ଭୁବନେଶ୍ୱର AIIMSର ବଡ଼ ସଫଳତା, ଖପୁରୀରୁ ବାହାରିଲା ୭ କେଜିର ଟ୍ୟୁମର

ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା । 

AIIMS

ବିରଳ ଅସ୍ତ୍ରୋପଚାର ପରେ ମିଳିଛି ନୂଆ ଜୀବନ । ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତର । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କର ଦୀର୍ଘ ୨୫ ବର୍ଷ ହେଲା ମୁଣ୍ଡରେ ଏକ ଟ୍ୟୁମର ଥିଲା । ଗତ ୭ ମାସ ହେଲା ଏହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ କଲା ।

ଟ୍ୟୁମର ବଢିବା ସହ ରୋଗୀଙ୍କ ଯନ୍ତ୍ରଣା ବଢ଼ିଚାଲିଲା । ଚାଲି ବୁଲି ପାରୁ ନଥିଲେ । ଖାଇବା ପିଇବାରେ ବି ସମସ୍ୟା ହେଉଥିଲା । ଟ୍ୟୁମର ଚିକିତ୍ସା ପାଇଁ କୋଲକାତାର ବିଭିନ୍ନ ଡାକ୍ତରଖାନା ଓ କଟକ ବଡ଼ ମେଡିକାଲରେ ଦେଖାଇ ବିଫଳ ହେବା ପରେ ଶେଷ ଆଶା ନେଇ ଧାଇଁ ଆସିଥିଲେ ଭୁବନେଶ୍ୱର ଏମସ୍ । ଆଉ

ଏଠି ସଫଳ ହୋଇଛି ଡାକ୍ତରଙ୍କ ସବୁ ପରିଶ୍ରମ । ନୂଆ ଜୀବନ ପାଇଛି ରୋଗୀ ।

ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା । ଯଦି ଅପରେସନ ନହୁଏ, ଦୁଇ ତିନି ମାସ ମଧ୍ୟରେ ରୋଗୀର ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ ଏମସର ଡାକ୍ତରୀ ଦଳ । ପ୍ଲାଷ୍ଟିକ ସର୍ଜରୀ ସମେତ ସର୍ଜିକାଲ ଅଙ୍କୋଲଜି, ନ୍ୟୁରୋ ସର୍ଜରୀ, ଇଣ୍ଟରଭେନସନାଲ ରେଡିଓଲଜି ଓ ଆନାସ୍ଥେସିଆ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଟିମ ।

ପ୍ରଥମେ ଟ୍ୟୁମରର ବ୍ଲଡ ଭେସେଲକୁ ଏମ୍ବୋଲାଇଜ କରି ସଙ୍କୁଚିତ କରାଗଲା । ଏହାପରେ ରୋଗୀଙ୍କୁ ପ୍ରାୟ ୭୨ ଘଣ୍ଟା ଅବଜରଭେସନରେ ରଖିବା ପରେ ଅପରେସନ ଥିଏଟରକୁ ନିଆଗଲା। ପ୍ରାୟ ୧୦ ଘଣ୍ଟା ଧରି ଚାଲିଲା ଅପରେସନ । ୨୪ ଘଣ୍ଟା ଆନାସ୍ଥେସିଆରେ ରହିଲେ ରୋଗୀ । ବିଭିନ୍ନ ବିଭାଗ ସହଯୋଗରେ ସଫଳ ହେଲା ଅପରେସନ । ସଫଳ ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ଏବେ ରୋଗୀ ସୁସ୍ଥ । ଚଲାବୁଲା କରୁଛନ୍ତି । ଏଥିପାଇଁ ଏମ୍ସ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।