ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।

Diphtheria Disease

କାୟା ମେଲାଉଛି ଡିପଥେରିଆ । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷେରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍, ବର୍ଷେରୁ ୭ ବର୍ଷ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ । ରାୟଗଡ଼ାରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ। ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ରାଜ୍ୟରେ ମହାମାରୀର ରୂପ ନେବ କି ଡିପଥେରିଆ ? ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି । ଚିହ୍ନଟ ହେଲେଣି ୨୧ ସନ୍ଦିଗ୍ଧ ଆକ୍ରାନ୍ତ । ପୂର୍ବରୁ କାଶୀପୁର ବ୍ଲକରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ଜଣେ ସନ୍ଦିଗ୍ଧ ଡିପ୍ଥେରିଆ ଆକ୍ରାନ୍ତଙ୍କୁ ଏମକେସିଜି ମେଡିକାଲରେ ଚିକିତ୍ସା କରାଯାଉଛି ।

ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରୁ ଚିହ୍ନଟ ହୋଇଥିବା ୪-୫ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଭବାନୀପାଟଣା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଡିପଥେରିଆକୁ ନେଇ ଲୋକେ ଭୟଭୀତ ହେବା ଅବଶ୍ୟକ ନାହିଁ । ଆଣ୍ଟିବାୟୋଟିକ୍ ଦ୍ବାରା ଏହାକୁ ମୂଳପୋଛ କରାଯାଇପାରିବ । ତେବେ ଏହା ବାୟୁ ଦ୍ବାରା ମଣିଷଠାରୁ ମଣିଷକୁ ସଂକ୍ରମିତ ହେଉଥିବାରୁ ସଂକ୍ରମିତ ଅଞ୍ଚଳର ଲୋକେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ଅନୁପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଟୀକାକରଣ ଯୋଗୁ ୨୦ ବର୍ଷ ହେଲା ରାଜ୍ୟରୁ ଗାୟବ ହୋଇଯାଇଥିଲା ଡିପଥେରିଆ । ପ୍ରଶ୍ନ ଉଠୁଛି, ଏବେ କାହିଁକି ପୁଣି ଏହା ସଂକ୍ରାମକ ହେଉଛି ? ଶିଶୁ ନେଉଥିବା ଟୀକାର ପ୍ରଭାବ ହ୍ରାସ ହେଉଛି ନା ଅନ୍ୟ କିଛି କାରଣ ରହିଛି ? ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଡିପ୍ଥେରିଆ ସଂକ୍ରମଣରେ ତତ୍କାଳ ବ୍ରେକ୍ ଲଗାଇବାକୁ ଆଜିଠୁ କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ଏମିତିକି ଆଗକୁ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମଧ୍ୟ ଏନେଇ ସର୍ଭେ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।