ବିଶ୍ବରେ ନମ୍ବର ୱାନ୍ କିଲର୍ ପାଲଟିଛି ହୃଦରୋଗ; କ’ଣ କଲେ ଜଣେ ଦୂରେଇ ରହିପାରିବ ? ଜାଣନ୍ତୁ...

ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।

Heart Disease

ବଢ଼ିଚାଲିଛି ହୃଦରୋଗ । ଅଚାନକ ନେଇଯାଉଛି ଜୀବନ। ଏହି ରୋଗ ଏବେ କେବଳ ବୟସ୍କଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ, ବରଂ ଅଧିକରୁ ଅଧିକ ଯୁବକ ଏହାର ଶିକାର ହେଉଛନ୍ତି । ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟାୟାମ ନକରିବା ଯୋଗୁଁ ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ? ଆଜି ବିଶ୍ବ ହୃଦୟ ଦିବସ ଅବସରରେ ପଢନ୍ତୁ ଏହି ରିପୋର୍ଟ।

ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ। ପୂର୍ବରୁ ସାଧାରଣତଃ ୫୦ ଟପିବା ପରେ ହୃଦରୋଗ ହେଉଥିବା ବେଳେ, ଏବେ ୩୫-୪୦ ବର୍ଷରେ ବି ଅନେକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ହୃଦରୋଗ ବିଶେଷଜ୍ଞଙ୍କ କହିବା କଥା, ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତ ସମେତ ଏସୀୟ ରାଷ୍ଟ୍ରଗୁଡ଼ିକରେ ୧୦-୧୨ ବର୍ଷ ପୂର୍ବରୁ ହୃଦରୋଗର ଶିକାର ହେଉଛନ୍ତି।

ସେହିପରି ବିଶ୍ବରେ ଯେଉଁଠି ହୃଦରୋଗ ଯୋଗୁ ପ୍ରତି ଲକ୍ଷେ ଲୋକରୁ ହାରାହାରି ୨୩୩ ଜଣଙ୍କ ମୃତ୍ୟୁ ହେଉଛି, ସେଇଠି ଆମ ଦେଶରେ ଏ ସଂଖ୍ୟା ୨୮୨ । ତେବେ କ’ଣ ଏହାର କାରଣ ? ହୃଦରୋଗ ବିଶେଷଜ୍ଞଙ୍କ ମତ, ପରିବର୍ତ୍ତିତ ଜୀବନ ଶୈଳୀ, ଚାପଗ୍ରସ୍ତ ଜୀବନ ଏହାର ସବୁଠାରୁ ବଡ଼ କାରଣ । ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ବି ହୃଦରୋଗର ବାହକ ପାଲଟୁଛନ୍ତି । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଶିକ୍ଷିତ ବର୍ଗ ବି ଶାରୀରିକ ବ୍ୟାୟାମ ନିୟମାବଳିକୁ ଅନୁସରଣ କରୁନାହାନ୍ତି । ସଚେତନତା ଅଭାବରୁ ହୃଦରୋଗ ବଢ଼ିଚାଲିଛି ବୋଲି କହିଛନ୍ତି ବିଶେଷଜ୍ଞ ।

ହୃତପିଣ୍ଡକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳନ ହେଉଛି ବିଶ୍ବ ହୃଦୟ ଦିବସ । ଚଳିତ ବର୍ଷର ଥିମ୍ ରହିଛି, ‘ୟୁଜ୍ ହାର୍ଟ ଫର୍ ଆକ୍ସନ’।  ଆସନ୍ତୁ ଜାଣିବା କ’ଣ କଲେ ଜଣେ ହୃଦରୋଗରୁ ଦୂରେଇ ରହିପାରିବ ? ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜୀବନଶୈଳୀରେ ୪ଟି ପରିବର୍ତ୍ତନ ଆମମାନଙ୍କୁ ହୃଦରୋଗ ହେବାରୁ ରକ୍ଷା କରିପାରିବ। ଫଳ ଓ ପରିବା ମିଶା ସନ୍ତୁଳିତ ଆହାର ଖାଆନ୍ତୁ । ପ୍ରତିଦିନ ରାତିରେ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ। ସପ୍ତାହରେ ଅତିକମରେ ୧୫୦ ମିନିଟ୍ ଚାଲନ୍ତୁ । ଧୂମପାନ ଓ ମଦ୍ୟପାନକୁ ଛାଡ଼ନ୍ତୁ।

ଦିନକୁ ଦିନ ଭାରତରେ ହୃଦରୋଗଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ସଚେତନତା ତଥା ଜୀବନଶୈଳୀରେ ପରିବର୍ତ୍ତନ ଏହାକୁ ରୋକିବା ଦିଗରେ ହୋଇପାରିବ ବଡ଼ ଅସ୍ତ୍ର ।