Health Insurance Fraud
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ଥିଲେ ମଣିଷ କିଛି କରିପାରିବ। ଅନ୍ୟପକ୍ଷରେ ଉତ୍ତମ ମାନର ଚିକିତ୍ସା ସୁବିଧା ପାଇବା ପାଇଁ ସମସ୍ତେ ହକଦାର । ହେଲେ ଆଜିକାଲିର ମହଙ୍ଗା ଯୁଗରେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ସାତସପନ । କିଛି ହେଲେ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ କରିବା ପାଇଁ ସତରେ ଭୟ ଲାଗୁଛି । ଚେକଅପ, ଔଷଧ ଖର୍ଚ୍ଚ ଆଉ ହସ୍ପିଟାଲର ବିଲ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ଆଉ ଏକାବେଳେ ଏତେ ଟଙ୍କା ଦେବା ସାଧାରଣ ଲୋକଙ୍କ ପକ୍ଷେ ଆଦୌ ସହଜସାଧ୍ୟ ସହଜ । ସେଥିପାଇଁ ଏବେ ଅନେକ ଲୋକ ରିହାତିରେ ଚିକିତ୍ସା ସେବା ପାଇବା ପାଇଁ ସ୍ୱାସ୍ଥ୍ୟ ବୀମା କରିବାକୁ ପସନ୍ଦ କରୁଛନ୍ତି । ହେଲେ ଦୁଃଖର ବିଷୟ ଏବେ ସ୍ୱାସ୍ଥ୍ୟବୀମା କମ୍ପାନୀ ଗୁଡ଼ିକ ମଧ୍ୟ ସେବା ନାଁରେ ଠକେଇ ଆରମ୍ଭ କରିଦେଲେଣି ।
ଚିକିତ୍ସା ବୀମାରେ ରିହାତି ପ୍ରଦାନ ନାଁରେ ହେଉଥିବା ଠକେଇ ସମ୍ପର୍କରେ ଆମେରିକୀୟଙ୍କୁ ସତର୍କ କରାଇଛି FBI । ପୂର୍ବରୁ ଶହ ଶହ ଲୋକଙ୍କୁ ବୋକା ବନାଇଥିବା ଏପରି ଯୋଜନା ସମ୍ପର୍କରେ ଆଲୋକପାତ କରିଛି ଏଫବିଆ ଏଜେନ୍ସି । ଏହି ଯୋଜନା କରିଥିବା ଲୋକେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଡଲାରର କ୍ଷତି ସହି ସାରିଛନ୍ତି । ପ୍ରତାରଣା କରି ହେଉ କିମ୍ବା ସିଧାସଳଖ ଭାବରେ ହେଉ ସୁଲଭ ସ୍ୱାସ୍ଥ୍ୟସେବାର ବିକଳ୍ପ ଖୋଜୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି କିଛି ଏପରି କମ୍ପାନୀ । ଆଉ ଠକେଇ ବୀମା ଯୋଜନାରେ ଟଙ୍କା ଦେଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଲୋକେ ।
ଏହି ଘୋଟାଲାର କିପରି ପର୍ଦ୍ଦାଫାଶ ହୋଇଛି ସେନେଇ ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପୀଡ଼ିତଙ୍କୁ ହଠାତ ଅଜଣା କମ୍ପାନୀରୁ କଲ ଆସୁଛି, ଆଉ ସେମାନେ ନିଜକୁ ବୈଧ ଚିକିତ୍ସା ବୀମା ପ୍ରଦାନ କରୁଥିବା କମ୍ପାନୀ ବୋଲି କହି ଲୋକଙ୍କୁ ଠକୁଛନ୍ତି । ଲୋକଙ୍କ ଅସହାୟତାର ସୁଯୋଗ ନେଇ ରିହାତି ପ୍ରଦାନର ମିଛ ପ୍ରତିଶ୍ରୁତି ଦିଅନ୍ତି । ଏହାସହ ବୀମା କରିବା ପାଇଁ ବ୍ୟକ୍ତିଙ୍କ ଉପରେ ଚାପ ପ୍ରୟୋଗ କରିଥାଆନ୍ତି । ସେଥିପାଇଁ ଅଧିକ ରିହାତିର ଲୋଭ ଦେଖାଉଥିବା ବୀମା କରୁଥିବା କମ୍ପାନୀ ଠାରୁ ଦୂରେଇ ରହିବା ପାଇଁ ଏଫବିଆଇ ଚେତାବନୀ ଦେଇଛି ।
ଏପରି ଠକେଇର ଶିକାର ହୋଇଥିବା ଲୋକମାନେ ବର୍ତ୍ତମାନ ଭୟଙ୍କର ଆର୍ଥିକ ପରିଣାମର ସମ୍ମୁଖୀନ ହେଉଛନ୍ତି । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । । ମେରିଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କୁ ଏକ ବର୍ଷର ସ୍ୱାସ୍ଥ୍ୟ ବୀମା ପଲିସି ପାଇଁ ଆଗୁଆ ଦେୟ ସହ ସଞ୍ଚୟ କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରାଯାଇଥିଲା। ଏହି ଯୋଜନାରେ ଡାକ୍ତରଙ୍କୁ ଦେଖାଇବା କିମ୍ବା ଜରୁରୀକାଳୀନ ଚିକିତ୍ସା ପାଇଁ ଖୁବ କମ ମୂଲ୍ୟ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା ।
କିନ୍ତୁ ଜରୁରୀକାଳୀନ ଅସ୍ତ୍ରୋପଚାର କରିବା ପରେ ସେ ଜାଣିପାରିଲେ ଯେ ଯୋଜନାଟି ପ୍ରତାରଣାପୂର୍ଣ୍ଣ ଥିଲା । ଯାହା ଫଳରେ ତାଙ୍କୁ ଚିକିତ୍ସା ପାଇଁ ୭୦୦୦ ଡଲାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ସେ କରିଥିବା ଯୋଜନା ଅନୁସାରେ ଚିକିତ୍ସା ସୁବିଧାରେ ରିହାତି ପ୍ରଦାନ କରିବା ପାଇଁ ମନା କରିଦେଇଥିଲେ ଡାକ୍ତରଖାନ କର୍ତ୍ତୃପକ୍ଷ । କାରଣ ସେପରି କୌଣସି ବୀମାକମ୍ପାନୀ ସରକାରଙ୍କ ଦ୍ୱାରା ପଞ୍ଜିକୃତ ନଥିଲା ।
ୱାସିଂଟନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଆଉ ଏକ ଫ୍ରଡ ସ୍ୱାସ୍ଥ୍ୟ ବୀମା କମ୍ପାନୀ ନିଜ ଚିକିତ୍ସା ଯୋଜନାକୁ ଭ୍ରମାତ୍ମକ ଭାବରେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଥିଲା । ଫଳରେ ୧୦୦ରୁ ଅଧିକ ଲୋକ ତାଙ୍କ ଜାଲରେ ଫସିଯାଇଥିଲେ, ଏବେ ସେହି ବୀମା କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି । ଅନ୍ୟପଟେ ଲୋକଙ୍କର ହଜାର ହଜାର ଟଙ୍କାର ଚିକିତ୍ସା ଖର୍ଚ୍ଚ ଅଟକି ରହିଛି ।
