉପାଦେୟ। ତୈଳୀୟ ତ୍ବଚା ହୋଇଥିଲେ ଜେଲ୍ ବେସ୍ଡ ସନ୍-ସ୍କ୍ରିନ୍ ବ୍ୟବହାର କରି ପାରନ୍ତି। ଘରୁ ବାହାରେ ଥିଲେ କିମ୍ବା ଫିଲ୍ଡ ଜବରେ ପ୍ରତି ୨-୩ ଘଣ୍ଟାରେ ଥରେ ସନ୍-ସ୍କ୍ରିନ୍ ଲଗାଇବା ଉଚିତ। କେବଳ ଗ୍ରୀଷ୍ମ ନୁହେଁ ନିୟମିତ ସନ୍-ସ୍କ୍ରିନର ବ୍ୟବହାର ଦ୍ବାରା ଆପଣ ଲକ୍ଷ୍ୟ କରିବେ ଆପଣଙ୍କ ତ୍ବଚାରୁ ଅନେକ ଦାଗ ଦୂର ହେବା ସହ ରଙ୍ଗରେ ସମାନତା ଆସିବା ସହ ଓ ତ୍ବଚା ମସୃଣ ରହିବ। ଓଠ, ଆଖିପତା, କାନ ଏବଂ ପାଦ ଉପରେ ମଧ୍ୟ ସନ୍-ସ୍କ୍ରିନ୍ ଲଗାନ୍ତୁ।
ଖରାରେ ବୁଲାବୁଲି କରିଥିଲେ ସନ୍ଧ୍ୟାରେ ଘିକୁଆଁରୀ ରସ, ଥଣ୍ଡା ଦହି, ଚନ୍ଦନ ଲେପ, ଥଣ୍ଡା ହଳଦୀ ଲେପ ଆଦି ତ୍ବଚାକୁ ଥଣ୍ଡା ରଖେ, ଘିମିରି ହେବାକୁ ଦିଏନି ବରଂ କୁଲି° ଇଫେକ୍ଟ ଦେଇଥାଏ।
ଯଦି ସନ୍-ବର୍ଣ୍ଣ ହୋଇଥାଏ ତାହେଲେ ଦହିରେ ଓଟ୍ସ ପାଓଡର କିମ୍ବା ମୁଲତାନୀ ମାଟି ମିଶାଇ ଲେପ ଲଗାନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।
ରାତିରେ ମଏଶ୍ଚରାଇଜର୍ ନିଶ୍ଚୟ ବ୍ୟବହାର କରନ୍ତୁ
ଗାଧେଇବା ପାଇଁ ଗରମ ପାଣି ବ୍ୟବହାର ନକରି ଥଣ୍ଡା ପାଣି ବ୍ୟବହାର କରନ୍ତୁ। ଗରମପାଣି ଝାଳ ଓ ଡିହାଇଡ୍ରେସନର କାରଣ ହୋଇଥାଏ।
କାନଭାସ୍ କିମ୍ବା ମୋଟା କପଡାରେ ପ୍ରସ୍ତୁତ ଚଉଡା ବ୍ରିମ୍ ବା ସନ୍-ହାଟ୍ ବ୍ୟବହାର କରନ୍ତୁ। ଟୋପିର ରଙ୍ଗ ଗାଢ ହେଲେ ଅଧିକ ସୁରକ୍ଷା ମିଳିଥାଏ।
ଆଜିକାଲି ବଜାରରେ UV ray protected ବିଶେଷ ଜ୍ୟାକେଟ୍, କପଡା ଏବଂ ଛତା ମଧ୍ୟ ଉପଲବ୍ଧ ହେଲାଣି।
୨. ନିଜ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ:
