Health Tips: ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ, ଜାଣନ୍ତୁ...

ସେ ମା°ସପେଷୀ ହେଉ କିମ୍ବା ଆଖି, ହାଡ଼ ହେଉ ଅବା ମସ୍ତିଷ୍କ, ଏ ସବୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପଡେ Vitamins। ତେବେ ଏ ଭିତରେ ଆପଣ ଅନେକଥର ଶୁଣୁଥିବେ Vit A, C, E, B3 ଯୁକ୍ତ ମଏଶ୍ଚରାଇଜର୍, ସନସ୍କ୍ରିନ୍, ଫାଉଣ୍ଡେସନ, ନାଇଟ୍ କ୍ରିମ୍, ଲୋସନ୍ କିମ୍ବା ସେରମ୍ ବିଷୟରେ। ତେବେ ସତର କ’ଣ ସୁନ୍ଦର ତ୍ବଚା ପାଇଁ ରହିଛି ଆବଶ୍ୟକତା ଏ vitamins ଗୁଡିକର। କିନ୍ତୁ ବିଜ୍ଞାପନ ଦେଖି ବ୍ୟବହାର କରିବା ଆଗରୁ ଜାଣିବା ଜରୁରୀ ନୁହେଁ କି ଆବଶ୍ୟକତା ବିଷୟରେ?

ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ

ଉନ୍ନବିଂଶ ଶତାବ୍ଦୀ ଆରମ୍ଭରେ ଯେତେବେଳେ ବୈଜ୍ଞାନିକ ଏବଂ ଚିକତ୍ସକମାନେ ଯେତେବେଳେ ସ୍କର୍ବି, ବେରିବେରି, ପେଲେଗ୍ରା, ରିକେଟ୍ ଏବଂ ଜେରୋପଥାଲମିଆ ପରି ରୋଗକୁ ଚିହ୍ନଟ କରି ଏହାର କାରଣ କୌଣସି ସ°କ୍ରମଣ କିମ୍ବା ବିଷାକ୍ତ ଦ୍ରବ୍ଯ ନୁହେଁ ବୋଲି ଅନୁଧ୍ୟାନରୁ ଜାଣିଲେ, ସେତେବେଳେ ଯାଇ ପ୍ରଥମେ ଭାଇଟାମିନ୍ସ ବିଷୟରେ ଜଣା ପଡିବା ଆରମ୍ଭ ହେଲା। ଅନେକ ବର୍ଷର ଗବେଷଣା ଏବଂ ଅନୁଧ୍ୟାନ ପରେ ବିଶେଷଜ୍ଞ ଜାଣି ପାରିଲେ ଯେ ମଣିଷ ପାଖରେ ଦେଖା ଯାଉଥିବା ସମସ୍ତ ରୋଗ କେବଳ କୌଣସି ସ°କ୍ରମଣ କିମ୍ବା ବିଷାକ୍ତ ରସାୟନ ଅଥବା ଦ୍ରବ୍ଯ କିମ୍ବା ଦୁର୍ଘଟଣା କାରଣରୁ ହୁଏ ନାହିଁ।

ଅନେକ ସମୟରେ କୌଣସି ଖାଦ୍ୟସାରର ଅଭାବରୁ ମଧ୍ୟ ଶାରୀରିକ ଲକ୍ଷଣ କିମ୍ବା ବ୍ୟାଧି ଦେଖାଯାଏ। ତା’ପରେ ଯାଇ ଭାଇଟାମିନ୍ସ ବିଷୟରେ ଉପଯୁକ୍ତ ଗବେଷଣା ଆରମ୍ଭ ହୋଇଥିଲା। ଉନ୍ନବିଂଶ ଶତାବ୍ଦୀର ଆରମ୍ଭରୁ ବି°ଶ ଶତାବ୍ଦୀର ମଧ୍ୟ ଭାଗ ଯାଏ ପ୍ରାୟତଃ ସମସ୍ତ ଭାଇଟାମିନ୍ସ ବିଷୟରେ ମଣିଷ ଅବଗତ ହୋଇ ସାରିଥିଲା। ୧୯୧୨ ମସିହାରେ Casimir Funk ଏହି ଭାଇଟାମିନ୍ (Vitamine) ଶବ୍ଦର ପ୍ରଚଳନ ଆରମ୍ଭ କରିଥିଲେ। ପ୍ରତ୍ୟେକ ଭାଇଟାମିନ୍ସର ମଣିଷ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏବଂ ଫିଜିଓଲୋଜି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିଥାଏ। କୌଣସି ଭାଇଟାମିନ୍ ଆଖି ପାଇଁ ଜରୁରୀ ହୋଇଥିବା ବେଳେ କେହି ମା°ସପେଷୀ ତ ଅନ୍ୟଟି ରକ୍ତ-ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ସେମିତି କିଛି ନିର୍ଦ୍ଦିଷ୍ଟ ଭାଇଟାମିନ୍ସ ମଣିଷ ତ୍ବଚା ବା ଚର୍ମର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଏବଂ ଏବେ ବଜାରରେ ଏହି ଭାଇଟାମିନ୍ ଯୁକ୍ତ ବିଭିନ୍ନ ପ୍ରସାଧନ ସାମଗ୍ରୀ ଓ ସେରମ୍ ମଧ୍ୟ ଉପଲବ୍ଧ ହେଲାଣି।