ପୂର୍ବରୁ ସେହି କମ୍ପାନୀ ବିରୋଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟ ବନ୍ଦ ପାଇଁ ଆଦେଶ ଜାରି ହୋଇଥିଲା, କିନ୍ତୁ ସେତେବେଳେକୁ ଅନେକ ଲୋକ ଠକ ବୀମା କମ୍ପାନୀର ଜାଲରେ ପଡ଼ି ସାରିଥିଲେ । କୌଣସି ବ୍ୟକ୍ତି ବିଶେଷ ଠକେଇର ଶିକାର ହୋଇଥିବା ସନ୍ଦେହ କଲେ ଇଣ୍ଟରନେଟ୍ କ୍ରାଇମ୍ କମ୍ପ୍ଲେଣ୍ଟ୍ ସେଣ୍ଟର (ଆଇସି୩)ରେ ରିପୋର୍ଟ ଦାଖଲ କରିବା ସହ ତଦନ୍ତରେ ସହାୟତା କରି ଯଥାସମ୍ଭବ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛି ଏଫବିଆଇ ।
ଠକେଇରୁ ରକ୍ଷା ପାଇବା ପାଇଁ କମ୍ପାନୀ ପକ୍ଷରୁ କିଛି ଟିପ୍ସ ପ୍ରଦାନ କରାଯାଇଛି :
• କମ୍ପାନୀର ବିଶ୍ୱସନୀୟତା ଜାଣିବା ପାଇଁ ରାଜ୍ୟର ବୀମା ଆୟୁକ୍ତ ସହିତ ଯୋଗାଯୋଗ କରନ୍ତୁ ।
• ବର୍ତ୍ତମାନ ଚିକିତ୍ସା ପ୍ରଦାନ କରୁଥିବା ଅନୁଷ୍ଠାନକୁ ଯାଇ ସତ୍ୟାସତ୍ୟ ଯାଂଚ କରନ୍ତୁ । ସଂପୃକ୍ତ ଅନୁଷ୍ଠାନ ବୀମା ଯୋଜନାକୁ ଗ୍ରହଣ ନକଲେ ସଚେତନ ହୋଇଯାଆନ୍ତୁ ।
• ବୀମା ଡକ୍ୟୁମେଣ୍ଟ ଗୁଡ଼ିକୁ ଭଲଭାବରେ ସମୀକ୍ଷା କରନ୍ତୁ ଏବଂ ସର୍ତ୍ତାବଳୀଗୁଡ଼ିକୁ ସମ୍ପୂର୍ଣ୍ଣ ବୁଝିବା ପାଇଁ ପ୍ରତି ଧାଡ଼ିକୁ ଭଲଭାବରେ ପଢ଼ି ବୁଝିବା ପାଇଁ ଚେଷ୍ଟା କରନ୍ତୁ ।
• ସମ୍ପୂର୍ଣ୍ଣ ଯାଞ୍ଚ ବିନା କୌଣସି ଯୋଜନାରେ ରାଜି ହେବା କିମ୍ବା ପୂର୍ବରୁ ଦେୟ ଦେବାରୁ ଦୂରେଇ ରୁହନ୍ତୁ।
ଆମେରିକାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ମହଙ୍ଗା ହେଉଥିବା ବେଳେ ଏପରି ଠକେଇ ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି । ଏକ ସର୍ଭେ ଅନୁସାରେ ୪୧ ପ୍ରତିଶତ ବୟସ୍କ ଆମେରିକୀୟ ମହଙ୍ଗା ସ୍ୱାସ୍ଥ୍ୟସେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାର ସୁଯୋଗ ନେଇ ଠକ ବୀମା କମ୍ପାନୀ ଗୁଡ଼ିକ ଅତି ସନ୍ତର୍ପଣରେ ନିଜର କାମ କରାଇ ନେଉଛନ୍ତି । ବୀମା ଯୋଜନାରେ ରିହାତି ପ୍ରଦାନ କରୁଥିବା କହି ଲୋକଙ୍କ ଠାରୁ ହଜାର ହଜାର ଡଲାର ଠକି ନେଉଛନ୍ତି । ସଚେତନ ରହି ଏପରି ବୀମା କମ୍ପାନୀ ବିରୋଧରେ ଅଭିଯୋଗ କରିବା ପାଇଁ ଏଫବିଆଇ ପକ୍ଷରୁ ଅନୁରୋଧ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747891785.jpeg)