ଡିହାଇଡ୍ରେସନକୁ ଏଡେଇବା ପାଇଁ ଦିନକୁ ଅତି କମରେ ୨-୩ ଲିଟର ପାଣି ପିଅନ୍ତୁ (ଯଦି ହୃଦରୋଗ କିମ୍ବା ଯକୃତ ରୋଗ ଥାଏ ଆପଣ ନିୟମିତ ଚିକିତ୍ସକଙ୍କୁ ପରାମର୍ଶ କରନ୍ତୁ)
ସାଧାରଣତଃ ପିଲାମାନେ ପାଣି ପିଇବା ପାଇଁ ଅରାଜି ହୁଅନ୍ତି, ତେବେ ଘରେ ଗୋଟିଏ କାଚ ପାତ୍ରରେ ପାଣି ରଖି ସେଥିରେ ଲେମ୍ବୁର ପତଳା ଖଣ୍ଡ ୨-୩ଟି, କିଛି ଡାଳିମ୍ବ ମଞ୍ଜି, ତୁଳସୀ ପତ୍ର, ପୁଦିନା ପତ୍ର କିମ୍ବା ସରୁ ଅଦା ଖଣ୍ଡ, ମଲ୍ଲୀଫୁଲ ୧-୨ଟି କିମ୍ବା ଦେଶୀ ଗୋଲାପ ପାଖୁଡା ପକାଇ ରଖି, ସେହି ପାଣିକୁ ପିଇବା ପାଇଁ ଦେଲେ ପିଲାମାନେ ଖୁସିରେ ପିଅନ୍ତି।
ପ୍ୟାକେଜ୍ଡ କିମ୍ବା ବଜାରରେ ମିଳୁଥିବା ଜୁସ୍ ଅପେକ୍ଷା ଘରେ ତଟକା ଫଳର ରସ ପ୍ରସ୍ତୁତ କରନ୍ତୁ, ପଇଡ ପାଣି, ଘୋଳ ଦହି ଆଦି ଅଧିକ ସେବନ କରନ୍ତୁ।
୩. ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ:
ପଖାଳ, ତୋରାଣି ଓ ଭାତ ସହ ଦହି ଖାଆନ୍ତୁ, ଏହି ଖାଦ୍ୟ ଗୁଡିକ ପ୍ରୋବାୟୋଟିକ୍ସର କାମ କରନ୍ତି, ଯାହାକି ପାଚନତନ୍ତ୍ରର ସ୍ବାସ୍ଥ୍ୟ ପାଇଁ ଉତ୍ତମ।
ଅଧିକ ତେଲ ମସଲା, ଛଣାଛଣି କିମ୍ବା ଆମିଷ ଦ୍ରବ୍ଯ ଅପେକ୍ଷା ଅଧିକ ପରିବା ଯୁକ୍ତ ତରକାରୀ କିମ୍ବା ସନ୍ତୁଳା ଗ୍ରହଣ କରିବା ଭଲ।
ତରଭୁଜ, ଖରଭୁଜ, ଜାମୁରୋଳ, ଆମ୍ବ, ତାଳସଜ, କାକୁଡି, ଅମୃତଭଣ୍ଡା ପରି ଗ୍ରୀଷ୍ମ ଋତୁର ଫଳ ସେବନ କରନ୍ତୁ।
ଆଉଟ୍-ଡୋର୍ ପିକନିକ୍ କିମ୍ବା ଭୋଜି ଏ ସମୟରେ ପ୍ଲାନ୍ କରନ୍ତୁ ନାହିଁ ।
ଅଧିକ ପଢ଼ନ୍ତୁ : ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ
୪. ବିଶେଷ ବ୍ୟାୟାମ:
ଫୁଟବଲ୍, ଭଲିବଲ୍, କ୍ରିକେଟ୍ ଅପେକ୍ଷା ପହଁରିବା ଗ୍ରୀଷ୍ମ ଋତୁରେ ଭଲ
ପିଲାମାନଙ୍କୁ ଇଣ୍ଡୋର୍-ଗେମ୍ସ ପାଇଁ ଉତ୍ସାହିତ କରନ୍ତୁ
ଓ୍ବାଟର୍-ଏରୋବିକ୍ସ ମଧ୍ୟ ଗୋଟିଏ ଭଲ ଅପ୍ସନ୍
