• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଦହି ଯେହେତୁ ଆମ ବେଦରେ ମଧ୍ୟ ଉଲ୍ଲେଖ ରହିଛି ତେଣୁ ଦହି ଓ ବରାକୁ ସେ କ୍ଷୀରବାତ ବୋଲି ସମ୍ୱୋଧନ କରାଯାଏ । ହୋଲି ପର୍ବରେ ପ୍ରଭୁ ନରସିଂହଙ୍କର ହିରଣ୍ୟକଶିପୁ ବଦ୍ଧକୁ ସମ୍ମାନ ଦେଇ ପୂଜା କରିସାରି ଦହିବରା ଖାଇବାର ବିଧି ଉଲ୍ଲେଖ ରହିଛି।

ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍‌ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା, ସାଇକେଲ୍, ଭାର, ଏମିତିକି ବଡ଼ ଟୋକେଇମାନଙ୍କରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ସୁଲଭ ମୂଲ୍ୟରେ ବିକିବା। ଆମ ଭାରତ ନିଜର ସଂସ୍କୃତି, ଖାଦ୍ୟପେୟ, ଭାଷା ଓ ଚଳଣିରେ ବିଭିନ୍ନତାରେ ଏକତା ପାଇଁ ବିଶ୍ୱବିଦିତ। ଉତ୍ତରରୁ ଦକ୍ଷିଣ ଯାଏଁ ପ୍ରତି ପାଦରେ ଖାଦ୍ୟପେୟ ବଦଳିଯାଇଥାଏ, ସ୍ଥାନ, ଲୋକମାନଙ୍କର ପସନ୍ଦ, ପ୍ରସ୍ତୁତ କରିବା ଶୈଳୀ, କଞ୍ଚାମାଲ ଉପଲବ୍ଧତା, ଜଳବାୟୁ ଆଦି ଅନେକ କାରକ ଆମ ଖାଦ୍ୟ ଚାହିଦାକୁ ପ୍ରଭାବିତ କରିଥାଏ। ଏଣୁ ସେହି ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାର ଷ୍ଟ୍ରିଟ୍ ଫୁଡ୍ ମିଳେ। ଉତ୍ତର ଭାରତରେ ଆଲୁ ଟିକ୍କୀ, ଚାଟ୍, ଦହି ଭଲ୍ଲା, ପାନିପୁରୀ, ଛୋଲେ କୁଲଚା, ଛୋଲେ ଭଟୁରେ, କଚୋଡ଼ୀ ଇତ୍ୟାଦି, ପୂର୍ବ ତଟୀୟ ଅଞ୍ଚଳରେ ଝାଲ ମୁଢ଼ି, ଦହିବରା, ଆଳୁ ଚାଟ୍, ବିହାରର ଲିଟି ଚୋଖା, ପୁଚକା ବା ଗୁପଚୁପ ଆଦି ମୁଖ୍ୟ। ସେହିପରି ଦକ୍ଷିଣରେ ଦୋସା, ଇଡଲୀ ହେଉଛି ମୁଖ୍ୟ ଖାଦ୍ୟ। ତେବେ ଏସବୁର ଆମ ଖାଦ୍ୟ ରୂପେ ପ୍ରସ୍ତୁତ ହେବା ପଛରେ କଣ ରହିଛି କାହାଣୀ।

ଏବେ ଯେତେ ସବୁ ଖାଦ୍ୟର ନାଁ ମୁଁ କହିଲି ସେଥିରୁ ମୋର ପ୍ରିୟ ହେଲା ଦହିବରା ଓ ଗୁପଚୁପ୍। ପୁଣି ଏଇ ଦୁଇଟି ମଧ୍ୟରେ ତୁଳନା କରାଗଲେ ମୋର ପ୍ରଥମ ପସନ୍ଦରେ ରହିବ ଦହିବରା। ଖାଲି ଦହିବରା କହିଲେ ମଧ୍ୟ ହେବନି, ସଂପୂର୍ଣ୍ଣ ଭାବେ କହିଲେ, ଦହିବରା ଆଳୁଦମ୍। ପତଳା ଘୋଳ ଦହିରେ ଭିଜା ହୋଇଥିବା ଦହି, ଉପରେ ଜିରା ଲଙ୍କା ଗୁଣ୍ଡ ଛିଞ୍ଚା ଯାଇଥିବ, ତା ଉପରେ ପଡ଼ିବ ଗରମ ଗରମ ଆଳୁଦମ୍ ଓ ଘୁଗୁନି। ତାଉପରେ କିଛି ସେଓ ଭୁଜିଆ, ପିଆଜ, କାକୁଡ଼ି, ଲଙ୍କା ଓ ଧନିଆ ପତ୍ର ପଡ଼ି ଏତେ ସୁନ୍ଦର ଭାବେ ସଜା ଯାଇଥିବ ଯେ ତାକୁ ଦେଖୁ ଦେଖୁ ପାଟିରେ ପାଣି ଆସିଯିବ। ଆପଣ ବି ପଢ଼ୁ ପଢ଼ୁ ଇଛା ହେବଣି ବାହାରକୁ ଯାଇ ଗୋଟେ ପ୍ଲେଟ ଖାଇଦେଇ ଆସିବାକୁ। ଟିକେ ରହିଯାଆନ୍ତୁ। ପ୍ରଥମେ ଟିକେ ଦହିବରା ବିଷୟରେ କଥା ହେବା, ତା’ପରେ ଖାଇବା କଥା ଭାବିବା।

ତେବେ ଯେପରି ନାମରୁ ଲାଗୁଛି ଦହିବରା ମୁଖ୍ୟ ରୂପରେ ଦହି ବଡ଼ା ବା ଦହି ଭଲ୍ଲାର ଏକ ରକମ।ଖାଦ୍ୟ ଐତିହାସିକ କେ.ଟି. ଆଚାର୍ଯ୍ୟଙ୍କର ବହି ‘ଦ ଷ୍ଟୋରୀ ଅଫ୍ ଫୁଡ୍’ ବା ଖାଦ୍ୟ ପଛରେ କାହାଣୀ ରେ ସେ ଲେଖିଛନ୍ତି ଯେ, ଦହି ବରାର ଏକ ରୋଷେଇ ପଦ୍ଧତି 12ଶ ଶତାବ୍ଦୀର ‘ମାନସୋଲ୍ଲଳ’ ଗ୍ରନ୍ଥରେ ଉଲ୍ଲେଖ ରହିଛି, ଯାହା ତତ୍କାଳୀନ କର୍ଣ୍ଣାଟକର ରାଜା ତୃତୀୟ ସୋମେଶ୍ୱର ସଂପାଦନ କରିଥିଲେ। ଦହି ଯେହେତୁ ଆମ ବେଦରେ ମଧ୍ୟ ଉଲ୍ଲେଖ ରହିଛି ତେଣୁ ଦହି ଓ ବରାକୁ ସେ କ୍ଷୀରବାତ ବୋଲି ଏହି ବହିରେ ସମ୍ୱୋଧନ କରିଛନ୍ତି। ହୋଲି ପର୍ବରେ ପ୍ରଭୁ ନରସିଂହଙ୍କର ହିରଣ୍ୟକଶିପୁ ବଦ୍ଧକୁ ସମ୍ମାନ ଦେଇ ପୂଜା କରିସାରି ଦହିବରା ଖାଇବାର ବିଧି ସେ ଉଲ୍ଲେଖ କରିଛନ୍ତି। ଏବେ ବି ଭାରତର ଅନେକ ସ୍ଥାନରେ ହୋଲିରେ ଦହିବରା ବା ଦହିଭଲ୍ଲା ଖିଆଯାଇ ବଣ୍ଟାଯାଏ। ଉତ୍ତର ଭାରତର ଦହି ଭଲ୍ଲା, ଦହିବରାର ଏକ ପ୍ରକାର ଅଟେ, ଯେଉଁଥିରେ ଖଟା ଓ ମିଠା ଉଭୟ ସ୍ୱାଦ ଥାଏ।

