ଡିଜିଟାଲ ଯୁଗର ତାଳେ ତାଳେ ମନୁଷ୍ୟ ସମାଜରେ ପ୍ରବେଶ କରୁଛି ନୂଆ ନୂଆ ଟେକ୍ନୋଲୋଜି । ଏବେ ଏହି ଟେକ୍ନୋଲୋଜି ଦୁନିଆରେ ଅଧିକ ଚର୍ଚ୍ଚାରେ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁଁ ଇଣ୍ଟରନେଟ ବ୍ୟବହାରର ଶୈଳୀ ବଦଳିଛି । ମଣିଷ ମସ୍ତିଷ୍କର ସେହି ଅବିକଳ ଭାବନାକୁ କମ୍ପ୍ୟୁଟର କୋଡ୍ ଜରିଆରେ ପ୍ରଯୁକ୍ତିର ରୂପ ଦିଆଯାଇଛି। ମଣିଷ ଯେଭଳି ଭାବୁଛି ମେସିନ ସେଭଳି ଭାବିପାରୁଛି। କୃତ୍ରିମ ଉପାୟରେ ଏହି ଶକ୍ତିକୁ ବିକାଶ କରାଯାଇଥିବାରୁ ତାହାକୁ କୃତ୍ରିମ ବୁଦ୍ଧିମତା କୁହାଯାଉଛି।
କୃତ୍ରିମ ବୁଦ୍ଧିମତାର ଉପଯୋଗ ଦ୍ୱାରା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ନୂତନ କାର୍ଯ୍ୟ କ୍ଷେତ୍ର ସୃଷ୍ଟି ହେବା ସହିତ ପ୍ରଚଳିତ ଜୀବନଜୀବିକାର ସ୍ୱରୂପ ମଧ୍ୟ ବଦଳିଛି । ଏହା ମାନବ ସଭ୍ୟତା ପାଇଁ ବରଦାନ ବି ହୋଇପାରେ କିମ୍ବା ଘାତକ ବି ହୋଇପାରେ ବୋଲି ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ପୁଣି ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତିଆରି ହେଉଥିବା ଚାଟବଟ୍, ଚାଟ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଲୋକଙ୍କର ଜୀବିକା ପାଇଁ ସଙ୍କଟ ସୃଷ୍ଟି କଲାଣି। ତେବେ ଦୁର୍ଯୋଗ ଯେଉଁଠି ସୁଯୋଗ ବି ସେଇଠି ଥାଏ।
Also Read
ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ କୃତ୍ରିମ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସ୍ୱାସ୍ଥ୍ୟ କ୍ଷେତ୍ରରେ, AI ଏବଂ ମେସିନ୍ ଲର୍ଣ୍ଣିଂ ଅନେକ ପ୍ରମୁଖ ଗବେଷଣା ଏବଂ ଅଧ୍ୟୟନରେ ସହାୟକ ହେଉଛି । ନିକଟରେ AIର ସଠିକ ବ୍ୟବହାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିପରି ଉନ୍ନତି ଆଣିପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଆମେରିକାର ଜଣେ ବ୍ୟକ୍ତି AI ପାଇଁ ନୂଆ ଜୀବନ ପାଇଛନ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ଏକ ବିରଳ ରୋଗରେ ପୀଡିତ ଥିବାବେଳେ ଡାକ୍ତରମାନେ ତାଙ୍କ ଉପରୁ ଆଶା ଛାଡ଼ି ବସିଥିଲେ । ସେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ ବୋଲି ମଧ୍ୟ କହିଦେଇଥିଲେ । ହେଲେ ଖୁସିର କଥା ଏଆଇ ସାହାଯ୍ୟରେ ତାଙ୍କର ଚିକିତ୍ସା ସମ୍ଭବ ହୋଇପାରିଛି ।
