Advertisment

Cholera Outbreak in Odisha: ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି...

ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି। କାହାର ଜୀବନ ଯାଉଛି, ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି। ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ସାହି ସାହିରେ ପଡ଼ିଲାଣି ହାହାକାର।

Cholera Outbreak in Odisha

Cholera Outbreak in Odisha

Advertisment

ରାଜ୍ୟରେ ହଇଜା ହାହାକାର। ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି। ହଟ୍‌ସ୍ପଟ୍‌ ଯାଜପୁରରେ ମାରାତ୍ମକ ଭିବ୍ରିଓ କଲେରାର ଉପସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଥିବା ବେଳେ, ଏହା ଏଣ୍ଡେମିକ୍ ଷ୍ଟେଜରେ ଥିବା ସୂଚନା ଦେଇଛନ୍ତି। ସେପଟେ ସ୍ଥିତି ମୁକାବିଲା ପାଇଁ ଲୋକଙ୍କୁ ଭୋଜିଭାତ ସହ ବାହାରେ ଖିଆପିଆ ଆଦି କରିବାକୁ ମନା କରାଯାଉଥିବା ବେଳେ, ହୋଟେଲ୍ ଓ ଜଳଖିଆ ଦୋକାନ ଆଦି ଖୋଲିବା ଉପରେ ବି କଟକଣା ଲାଗିଛି।

Advertisment

ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି। କାହାର ଜୀବନ ଯାଉଛି, ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି। ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ସାହି ସାହିରେ ପଡ଼ିଲାଣି ହାହାକାର। ଯାଜପୁର ପରେ କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଢେଙ୍କାନାଳ ଭଳି ଛଅ ଛଅଟି ଜିଲ୍ଲାରେ ବି ଝାଡ଼ାବାନ୍ତି କାୟା ମେଲାଇବା ପରେ, ସାରା ରାଜ୍ୟରେ ହଇଜା ହଡ଼କଂପ। ଯାଜପୁର ଜିଲ୍ଲାରେ ଏବେବି ସ୍ଥିତି ଗମ୍ଭୀର ଥିବା ବେଳେ, ମୃତ୍ୟୁ ସଂଖ୍ୟା ୭କୁ ବଢ଼ିଛି ଓ ୨୬୦ ଜଣ ଚିକିତ୍ସିତ ହେଉଛନ୍ତି। ଏସବୁ ଭିତରେ ଗ୍ରାଉଣ୍ଡ୍ ଜିରୋ ସ୍ଥିତି ଅନୁଧ୍ୟାନ ପରେ, ସେଠାରେ ମାରାତ୍ମକ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ସହ ଆଉ କିଛି କାରଣରୁ ଡାଇରିଆ ବ୍ୟାପିଥିବା ସ୍ପଷ୍ଟ କରିଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ଭୁବନେଶ୍ବର ଫେରି ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ, କେନ୍ଦ୍ରୀୟ ଟିମ୍ ସଦସ୍ୟ କହିଛନ୍ତି- କେସ୍ ଲୋଡ୍‌କୁ ଅନୁଧ୍ୟାନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିଶ କରାଯାଇଛି। ପାଣ୍ଡେମିକ ନୁହେଁ, ଏବେ ଏହା ଏଣ୍ଡେମିକ ଷ୍ଟେଜରେ ହିଁ ରହିଛି। ସେପଟେ ସ୍ବାସ୍ଥ୍ୟ ସଚିବ ଯାଜପୁରର ବିଭିନ୍ନ ମେଡିକାଲ୍ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ, ଏଇଠି ଦେବେ ଉଦବୋଧନ