ସୁସ୍ଥ ଓ ମସୃଣ ତ୍ବଚା ପାଇଁ ଭାଇଟାମିନ୍ସ:

ଭାଇଟାମିନ୍ ସି (Vitamine C): ପ୍ରାକୃତିକ ଭାବରେ ଏହା ତ୍ବଚାର ଉପରି ପରସ୍ତରେ ରହିଥାଏ ଏବଂ କିଛି ମାତ୍ରାରେ ଆଭ୍ୟନ୍ତରୀଣ ପରସ୍ତରେ ମଧ୍ୟ ରହିଥାଏ। ଏହା ଶରୀରରେ କୋଲାଜେନ୍ ନିର୍ମାଣ ହେବାରେ ସାହାଯ୍ୟ କରେ, ଏହି ଅଓଲାଜେନ୍ ହିଁ ତ୍ବଚାକୁ firm ବା ଟାଣିକରି ରଖେ ଏବଂ ଝୁଲିବା ପାଇଁ ଦିଏ ନାହିଁ (ବୟସ ବଢିବା ସହ କୋଲାଜେନ୍ ପ୍ରସ୍ତୁତି କମିଯାଏ ଏବଂ ପ୍ରଖର ସୂର୍ଯ୍ୟକିରଣ କୋଲାଜେନକୁ ଭାଙ୍ଗିଦିଏ)। ଭାଇଟାମିନ୍ ସି କୋଲାଜେନ୍ ନିର୍ମାଣରେ ସାହାଯ୍ୟ କରି କୁଞ୍ଚିତ ରେଖା ବା wrinkles ଦୂର କରେ। ଏହା ମଧ୍ୟ ଶରୀରରେ Tyrosinase ଏଞ୍ଜାଇମ୍ ତିଆରିକୁ ପ୍ରତିରୋଧ କରେ। ଏହି ଏଞ୍ଜାଇମ୍ ହିଁ ଶରୀରରେ ମେଲାନିନ୍ (melanin) ତିଆରିରେ ସାହାଯ୍ୟ କରେ ଯାହା ତ୍ବଚାର ରଙ୍ଗକୁ ମଳିନ କରେ, pigmentation ଏବଂ sun tan ପାଇଁ ମଧ୍ୟ ଦାୟୀ। ଭାଇଟାମିନ୍ ସି ଗ୍ରହଣ କରିବା ଦ୍ୱାରା Sunscreen product ଗୁଡିକ ଅଧିକ ଭଲରେ କାମ କରନ୍ତି। Dermatologist ଏବଂ Cosmetologist ବ୍ରଣଦାଗ, କଳାଦାଗ, କୁଞ୍ଚିତ ରେଖା ଆଦିର ଚିକିତ୍ସା ପାଇଁ Vit C ବ୍ୟବହାର କରିଥାନ୍ତି। ପ୍ରାକୃତିକ ଭାବରେ ଅଅଁଳା, କମଳା, ଲେମ୍ବୁ, ଅମୃତଭଣ୍ଡା, ଷ୍ଟ୍ରବେରୀ, ଗଜା ମୁଗ-ବୁଟ, ବ୍ରୋକଲି, କ୍ୟାପସିକମ୍ ଆଦିରୁ Vit C ମିଳିଥାଏ।

