ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।

Kidney Transplant

ଏସ୍‌ସିବିକୁ ବିଶ୍ୱସ୍ତରୀୟ କରାଇବାର ସ୍ୱପ୍ନ ଦେଖୁଛନ୍ତି ରାଜ୍ୟ ସରକାର । କିନ୍ତୁ ଦକ୍ଷ ଓ ଅଭିଜ୍ଞ ଚିକିତ୍ସକଙ୍କ ସତ୍ତ୍ୱେ ରାଜ୍ୟର ଏହି ବଡ଼ ମେଡ଼ିକାଲ୍‌ରେ କିଡ୍‌ନୀ ପ୍ରତିରୋପଣ ନହେବା, ଏସ୍‌ସିବିର ଦାୟିିତ୍ୱହୀନତା ଆଡ଼କୁ ଅଙ୍ଗୁଳି ଉଠାଇଛି । ବ୍ରେନଡେଡ୍ ଅବସ୍ଥାରେ ଜଣେ ୬ ବର୍ଷର ବାଳକ ଦେହରୁ ପ୍ରଥମେ ୨ଟି କିଡ୍ନୀ କାଢ଼ିଥିଲା ଏସ୍‌ସିବି । କିନ୍ତୁ ଦୁଃଖର କଥା ହେଉଛି, କିଡ୍‌ନୀ ମ୍ୟାଚ୍ କରୁନଥିବା ଦର୍ଶାଇ କିଛି ଘଣ୍ଟା ପରେ ଘରୋଇ ହସ୍ପିଟାଲ୍‌କୁ ଫେରାଇଦେଲା । ଅବଶ୍ୟ ଘରୋଇ ହସ୍ପିଟାଲ୍‌ରେ ସଫଳତାର ସହ ପ୍ରତିରୋପଣ ହୋଇଛି । ତେବେ ପ୍ରତିରୋପଣ ପୂର୍ବରୁ ଆନୁସଙ୍ଗିକ ବ୍ୟବସ୍ଥା ନକରି କାହିଁକି କିଡ୍‌ନୀକୁ ଆଗୁଆ କାଢ଼ିଥିଲା ଏସ୍‌ସିବି ? ଏଠି ପ୍ରଶ୍ନ ଉଠୁଛି ସମସ୍ତ ସୁବିଧା ଥାଇ କାହିଁକି ପ୍ରତିରୋପଣ ହୋଇପାରିଲାନି ?

ଜଗତସିଂହପୁର ଜିଲ୍ଲାର ୬ ବର୍ଷର ଟିକି ପିଲାଟି । ଏବେ ଇହଜଗତରେ ନାହିଁ । କିନ୍ତୁ ସିଏ ଆଜି ଚର୍ଚ୍ଚାରେ । ଯାହାର କିଡ୍‌ନୀ ନେଇଥିଲା ରାଜ୍ୟ ସରକାରଙ୍କ ସ୍ୱପ୍ନର ବିଶ୍ୱସ୍ତରୀୟ ବଡ଼ ଡାକ୍ତରଖାନା ଏସ୍‌ସିବି । ସେହି ଡାକ୍ତରଖାନା ବିଫଳ ହୋଇଗଲା କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ । ଶେଷରେ କିଡ୍‌ନୀ ଫେରିଗଲା ଘରୋଇ ହସ୍ପିଟାଲ୍ । ଜଗତସିଂହପୁର ଜିଲ୍ଲାର ୬ ବର୍ଷର ସୁଧାଂଶୁ ଲେଙ୍କା । ପୁଅର ବ୍ରେନ୍ ଡେଡ୍ ହୋଇଯିବାରୁ ବାପା, ମା ଚାହିଁଥିଲେ ପୁଅର ଦୁଇଟି ଯାକ କିଡନୀକୁ ଦାନ କରିବାକୁ । ଆଉ ନିଷ୍ପତ୍ତି କ୍ରମେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍-ସୋଟୋ ମଧ୍ୟ ଅନୁମୋଦନ କରିଥିଲା ।

ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ କିଡନୀ କାଢି ନେଇଥିଲା ଏସ୍‌ସିବି । ଯେଉଁଠି ଅପେକ୍ଷା କରିଥିଲେ ୨ ଜଣ ରୋଗୀ । ଯାହାଙ୍କଠାରେ ପ୍ରତିରୋପଣ ହୋଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟ, କିଡ୍‌ନୀ ଦୁଇଟି ସଂପୃକ୍ତ ରୋଗୀଙ୍କଠାରେ ମ୍ୟାଚ୍ କଲାନାହିଁ । ଶେଷରେ ଦୁଇଟି ଯାକ କିଡନୀକୁ ଭୁବନେଶ୍ୱରର ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିଲା ଏବଂ ସେଠାରେ ଅନ୍ୟ ୨ ରୋଗୀଙ୍କ ଠାରେ ଟ୍ରାନ୍‌ସପ୍ଲାଣ୍ଟ ହୋଇଥିଲା । ଅର୍ଥାତ ଏସ୍‌ସିବିରେ କିଡ୍‌ନୀ ପ୍ରତିରୋପଣ ବିଫଳ ହେଲା ।

ତେବେ ଏସ୍‌ସିବି ଭଳି ବଡ଼ ଡାକ୍ତରଖାନାରେ କାହିଁକି ବିଫଳ ହେଲା କିଡ୍‌ନୀ ପ୍ରତିରୋପଣ ପ୍ରକ୍ରିୟା ? କିଡ୍‌ନୀ ପ୍ରତିରୋପଣ ପୂର୍ବରୁ ଦାତା ଏବଂ ଗ୍ରହିତାଙ୍କ ନମୂନାକୁ କାହିଁକି ମେଳ କରାଯାଇନଥିଲା ? ନମୂନା ମ୍ୟାଚ୍ ନକରି ବ୍ରେନଡେଡ୍ ଅବସ୍ଥାରେ ଥିବା ବାଳକ ଦେହରୁ ତରବରିଆ ଭାବେ କିଡ୍‌ନୀ କଢ଼ାଗଲା କାହିଁକି ? ଏସ୍‌ସିବି କର୍ତ୍ତୃପକ୍ଷ କିଡ୍‌ନୀକୁ ଆଗୁଆ କାଢ଼ି ମେଳ କରିବା ଯାଏଁ ସମୟ ଗଡ଼ାଇଲେ କି ? ପରେ ମ୍ୟାଚ୍ ନହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ପଠାଇଦେଲେ । ଅର୍ଥାତ ଏତେ ସମୟ ଅପଚୟ କଲେ କାହିଁକି ? ବିନା ପ୍ରସ୍ତୁତିରେ ତରବରିଆ ଭାବେ ଟ୍ରାନସପ୍ଲାଣ୍ଟ ପ୍ରକ୍ରିୟା ଯୋଗୁଁ ଏଏସ୍‌ସିବିରେ କିଡ୍‌ନୀ ଟ୍ରାନ୍‌ସପ୍ଲାଣ୍ଟ ବିଫଳ ହେଲା କି ?

 

ସେ ଯାହା ବି ହେଉନା କାହିଁକି, ଏସ୍‌ସିବିରେ ସୁଧାଂଶୁ ଲେଙ୍କାଙ୍କ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇନଥିଲେ ବି ଘରୋଇ ହସ୍ପିଟାଳୋ‌ଣଷ ଅନ୍ୟ ୨ ଜଣଙ୍କ ଦେହରେ ଲାଗିଛି । ଏଥିପାଇଁ ପୁଅ ସୁଧାଂଶୁଙ୍କୁ ହରାଇଥିବା ବାପା, ମା ଆତ୍ମସନ୍ତୋଷ ଲାଭ କରିବା ସହ ନିଜକୁ ସୌଭାଗ୍ୟ ମନେ କରିଛନ୍ତି ।