Advertisment

କେଉଁଠି ଚଢ଼ାଉ ଓ ଧରପଗଡ଼, କେଉଁଠି ସିଧା ସିଲ୍। କେଉଁଠି ସଚେତନତା ତ ଆଉ କେଉଁଠି ପୂଜାର୍ଚ୍ଚନା। ହଇଜା ରୋକିବାକୁ ଫୁଲ୍ କସରତରେ ଶାସନ କଳରୁ ସାଧାରଣ ଜନତା। ଯାଜପୁର ଓ ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାରେ ଜଳଖିଆ ଦୋକାନ, ଚାଟ୍ ଓ ଦହିବରା ସହ ରାସ୍ତାକଡ଼ ଫାଷ୍ଟଫୁଡ୍ ଷ୍ଟଲ୍, ଏପରିକି ହୋଟେଲ ଓ ରେଷ୍ଟୁରାଣ୍ଟ ଆଦି ରେଡ୍ କରୁଛି ପ୍ରଶାସନ। ବାସି ଖାଦ୍ୟ ମିଳିଲେ ଦୋକାନୀଠୁ ଫାଇନ୍ ଆଦାୟ ହେଉଛି ଏବଂ ପାନୀୟ ଜଳ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି। ଲୋକଙ୍କୁ ବାହାରେ ଖିଆପିଆ ନକରିବାକୁ ଏବଂ ଗାଁରେ ଭୋଜିଭାତ ନକରିବାକୁ ସଚେତନ କରାଯାଉଛି। ବରୀ ଓ ବିଂଝାରପୁର ତହସିଲ ପକ୍ଷରୁ ସମସ୍ତ ହୋଟେଲ, ଢ଼ାବା, ମିଠା ଦୋକାନ, ଜଳଖିଆ, ଫାଷ୍ଟ ଫୁଡ୍, ଗୁପୁଚୁପ୍, ଚାଟ୍, ଆଇସକ୍ରିମ ଓ ପାଣି ଫ୍ୟାକ୍ଟ୍ରି, ମାଛ-ମାଂସ ଦୋକାନ ଆଦି ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲାରେ ଭଣ୍ଡାରୀପୋଖରୀ ପରେ ଧାମନଗର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ବଢ଼ିଛି। ଏପଟେ କଟକ ଜିଲ୍ଲାର ବାଙ୍କୀ ପରେ ନରସିଂହପୁର ଓ ଟାଙ୍ଗୀ-ଚୌଦ୍ବାର ଅଞ୍ଚଳରେ ବି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୦କୁ ବଢ଼ିବା ସହ, ଏକାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରଶାସନିକ ଅଧିକାରୀ ବିଭିନ୍ନ ଗାଁ ପରିଦର୍ଶନ କରିବା ସହ ଜଳ ଉତ୍ସ ଗୁଡ଼ିକର ସ୍ଥିତି ଯାଞ୍ଚ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରେ ବି ହଇଜା ଜଣେ ବୃଦ୍ଧାଙ୍କ ଜୀବନ ନେଇଥିବା ବେଳେ, ଏକାଧିକ ଆକ୍ରାନ୍ତ ଅଛନ୍ତି । 

ଢେଙ୍କାନାଳ ଜିଲ୍ଲା ଭୁବନରେ ୭୪ ରୋଗୀ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଆଜି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଡାଇରିଆ ନିରାକରଣ ଅଭିଯାନ ରଥ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଡାଇରିଆ ନିରାକରଣ ଅଭିଯାନ। ଜୁଲାଇ ୩୧ ଯାଏଁ ଚାଲିବ ଏହି ସ୍ବତନ୍ତ୍ର କ୍ୟାମ୍ପେନ୍। ସେପଟେ ନଗର ଉନ୍ନୟନ ବିଭାଗ ମଧ୍ୟ ଆଲର୍ଟ ମୋଡ୍ କୁ ଆସିଥିବା ବେଳେ, ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି- ଟ୍ବିନସିଟି ସହ ସବୁ ପୌରାଞ୍ଚଳକୁ ପାନୀୟ ଜଳ ସ୍ବଚ୍ଛତା ଓ ସଫେଇ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନ୍ ଥିବା ସ୍ଥାନରେ ପିଇବା ପାଣି ପାଇପ ନରଖିବାକୁ ପଦକ୍ଷେପ ନିଆଯାଉଛି ।

Advertisment
Health Minister Vibrio Cholerae
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