ଭାଇଟାମିନ୍ ଏ (Vitamine A): ଏହା ଗୋଟିଏ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ। ଏହା ତ୍ବଚାର ଫୁଲା ଏବଂ ସ°କ୍ରମଣକୁ ପ୍ରତିରୋଧ କରିବାରେ ସାହାଯ୍ୟ କରି ମୁଖବ୍ରଣ ଆଦିରୁ ଉପସମ ଦେଇଥାଏ। ଏହି କାରଣରୁ ଗଭୀର ଏବଂ ତୀବ୍ର ମୁଖବ୍ରଣ, ବ୍ରଣଦାଗ ଆଦିର ଚିକିତ୍ସା ପାଇଁ ଏହାକୁ ଡାକ୍ତରଙ୍କ ଦ୍ବାରା ବ୍ୟବହାର କରାଯାଏ। ଏହା ଉଭୟ ବଟିକା ଏବଂ କ୍ରିମ୍/ ଜେଲ୍ ଆକାରରେ ଉପଲବ୍ଧ। Vitamin A ର ଅଭାବରୁ ତ୍ବଚା ଶୁଷ୍କ ହେବା, ଫାଟିବା ଏବଂ ଛୋଟ କାଠବ୍ରଣ ପରି ସମସ୍ୟା ମଧ୍ୟ ଦେଖାଯାଏ। ସେଇଥିପାଇଁ ବିଭିନ୍ନ ମେଶ୍ଚରାଇଜର୍ ଲୋସନ୍ ଏବଂ ତୈଳରେ Vitamin A ରହିଥାଏ। କୋଲାଜେନ୍ ପୁନଃନିର୍ମାଣରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଏହାର ବ୍ୟବହାର ଦ୍ବାରା କୁଞ୍ଚିତ ରେଖା ଦୂର ହୋଇ ତ୍ବଚା ମସୃଣ ଦେଖାଯାଏ। ତ୍ବଚାରେ ଦେଖା ଯାଉଥିବା ବୟସ ଜନିତ ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ Vitamin A ସାହାଯ୍ୟ କରେ। କଖାରୁ, ଗାଜର୍, ପାଚିଲା ଅମୃତଭଣ୍ଡା ପରି ହଳଦିଆ-କମଳା ଫଳ ଓ ପନିପରିବା, ଅଣ୍ଡା କେଶର, କର୍ଡ ଲିଭର୍ ଅଏଲ୍, କଲିଜା, ଦୁଗ୍ଧଜାତ ଦ୍ରବ୍ଯ ରୁ ପ୍ରାକୃତିକ ଉପାୟରେ Vit A ମିଳିଥାଏ।

ଭାଇଟାମିନ୍ ଇ (Vitamine E): ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ବଚାକୁ ସୁସ୍ଥ ରଖିଥାଏ। ସୂର୍ଯ୍ୟକିରଣର Ultra Violet କୁ ଅଧିଗ୍ରହଣ କରି ତ୍ବଚାର କ୍ଷୟକ୍ଷତି ରୋକିଥାଏ। ତ୍ବଚାରୁ କ୍ଷରଣ ହେଉଥିବା ତୈଳିୟ ପଦାର୍ଥ ସେବମ୍ (sebum)ରେ ପ୍ରାକୃତିକ ଉପାୟରେ Vit E ରହିଥାଏ, ଯାହା ତ୍ବଚାର ଆଦ୍ରତା ନଷ୍ଟ ହେବାକୁ ଦିଏ ନାହିଁ ଏବଂ ତାକୁ ମସୃଣ ରଖେ। ଏହାର ଅଭାବରେ ତ୍ବଚା ଟାଣ, ଶୁଷ୍କ ହୋଇ କୁଣ୍ଡାଇ ହେବା ଏବଂ ଦାଗ ପଡିଯିବା ପରି ସମସ୍ୟା ଦେଖାଯାଏ। ଖାଇବା ବା ସେବନ କରିବା ପାଇଁ ଏବଂ ତ୍ବଚାରେ ଲଗାଇବା (କ୍ରିମ୍, ଜେଲ୍, ସେରମ୍ ଆଦି) ପାଇଁ ଅଲଗା ଅଲଗା ପ୍ରକାରର Vit E ଉପଲବ୍ଧ ହୋଇଥାଏ। ଆଲ୍ମଣ୍ଡ, ଚିନାବାଦାମ, ସୂର୍ଯ୍ୟମୂଖି ମଞ୍ଜି, ବିଭିନ୍ନ ଭେଜଟେବଲ୍ ଅଏଲ୍, କଖାରୁ, ପାଳଙ୍ଗ ଶାଗ, ବିଟ୍ ଟମାଟୋ ଆଦି ଗ୍ରହଣ କରିବା ଦ୍ୱାରା Vit E ମିଳିଥାଏ।

