ଆମେ ଭାରତୀୟମାନେ ବାର ମାସରେ ତେର ପର୍ବ ପାଳନ କରୁ। ସେଇ ଅନୁସାରେ ଆମେ ବନାଉ ବିଭିନ୍ନ ପ୍ରକାର ବ୍ୟଞ୍ଜନ। ଆମ ଓଡ଼ିଶାର କାଳିଆ ଠାକୁରଙ୍କ ପାଇଁ ନିୟନିତ କେତେ ପ୍ରକାର ବ୍ୟଞ୍ଜନ ତିଆରି ହୁଏ । ନିଜ ନିଜର ଚଳଣି, ବୃତ୍ତି, ପୂଜା ପର୍ବାଣି ସବୁ ଅଲଗା ହୋଇଥିଲେ ମଧ୍ୟ ଆମେ ଖାଦ୍ୟରେ କୌଣସି ବାଛବିଚାର ରଖିନଥାଉ। ଏଣୁ ଖାଦ୍ୟର ବିଭିନ୍ନତାରେ ଏକତାର ଅନୁଭବ କେବଳ ଭାରତରେ ହିଁ ମିଳେ । ତେବେ ଏହି ଖାଦ୍ୟରେ ବିଭିନ୍ନତା କଥା କହିଲେ ଆପଣ କଣ ବୁଝନ୍ତି?ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା? ନା ଆଜ୍ଞା, ଏହାର ମାନେ ହେଲା ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ଖାଇବା। ଆପଣ ଭାବିବେ ଆମର ନିତିଦିନିଆ ଜୀବନରେ ତ ଆମେ ଯେତେ ସମ୍ଭବ ଭଲ ଭଲ ଖାଦ୍ୟ ଖାଉଛେ, ପୁଣି ଏ ପୋଷଣ ଯୁକ୍ତ ଖାଦ୍ୟ କ’ଣ? ତାହା ଆଲୋଚନା କରିବା ଆଗରୁ ଆସନ୍ତୁ ଜାଣିବା ପୋଷଣ କଣ?
ଆପଣଙ୍କୁ କୌଣସି କାରଣରୁ ଦୁର୍ବଳତା ଲାଗିଲେ କିମ୍ୱା ମୁଣ୍ଡ ବୁଲାଇଲେ ଆପଣ ଡାକ୍ତରଙ୍କ ପାଖକୁ ଯାଆନ୍ତି। ଡାକ୍ତର ଆପଣଙ୍କ ରକ୍ତଚାପ ଆଦି ଦେଖି ଔଷଧ ଦେବା ସହ ଭଲ ଖାଦ୍ୟ ଖାଇବାକୁ କୁହନ୍ତି। ଓଜନ ଅଧିକ ଥିଲେ ତେଲ ମସଲା ଖାଇବାକୁ ବାରଣ କରନ୍ତି, ପୌଷ୍ଟିକ ଖାଦ୍ୟ ଖାଇବାକୁ କୁହନ୍ତି। ତେବେ ଏହି ପୌଷ୍ଟିକ ଖାଦ୍ୟ ଆମ ଶରୀରକୁ ପୋଷଣ ଦିଏ। ସାଧାରଣତଃ ଏକ ମନୁଷ୍ୟ ଶରୀରର କେତେକ ଅତ୍ୟାବଶ୍ୟକ ପୋଷକ ହେଲା ଶ୍ୱେତସାର ବା କାର୍ବୋହାଇଡ଼୍ରେଟ୍, ପୁଷ୍ଟିସାର ବା ପ୍ରୋଟିନ୍, ସ୍ନେହସାର ବା ଫ୍ୟାଟ୍, ମିନେରାଲ୍ସ ଇତ୍ୟାଦି। ଏଥିରୁ ଜଦି କୌଣସି ବି ପୋଷକ ବା ନ୍ୟୁଟ୍ରିଏଣ୍ଟର ପରିମାଣ ଯଦି କିଛି କମ୍ ବେଶୀ ହୋଇଯାଏ ତେବେ ଆମ ଶରୀରକୁ ତାର ଖରାପ ପରିଣାମ ଭୋଗିବାକୁ ପଡ଼େ। ତେବେ ଏସବୁ ଆମକୁ ମିଳେ କେଉଁଠୁ?
