ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ରାଜଧାନୀ ଉପକଣ୍ଠ ମେଡିକାଲରେ ନାହାନ୍ତି ଡାକ୍ତର

ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା ।

Health System

ସରକାରଙ୍କ ଦୃଷ୍ଟି ଅଢୁଆଳରେ ୯୫ ବର୍ଷର ସ୍ୱାସ୍ଥ୍ୟକେନ୍ଦ୍ର। ନାଁ ଅଛନ୍ତି ଡାକ୍ତର ନା ମିଳୁଛି ଉତ୍ତମ ସ୍ୱାସ୍ଥ୍ୟ ସେବା । କେତେବେଳେ ଛାତରୁ ସିମେଂଟ ଖଣ୍ଡ ଖସୁଛି ତ ଆଉ କେତେବେଳେ ଫଟା କାନ୍ଥ, ଭଙ୍ଗା ଘର ଦେଖି ଲାଗୁଛି ଭୟ। ୬ଟି ପଞ୍ଚାୟତ ବାସିନ୍ଦା ଏହା ଉପରେ ନିର୍ଭରଶୀଳ ଥିବା ବେଳେ ଆବଶ୍ୟକୀୟ ଡାକ୍ତର ଅଭାବ । ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର।

ଭୂବନେଶ୍ୱର ଉପକଣ୍ଠ ଭିଙ୍ଗାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ବ୍ରିଟିସ୍ ଅମଳରୁ ନିର୍ମିତ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏଭଳି ଅବ୍ୟବସ୍ଥା ନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ସକାଳ ହେଲେ ରୋଗୀଙ୍କର ଲାଗୁଛି ଲମ୍ବା ଲାଇନ୍। ଆଉ ଫାର୍ମାସିଷ୍ଟ କରୁଛନ୍ତି ଚିକିତ୍ସା। ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଯେଉଁମାନେ ଚିକିତ୍ସା କରୁଛନ୍ତି, ସେମାନେ ନିକଟରେ ଅବସର ନେବାକୁ ବସିଲେଣୀ । ତେଣୁ ତୁରନ୍ତ ସରକାର ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଦାବି ହୋଇଛି ।