ୱାସିଂଟନ ରେଣ୍ଟନ ନିବାସୀ ଜୋସେଫ କୋର୍ଟସଙ୍କ ପାଖରେ ଆଉ ଅଧିକ ଦିନ ନଥିବା କହିଥିଲେ ଡାକ୍ତର । ମୃତ୍ୟୁ ସୁନିଶ୍ଚିତ ଜାଣି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସେତେବେଳକୁ ଜୋସେଫଙ୍କୁ ମାତ୍ର ୩୬ ବର୍ଷ ବୟସ । ମାସ ମାସ ଧରି ସେ POEMS ସିଣ୍ଡ୍ରୋମ ନାମକ ଏକ ବିରଳ ରକ୍ତ ବ୍ୟାଧି ସହିତ ଲଢ଼େଇ କରୁଥିଲେ, ଯାହା ତାଙ୍କ ହାତ ଏବଂ ଗୋଡକୁ ଅସ୍ଥିର କରିଦେଇଥିଲା । ବିରଳ ରୋଗ ଯୋଗୁଁ ହୃଦୟର ଆକାର ବଢ଼ିବା ସହ କିଡନୀ ଦୁଇଟି ମଧ୍ୟ ଖରାପ ହୋଇଯାଇଥିଲା । ପ୍ରତି ଦିନ ଡାକ୍ତରମାନଙ୍କୁ ତାଙ୍କ ପେଟରୁ ଲିଟର ଲିଟର ତରଳ ପଦାର୍ଥ ବାହାର କରିବାକୁ ପଡୁଥିଲା। ସେ ଏତେ ଅସୁସ୍ଥ ହୋଇପଡିଥିଲେ ଯେ ତାଙ୍କ ପାଇଁ ଷ୍ଟେମ୍ ସେଲ୍ ପ୍ରତିରୋପଣ କରିବା ଅସମ୍ଭବ ହୋଇପଡିଥିଲା । ଷ୍ଟେମ ସେଲ ପ୍ରତିରୋପଣ ହିଁ ତାଙ୍କୁ ହୋଇଥିବା ରୋଗର ଏକମାତ୍ର ଚିକିତ୍ସା ଥିଲା ।
ଅସମ୍ଭବକୁ ସମ୍ଭବ କଲା ଏଆଇ
କୋର୍ଟସ ଡାକ୍ତରଙ୍କ କଥା ଶୁଣି ହାର ମାନି ସାରିଥିଲେ, ହେଲେ ତାଙ୍କ ବାନ୍ଧବୀ ଆପ୍ରାଣ ଚେଷ୍ଟା ଜାରି ରଖିଥିଲେ । ଘରେ ଚୁପ ହୋଇ ବସି ନରହି ସାହାଯ୍ୟ ପାଇଁ ଫିଲାଡେଲଫିଆର ଜଣେ ଡାକ୍ତର ଡେଭିଡ ଫାଜେନବାମଙ୍କୁ ଏକ ଇମେଲ ପଠାଇଥିଲେ। ଡାକ୍ତର ଡେଭିଡ ଫାଜେନବାମଙ୍କୁ ଏକ ବର୍ଷ ପୂର୍ବେ ଏକ ରେୟାର ଡିଜିଜ ସବମିଟରେ ଭେଟିଥିଲେ ଦମ୍ପତି । ଇମେଲ ପାଇବା ପରେ ଡକ୍ଟର ଫାଜେନବାମ୍ ତାଙ୍କୁ ଉତ୍ତର ଦେଇଥିଲେ । କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଷ୍ଟେରଏଡ ସାହାଯ୍ୟରେ ଚିକିତ୍ସା ସମ୍ଭବ ବୋଲି କହିଥିଲେ । ତଥାପି ଏହି ପଦ୍ଧତି ପୂର୍ବରୁ ପରୀକ୍ଷା କରାଯାଇ ନଥିଲା ।
କିନ୍ତୁ କୋଟସ ଏକ ନୂଆ ଜୀବନ ଲାଗି ରିସ୍କ ନେବାପାଇଁ ରାଜି ହୋଇଥିଲେ ଏବଂ ଏକ ସପ୍ତାହ ମଧ୍ୟରେ ଏହି ଚିକିତ୍ସା ତାଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କଲା । ଚିକିତ୍ସା ସାହାଯ୍ୟରେ ସେ ଚାରିମାସ ମଧ୍ୟରେ ସୁସ୍ଥ ହୋଇ ଷ୍ଟେମ୍ ସେଲ୍ ପ୍ରତିରୋପଣ କରାଇବାକୁ ସକ୍ଷମ ହୋଇପାରିଥିଲେ । ଏବେ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କୋର୍ଟସଙ୍କ ପ୍ରାରମ୍ଭିକ ଚିକିତ୍ସା ପାଇଁ ପରାମର୍ଶ କୌଣସି ଡାକ୍ତର କିମ୍ବା କୌଣସି ବ୍ୟକ୍ତି ଦେଇନଥିଲେ ବରଂ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ ଚିକିତ୍ସା ପରାମର୍ଶ ଦେଇଥିଲା ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ଭୂମିକା ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି, ପୂର୍ବରୁ ମହଜୁଦ ଥିବା ଔଷଧରେ ହିଁ କିପରି ଅନେକ ରୋଗର ଚିକିତ୍ସା କରାଯାଇପାରିବ । ଏହାକୁ 'ଡ୍ରଗ୍ ରିପର୍ପଜିଂ' କୁହାଯାଏ । ସମଗ୍ର ବିଶ୍ୱରେ ଲ୍ୟାବରେ ଏଇ ଉଦ୍ଦେଶ୍ୟରେ ଏଆଇର ବ୍ୟବହାର କରାଯାଉଛି । ପୂର୍ବରୁ ଥିବା ଔଷଧରୁ ଭିନ୍ନ ଭିନ୍ନ ରୋଗ ପାଇଁ ଚିକିତ୍ସା ଖୋଜିବା କିଛି ନୂଆ କଥା ନୁହେଁ । କିନ୍ତୁ ମେସିନ୍ ଲର୍ଣ୍ଣିଂ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ।