Also Read
ଆମେ ଯେଉଁ ଖାଦ୍ୟ ସବୁ ଖାଉ ସେଥିରେ ଏସବୁ ନ୍ୟୁଟ୍ରିଏଣ୍ଟ ଭରପୂର ଥାଏ। ଯଦି ନିହାତି ଦରକାର ହୁଏ ତେବେ ଡାକ୍ତର ଆମକୁ ଔଷଧ ରୂପରେ ଏସବୁ ଖାଇବାକୁ କହିଥାନ୍ତି।
ଆମର ପାରଂପାରିକ ମସଲା ସବୁ ହେଲା ଅଦା, ରସୁଣ, ହେଙ୍ଗୁ, ଗୁଜୁରାତି, ଅଳେଇଚ, ଡାଳଚିନି ଇତ୍ୟାଦି। ଏସବୁ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହାକି ଶରୀରକୁ ବାହ୍ୟ ଆକ୍ରମଣରୁ ରକ୍ଷା କରେ। ଏଣୁ ଆବଶ୍ୟକ ପରିମାଣରେ ଏହାର ଉପଯୋଗ କଲେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ଏହା ଛଡ଼ା ଆମର ନିତି ଦରକାର ହେଉଥିବା ଶ୍ୱେତସାର, ପୁଷ୍ଟିସାର, ଭିଟାମିନ୍ ଓ ଫ୍ୟାଟ୍ ଆଦି ଯଥାକ୍ରମେ ଭାତ ଓ ରୁଟି, ଡ଼ାଲି, ପନିପରିବା ଓ ମାଛ ମାଂସ ଆଦିରୁ ମିଳିଯାଇଥାଏ। ତେବେ ଧ୍ୟାନ ରଖିବା ଯେ ଋତୁ ଅନୁଯାୟୀ ମିଳୁଥିବା ପରିବା ଓ ଫଳ ଆମର ନିତି ଖାଦ୍ୟଭ୍ୟାସରେ ଯେମିତି ରହିବ।
ଆଧୁନିକତାର ଆଡ଼ରେ ଆମେ ଏବେ ପିଜ୍ଜା, ବର୍ଗର ଖାଇବାଟା ଫ୍ୟାସନ୍ ଧରିନେଇଛେ। କିନ୍ତୁ ଏହାର କୌଣସି ପୌଷ୍ଟିକ ମୂଲ୍ୟ ଅଛି କି ନାହିଁ ସେକଥା ଆମେ କେବେ ବିଚାର କରୁନା। ଟିକେ ଟିକେ ଶାରୀରିକ ଅସୁବିଧା ହେଲେ ଆମେ ଡ଼ାକ୍ତର ପାଖକୁ ଯିବା ପସନ୍ଦ କରୁଛେ ପଛେ ଠିକ୍ ଖାଦ୍ୟ ଖାଇବାର ବିଚାର ହିଁ ଆସୁନି। ଏଇଠି ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସଙ୍କର ଗୋଟେ କଥା ମନେପଡ଼ୁଛି। “ଖାଦ୍ୟକୁ ନିଜର ଔଷଧ ଭଳି ନିଅ, ନଚେତ୍ ଔଷଧକୁ ଖାଦ୍ୟ ପରି ଖାଇବାକୁ ପଡ଼ିବ”। ଆମର ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସେ ହୃଦୟଙ୍ଗମ କରିଥିଲେ।
ଆମର ପାରଂପାରିକ ଖାଦ୍ୟପେୟ ଯେପରିକି ଉଷୁନା ଭାତ, ବିଭିନ୍ନ ପ୍ରକାରର ଡାଲି, ସବୁଜ ପନିପରିବା ଯାହାକି ଆମ ବାଡ଼ିରୁ ହିଁ ମିଳେ, ଶାଗ, ଚୁଡ଼ା, ମୁଢ଼ି, ବିଭିନ୍ନ ପ୍ରକାର ପିଠା ଇତ୍ୟାଦି। ଗୋଟି ଗୋଟି କରି ସବୁ ପାରଂପାରିକ ଖାଦ୍ୟର ନାଁ ଲେଖି ବସିଲେ ତ ବହିଟେ ହେବ। ତେବେ ଏସବୁ ଆମ ହାତ ପାହାନ୍ତାରେ ହିଁ ମିଳିଯାଉଥିଲା ସେତେବେଳେ କାରଣ ସମସ୍ତଙ୍କ ବାଡ଼ିରେ ପ୍ରାୟ କିଛି କିଛି ପନିପରିବା ଚାଷ ହେଉଥିଲା। ହେଲେ ଆଜି ଏକବିଂଶ ଶତାଦ୍ଦୀର ଆଧୁନିକ ସମୟରେ ଯଦି ଆମେ ଏସବୁ କଥା କହିବା ତେବେ ଅଡ଼ୁଆ ଲାଗିବ। କାରଣ ଏବେ ଏ ସବୁର ଗୋଟିଏ ଠିକଣା; ସୁପର ମାର୍କେଟ୍। ବୈଷିୟିକ ଜ୍ଞାନ କୌଶଳର ଉପଯୋଗ କରି ବର୍ତ୍ତମାନ ବର୍ଷସାରା ପ୍ରତ୍ୟେକ ପ୍ରକାର ଫସଲ ଅମଳ ହେଉଛି। ଫସଲରେ ଅତ୍ୟଧିକ କୀଟନାଶକ ଓ ଘାସମରା ଆଦିର ପ୍ରୟୋଗ ହେତୁ ପନିପରିବାର ସ୍ୱାଦ ଓ ପୋଷକ ତତ୍ତ୍ୱ ଉଭୟ ନଷ୍ଟ ହେଉଛି। ଆଗ ବେଳେ କେବଳ ଶୀତଦିନେ ହିଁ କୋବି, ଗାଜର, ମୂଳା ଆଦି ମିଳୁଥିଲା। ଏବେ କିନ୍ତୁ କୌଣସି ପରିବା ଖାଇବା ପାଇଁ ଆମକୁ ଗୋଟିଏ ନିର୍ଦ୍ଧିଷ୍ଟ ଋତୁ ଯାଏଁ ଅପେକ୍ଷା କରିବାକୁ ପଡ଼ୁନି। କୌଣସି ବି ମଲ୍ କୁ ଚାଲ, ସେଠି ଯାହା ଖୋଜିବ ତାହା ପାଇବ। ତେଣୁ ଏମିତି ଦେଖିଲେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତ ତିଆରି କରୁଛେ କିନ୍ତୁ ସେସବୁରେ ଆବଶ୍ୟକ ପୋଷଣ ମିଳୁନାହିଁ।
ଏବେ ଟିକେ ପୋଷଣଯୁକ୍ତ ଖାଦ୍ୟ କଥା କହିବି। ବିଭିନ୍ନ ପନିପରିବାକୁ ଆମେ ଯେତେ କମ୍ ପ୍ରକ୍ରିୟାରେ ରାନ୍ଧିବା ତାହା ସେତେ ଅଧିକ ପୋଷଣ ଆମ ଶରୀରକୁ ଯୋଗାଇବ। ଧରନ୍ତୁ ଆପଣ ଆଜି ସନ୍ତୁଳା ବନେଇବେ। ଖାଦ୍ୟ ବିଜ୍ଞାନ ଅନୁସାରେ ଏଥିପାଇଁ ପରିବାକୁ ସିଝାଇ ଟିକେ ତେଲରେ ଫୁଟଣ କରିବା କଥା। କିନ୍ତୁ ଏବେ ଆପଣ କହିବେ ଆପଣଙ୍କ ଘରେ ସେମିତି ପସନ୍ଦ କରନ୍ତିନି, ତେଣୁ ପରିବାକୁ ଟିକେ ଭାଜି ଦେଲେ ଭଲ । କିନ୍ତୁ ଏହି ଭାଜିବା ବେଳେ ହିଁ କେତେ ଯେ ପୋଷକ ନଷ୍ଟ ହୋଇଯାଏ ତାହା ଆପଣ ଜାଣନ୍ତିନି। ଏଣୁ ଯେତେ ପାରିବା ସେତେ କମ୍ ପ୍ରୋସେସ୍ ରେ ଖାଇବା ବନେଇବା।
ସର୍ବଦା ଚେଷ୍ଟା କରନ୍ତୁ ଛୋଟ ଛୋଟ ଶାରୀରିକ ସମସ୍ୟା ପାଇଁ ଡାକ୍ତର ପାଖକୁ ନଯିବାକୁ। ଆମ ପାଖରେ ଉପଲବ୍ଧ ଥିବା ଖାଦ୍ୟପେୟକୁ ଯେତେ ସମ୍ଭବ ଉପଯୋଗ କରିବା ଓ ଆମ ଦେହକୁ ଫିଟ୍ ରଖିବା।