ଭାଇଟାମିନ୍ ବି3 (Vitamine B3): ନିକଟରେ ଆପଣ ବଜାରରେ “ନିଆସିନ୍” ଯୁକ୍ତ ପ୍ରସାଧନ, ଫେସ୍ କ୍ରିମ୍ ବା ସେରମର ବହୁଳ ପ୍ରଚାର ଓ ଉପଲବ୍ଧ ହେବା ଦେଖୁଥିବେ। ଏହି ନିଆସିନ୍ ହିଁ ହେଉଛି Vit B3। ଉପରୋକ୍ତ ତିନୋଟି ଭାଇଟାମିନ୍ସ ପରି ଏହା Fat soluble ନହୋଇ Water soluble ହୋଇଥାଏ, ତେଣୁ ଏହା ଶରୀରରେ ଗଚ୍ଛିତ ଅବସ୍ଥାରେ ମିଳେ ନାହିଁ। ଏହା ତ୍ବଚାରୁ Free-radicleକୁ ଶେଷ କରିଦିଏ, ଯାହା ତ୍ବଚାର କ୍ଷୟକ୍ଷତିକୁ ରୋକିଥାଏ ଏବଂ ତ୍ବଚାର କ୍ଷତକୁ ଜଲଦି ଭରିଥାଏ। ତ୍ବଚାର ଆଦ୍ରତା ଧରିରଖି, ଏହାର texture ସୁନ୍ଦର କରେ, ମସୃଣ ଓ ଔଜଲ୍ୟ ବଢାଏ। ମୁଖବ୍ରଣ ଜନିତ ଫୁଲା ଓ ଦରଜ ନିୟନ୍ତ୍ରଣ କରେ। Vit B3 ସେରମ୍ କିମ୍ବା skin preparation ଲଗାଇବା ଦ୍ବାରା ବୟସ ଜନିତ କୁଞ୍ଚିତ ରେଖା, କଳାଦାଗ ଦୂର ହୋଇଥାଏ। ତଥା ଏହା ତ୍ବଚାର ଆଦ୍ରତା ନଷ୍ଟ ହେବାକୁ ଦିଏନାହିଁ, ତ୍ବଚାକୁ hydrated ରଖିଥାଏ। ନାଲି ଚାଉଳ, ମାଛ, ଅଣ୍ଡା, ମା°ସ, ବିନ୍ସ, ମଟର, ମସୁରଡାଲି, ଆମ୍ବ, ଚିନାବାଦାମ, କଖାରୁ ମଞ୍ଜି, ସୂର୍ଯ୍ୟମୂଖୀ ମଞ୍ଜି, ଅଳସି ମଞ୍ଜି ଆଦି Vit B3ର ଉତ୍ତମ ସ୍ରୋତ ଅଟେ।

ଭାଇଟାମିନ୍ ବି 5 (Vitamine B5) ବା ପାଣ୍ଟୋଥେନିକ୍ ଏସିଡ୍ ତ୍ବଚାରେ ଆଦ୍ରତା ନଷ୍ଟ ହେବାକୁ ଦିଏ ନାହିଁ। ଏହାଦ୍ବାରା ତ୍ବଚା ଉଜ୍ଜ୍ୱଳ, ମସୃଣ, ନରମ ରହିଥାଏ। ତ୍ବଚାରୁ କୁଞ୍ଚିତ ରେଖା ଦୂର ହୁଏ। ନାଲି ଚାଉଳ, ବିଭିନ୍ନ ପ୍ରକାର ମଞ୍ଜି, ଲିଭର୍ ଏବଂ କିଡନୀ, ଛତୁ, ଦୁଗ୍ଧଜାତ ଦ୍ରବ୍ଯରେ Vit B5 ଉତ୍ତମ ମାତ୍ରାରେ ରହିଥାଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)