Advertisment

ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? ଜାଣନ୍ତୁ...

ଚିନ୍ତା ବଢ଼ାଇଛି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ମରାଗଲାଣି ୨୬ ହଜାରରୁ ଅଧିକ କୁକୁଡ଼ା । ମଣିଷଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗର ଆଡଭାଇଜରି ।

undefined

Bird Flu Outbreak

Advertisment

ଚିନ୍ତା ବଢ଼ାଇଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ । ପିପିଲି ଓ ସତ୍ୟବାଦୀରେ ଆଜିକୁ ମିଶାଇ ତୃତୀୟ ଦିନରେ ୨୬ ହଜାରରୁ ଅଧିକ କୁକୁଡ଼ା ମରା ସରିଲାଣି । ଏପଟେ ବାର୍ଡ ଫ୍ଲୁ ଯେପରି ମଣିଷଙ୍କୁ ସଂକ୍ରମଣ ନକରେ, ସେଥିପ୍ରତି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଆଡଭାଇଜରି ଜାରି କହିଛି। ତାସହ ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

Advertisment

ମାଡ଼ି ନଯାଉ ବାର୍ଡ ଫ୍ଲୁ । ଏଇ ଲକ୍ଷ୍ୟରେ ପିପିଲି ଓ ସତ୍ୟବାଦୀରେ ଆକ୍ସନ ମୋଡ୍‌ରେ ପ୍ରାଣୀ ସଂପଦ ବିଭାଗ ଆଜି ତୃତୀୟ ଦିନରେ ବି ଚାଲିଥିଲା କୁକଡ଼ା ମରା ଅଭିଯାନ । ୟା ଭିତରେ ସାରଙ୍ଗଯୋଡ଼ି ଓ ତେଇଶପୁର ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ଫାର୍ମରେ ୨୬ ହଜାରରୁ ଅଧିକ କୁକୁଡ଼ା ମାରି ସାରିଲାଣି ରାପିଡ୍ ରେସପନ୍ସ ଟିମ୍ । ଏହା ପରେ ଫାର୍ମଗୁଡ଼ିକୁ ଭଲକରି ସାନିଟାଇଜ୍ ବି କରାଯାଉଛି । ତା’ସହ ସଂକ୍ରମିତ ସ୍ଥାନରେ ବ୍ୟାନର ମରାଯାଇ ଉକ୍ତ ଅଞ୍ଚଳକୁ ନପଶିବାକୁ ବି ବାରଣ କରାଯାଉଛି । ସେପଟେ ମୃତ କୁକୁଡ଼ାଙ୍କୁ ଥ୍ରୀ ଲେୟାର ବ୍ଲିଚିଂ ଓ ଚୂନ ପକାଯାଇ ପୋତା ଯାଉଛି। କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେଇ ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ବି ପରାମର୍ଶ ଦେଉଛି ପ୍ରାଣୀ ସଂପଦ ବିଭାଗ। ହେଲେ ଏହାକୁ ନେଇ ଚିନ୍ତାରେ ଫାର୍ମ ମାଲିକ।

ତେବେ ଏଠି ପ୍ରଶ୍ନ, କେମିତି ଜାଣିବେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଛି କୁକୁଡ଼ା ? କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? କିଭଳି ଏହାକୁ ମଣିଷଠୁ ଦୂରେଇ ରଖାଯିବ ? ଓୟୁଏଟି କୁକ୍କଟ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସରଙ୍କ ସୂଚନା ଅନୁସାରେ-ବାର୍ଡ ଫ୍ଲୁ ଏକ ଭୂତାଣୁ ଜନିତ ରୋଗ। ଏଥିରେ ଆକ୍ରନ୍ତ କୁକୁଡ଼ାର ପର ଫୁଲିବ ଓ ନାକ-କାନରୁ ପାଣି ବାହାରିବ। ଗୋଟିଏ ଯାଗାରେ ମୁହଁ ମୋଡ଼ି ପଡ଼ି ରହିବ। ଯେଉଁଠି ବାର୍ଡ ଫ୍ଲୁ ଚିହ୍ନଟ ହେବ, ତାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସେଠି ତୁରନ୍ତ କୁକୁଡ଼ା ସବୁଙ୍କୁ ମାରିଦେବା ଉଚିତ୍। ତେବେ ଯଦିଓ ବାର୍ଡ ଫ୍ଲୁ କୁକୁଡ଼ାରୁ କୁକୁଡ଼ା ଶରୀରକୁ ଶୀଘ୍ର ବ୍ୟାପିଥାଏ କିନ୍ତୁ ମଣିଷଙ୍କୁ ବିଳମ୍ବରେ ସଂକ୍ରମିତ କରେ। ତେଣୁ ବାର୍ଡ ଫ୍ଲୁ କୁ ନେଇ ଲୋକେ ବେଶୀ ଚିନ୍ତିତ ହେବା ଅନୁଚିତ। ହେଲେ ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରୁଛନ୍ତି, ସେମାନଙ୍କୁ କିନ୍ତୁ ସତର୍କ ରହିବାକୁ ପଡ଼ିବ। ରୋଗାକ୍ରାନ୍ତ କୁକୁଡ଼ା ବି ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମୁଖ୍ୟ।

Advertisment

ପୁରୀରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାକୁ ଆଡଭାଇଜରି ଜାରି ହୋଇଛି। ତେବେ ମଣିଷ ବାର୍ଡ ଫ୍ଲୁ ଯୋଗୁଁ ସଂକ୍ରମିତ ହେଲେ, କଣ ଲକ୍ଷଣ ଦେଖାଯାଏ, ସେ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି-ରୋଗୀଙ୍କୁ ପ୍ରଥମେ ଜ୍ବର ହେବା ସହ ତଣ୍ଟି ଦରଜ ହୁଏ। ପରେ ନିମୋନିଆ ହେବାର ଆଶଙ୍କା ବି ରହିଛି। ଏଭଳି ରୋଗୀଙ୍କୁ ଚିହ୍ନଟ ଲାଗି ଆଶା, ଏଏନ୍ଏମ୍ଙ୍କୁ ନିୟୋଜିତ କରାଯାଇଛି। ପୁରୀକୁ ଏକ ରାଜ୍ୟସ୍ତରୀୟ ଟିମ୍ ପଠାଯାଇଛି।

Bird Flu Bird Flu Safety Bird Flu Scare Bird Flu Outbreak In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