ପେନସିଲଭାନିଆ ୟୁନିଭରସିଟି ଏବଂ ଅନ୍ୟାନ୍ୟ ସହରରେ ଡକ୍ଟର ଫାଜେନବାମଙ୍କ ଟିମ୍ ଏପରି ଟେକ୍ନୋଲୋଜି ବିକଶିତ କରିଛନ୍ତି, ଯାହା ବିରଳ ତଥା ଆକ୍ରମଣାତ୍ମକ କର୍କଟ, ସାଂଘାତିକ ପ୍ରଦାହ ଜନିତ ରୋଗ ଏବଂ ସ୍ନାୟୁଗତ ଅବସ୍ଥା ପାଇଁ ଔଷଧକୁ ପୁନଃ ବ୍ୟବହାର କରୁଛି ଏବଂ ଏହା ସକାରାତ୍ମକ ଫଳ ମଧ୍ୟ ଦେଉଛି ।
ପ୍ରଥମରୁ ଉପଲବ୍ଧ ଅଛି ଚିକିତ୍ସା
ନ୍ୟାସନାଲ ସେଣ୍ଟର ଫର ଆଡଭାନ୍ସିଂ ଟ୍ରାନ୍ସଲେସନ ସାଇନ୍ସେଜରେ ଚିକିତ୍ସା ବିକାଶର ପୂର୍ବତନ ମୁଖ୍ୟଙ୍କ କହିବା ଅନୁସାରେ, ଔଷଧର ଏକ ଖଜାନା ରହିଛି, ଯାହାର ଉପଯୋଗ ଅନେକ ଅନ୍ୟ ରୋଗ ପାଇଁ କରାଯାଇ ପାରିବ । ଏହାକୁ ଦେଖିବାକୁ ଆମ ପାଖରେ କୌଣସି ବ୍ୟବସ୍ଥିତ ଉପାୟ ନଥିଲା । ଏ ବିଷୟରେ ଅଧିକ ଅଧ୍ୟୟନ ନକରିବା ଭୁଲ ହେବ, କାରଣ ଏହି ଔଷଧ ଗୁଡ଼ିକ ପ୍ରଥମରୁ ହିଁ ସ୍ୱିକୃତିପ୍ରାପ୍ତ । ଯୁକ୍ତରାଷ୍ଟ୍ରରେ ପାଖାପାଖି ୨୦୦,୦୦୦ ଲୋକ ବିରଳ ରୋଗରେ ପୀଡ଼ିତ ।
କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିରଳ ରୋଗ ଯୋଗୁଁ ପ୍ରଭାବିତ ହେଉଛନ୍ତି । ତଥାପି ୯୦% ରୁ ଅଧିକ ବିରଳ ରୋଗର କୌଣସି ଅନୁମୋଦିତ ଚିକିତ୍ସା ନାହିଁ ଏବଂ ବଡ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମଧ୍ୟ ଏହି ରୋଗଗୁଡିକର ଚିକିତ୍ସା ଖୋଜିବା ପାଇଁ ଅଧିକ ସାଧନ ଖର୍ଚ୍ଚ କରନ୍ତି ନାହିଁ । NCATS ଡ୍ରଗ୍ ଡେଭଲପମେଣ୍ଟ ପାର୍ଟନରସିପ୍ ପ୍ରୋଗ୍ରାମର ମୁଖ୍ୟ କ୍ରିଷ୍ଟାଇନ୍ କଲଭିସ୍ କହିଛନ୍ତି, ସାଧାରଣତ ଅଳ୍ପ ସଂଖ୍ୟକ ରୋଗୀଙ୍କ ପାଇଁ ନୂତନ ଔଷଧ ବିକଶିତ କରିବା ପରେ ଅଧିକ ଅର୍ଥ ଆୟ କରିହୁଏ ନାହିଁ ।
ଆଜିର ଆବଶ୍ୟକତା ଡ୍ରଗ୍ ରିପର୍ପଜିଂ
ସେଥିପାଇଁ ବିରଳ ରୋଗର ଚିକିତ୍ସା ଖୋଜିବା ପାଇଁ ଡ୍ରଗ୍ ରିପର୍ପଜିଂ ଏକ ଆକର୍ଷଣୀୟ ବିକଳ୍ପ ବୋଲି କହିଛନ୍ତି ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଆସୋସିଏଟ୍ ପ୍ରଫେସର ଡକ୍ଟର ମାରିଙ୍କା ଜିଟନିକ୍ । ଡ୍ରଗ୍ ରିପର୍ପଜିଂ ପାଇଁ ଡକ୍ଟର ଜିଟନିକ ଏକ AI ମଡେଲ୍ ବିକଶିତ କରିଛନ୍ତି । ଡ୍ରଗ୍ ରିପର୍ପଜିଂ ପୂର୍ବରୁ ରହିଛି, AI ସାହାଯ୍ୟରେ ଏହି କାମ କେବଳ ତ୍ୱରାନ୍ୱିତ କରାଯାଉଛି ।