• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମାର୍ଟସିଟି ରାଉରକେଲାରେ ମାଡ଼ୁଛି ହଇଜା । ହଇଜାରେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ହଇଜାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ତେବେ ୧୪ଶହରୁ ଅଧିକ ଆକ୍ରାନ୍ତ ହେଲେଣି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯାଉଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୈଠକ ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତିର କାରଣ ଖୋଜିବାକୁ ହୋଇଥିବା ୩୯ଟି ନମୁନା ପରୀକ୍ଷାରୁ ୧୮ଟି ନମୁନାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଠାବ ହେବା ପରେ ଚିନ୍ତା ବଢ଼ିଛି । ରାଉରକେଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ହାଲୋଜେନ ବଟିକା, ORS ପାଉଚ ଆଦି ବଣ୍ଟା ଯାଉଛି। ସ୍ୱାସ୍ଥ୍ୟ କର୍ମୀ ଓ ବିଶେଷଜ୍ଞ ଟିମ୍ ମଧ୍ୟ ପଠାଯାଇଛି । ବିଭିନ୍ନ ହସ୍ପିଟାଲରେ ବେଡ୍ ସଂଖ୍ୟା ମଧ୍ୟ ବଢାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ତେବେ ଆସନ୍ତୁ ଜାଣିବା ହଇଜା କେମିତି ବ୍ୟାପେ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ଖାଦ୍ୟ ନଳୀକୁ ସଂକ୍ରମଣ କରିଥାଏ । ବହୁତ ଶୀଘ୍ର ଏହା ଶରୀରରେ କ୍ଷତି ପହଞ୍ଚାଏ। ୨ରୁ ୩ ଦିନ ମଧ୍ୟରେ ବ୍ୟାକ୍ଟେରିଆ ହଜାର ହଜାର ଲୋକଙ୍କୁ ବ୍ୟାପିଯିବାର ସମ୍ଭାବନା ଥାଏ । ରୋଗୀର ମଳମୂତ୍ର କିମ୍ବା ଦୂଷିତ ପାଣି, ଦୂଷିତ ଖାଦ୍ୟ ଦେଇ ଖୁବଶୀଘ୍ର ଏହି ଜୀବାଣୁ ବ୍ୟାପିଯାଏ । ହଇଜା ହେଲେ ପାଣି ଭଳି ଝାଡା ହୋଇଥାଏ । ଫଳରେ ଶରୀରରୁ ଜଳୀୟ ଅଂଶ କମିଯାଏ ।

ଶରୀରରୁ ସୋଡିୟମ, ପୋଟାସିୟମ କମିଯିବାରୁ ରୋଗୀ ଦୁର୍ବଳ ହୋଇପଡେ । ପାକସ୍ଥଳୀ, ଖାଦ୍ୟନଳୀ, ଯକୃତ, ପାନକ୍ରିୟା ଆଦିକୁ ଜୀବାଣୁ କ୍ଷତି ପହଞ୍ଚାଇଥାଏ । ତେଣୁ ହଇଜା ଯେଉଁ ଅଞ୍ଚଳରେ ବ୍ୟାପୁଛି ସେସବୁ ଅଞ୍ଚଳରେ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ବ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।