ପିଲାମାନଙ୍କୁ ଦିନ ସମୟରେ ଘରେ ପଢାପଢି କରି ଖରା ନଇଁଲା ପରେ କିମ୍ବା ସନ୍ଧ୍ୟାରେ ଖେଳିବା ପାଇଁ ଉତ୍ସାହିତ କରନ୍ତୁ
ସକାଳ ଓ ସନ୍ଧ୍ୟାରେ ଚାଲିବା ମଧ୍ୟ ଉତ୍ତମ
୫. ପାଦର ଯତ୍ନ:
ଚିପା ଜୋତା ନପିନ୍ଧି ଖୋଲା, ପବନ ଆତଯାତ କରୁଥିବା ଯୋତା ପିନ୍ଧନ୍ତୁ। ଘରକୁ ଫେରିଲେ ଜୋତା ଭିତରେ ପାଉଡର୍ ଛିଞ୍ଚି କିମ୍ବା ସିଲିକା ପ୍ୟାକ୍ ରଖନ୍ତୁ।
ପ୍ରତିଦିନ ସଫା ମୋଜା ପିନ୍ଧନ୍ତୁ
ଘରକୁ ଫେରି ସନ୍ଧ୍ୟାରେ ଲେମ୍ବୁରସ ମାଲିସ କରନ୍ତୁ, ଏହା ଝାଳ ଦୁର୍ଗନ୍ଧ ଦୂର କରେ
ଗରମ ପାଣି ଅପେକ୍ଷା ଥଣ୍ଡା ପାଣିରେ ପାଦ ଧୋଇବା ଉତ୍ତମ
ରାତିରେ ପାଦରେ ମଏଶ୍ଚରାଇଜର୍ ଲଗାଇ ଶୁଅନ୍ତୁ, ଏହା ପାଦକୁ ନରମ ରଖିବା ସହ ଝାଳକୁ ନିୟନ୍ତ୍ରଣ କରେ।
୬. ଆଖିର ଯତ୍ନ:
ଖରାକୁ ଯିବା ସମୟରେ ଉପଯୁକ୍ତ ସନ୍-ଗ୍ଲାସ୍ ବ୍ୟବହାର କରନ୍ତୁ। ୯୯-୧୦୦% UVA & UVB protection ଲେବଲ୍ ଥିବା ଚଷମା ବ୍ୟବହାର କରନ୍ତୁ।
ଆଖି ଜଳାପୋଡା ହେଲେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ।
କାକୁଡି, ଆଳୁ ଖଣ୍ଡ କିମ୍ବା ଟି-ବ୍ୟାଗ୍ ଆଖି ଉପରେ ରଖିଲେ ଆରାମ ମିଳିବା ସହ କଳାଦାଗ ମଧ୍ୟ ଦୂର ହୁଏ।
ଫ୍ରିଜ୍ ଭିତରେ ଷ୍ଟିଲ୍ ଚାମଚ ରଖି ଆଖିକୁ ସେକଦେଲେ ଆରାମ ମିଳିଥାଏ।
ଅଧିକ ପଢ଼ନ୍ତୁ: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି
୭. ଅଧିକ ଜ୍ବର ଆସିଲେ, ମୁଣ୍ଡ ବୁଲାଇଲେ, ବାନ୍ତି ଲାଗିଲେ, ତରଳ ଝାଡା ହେଲେ, ଅସ୍ତବ୍ୟସ୍ତ ଲାଗିଲେ, ପରିସ୍ରାର ମାତ୍ରା ହ୍ରାସ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ବି.ଦ୍ର. – ଏହା ଲେଖିକାଙ୍କ ନିଜସ୍ୱ ମତ ।