କିଛି ଟ୍ରାଭେଲ ବ୍ଲଗରଙ୍କ କହିବା ଅନୁସାରେ ଦହି ଭଲ୍ଲା 18ଶ ଶତାବ୍ଦୀରେ ମୋଗଲ ଅମଳରେ ପ୍ରଥମେ ତିଆରି ହୋଇଥିଲା ବୋଲି ଜଣାଯାଏ। ସେତେବେଳେ ଖାନସାମା ବା ରାଜପରବାରର ରୋଷେଇ ବ୍ୟବସ୍ଥାରେ ଥିବା ବ୍ୟକ୍ତି ଏହାକୁ ତିଆରି କରିବା ଆରମ୍ଭ କରିଥିଲେ। ଦହି ସାଧାରଣତଃ ଖାଦ୍ୟ ହଜମରେ ସାହାଯ୍ୟ କରେ। ବରା ତିଆରି ହୁଏ ବିରି ଡାଲି ଓ ଚାଉଳରୁ। ତେବେ ଚାଉଳ ଶ୍ୱେତସାର ଜାତୀୟ ହୋଇଥିବା ବେଳେ ଡାଲି ପୁଷ୍ଟିସାର ଜାତୀୟ। ଏଣୁ ଏ ଦୁଇଟି ମିଶି ତିଆରି ହେଉଥିବା ଖାଦ୍ୟ ଖୁବ୍ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ହୋଇଥାଏ ବୋଲି ରାଜଦରବାର ରୋଷେଇରେ ପ୍ରସ୍ତୁତ ହେଉଥିଲା। ତେବେ ଥରେ ଜଣେ ମୋଗଲ ରୋଷେୟା ଦହିରେ ବରା ଭିଜାଇ ସେଥିରେ କିଛି ଫଳ ସଜାଇ, ସେଓ ଆଦି ଖୁବ୍ ସୁନ୍ଦର ଭାବେ ରଖି ଖାଦ୍ୟ ଟେବୁଲରେ ରଖିଥିଲେ। ତାହା ସ୍ୱାଦରେ ଏତେ ଭଲ ଲାଗିଥିଲା ଯେ, ତା ପରେ ଅନେକ ଥର ତାହା ବନେଇବାର ବରାଦ ଆସିଥିଲା। ଏହା ଖାଦ୍ୟ ଖାଇବା ପରେ ହଜମ କାରୀ ଭାବେ ରୋଷେୟା ପ୍ରସ୍ତୁତ ରଖୁଥିଲେ। ତେବେ ଏହା ପରଠୁ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ ଦହିଭଲ୍ଲା ପ୍ରସାରିତ ହେଲା।

ତେବେ ଓଡ଼ିଶାକୁ ଏହା କେବେ ଆସିଲା ତାହାର କୌଣସି ବିଶେଷ ଉଲ୍ଲେଖ ନଥିଲେ ମଧ୍ୟ କଟକର ବିଡ଼ାନାସୀ ଓ ବାରବାଟୀ ଅଞ୍ଚଳରେ ପ୍ରଥମେ ବିକ୍ରି ଆରମ୍ଭ ହୋଇଥିଲା ବୋଲି ମତ ରହିଛି। ତେବେ ଆମେ ଓଡ଼ିଆମାନେ ଟିକେ ମସଲା ପ୍ରିୟ। ତେଣୁ ସ୍ୱାଦ ଅନୁସାରେ ଏହାର ଲୋକପ୍ରିୟତା ବଢ଼େଇବାକୁ ବରାକୁ ପତଳା ଘୋଳଦହିରେ ଭିଜାଇ ରଖି ଏହା ଉପରେ ଆଳୁଦମ୍ ପକାଯାଏ। ତା ଉପରେ ସଜାଇବା ପାଇଁ କିଛି ପିଆଜ, କାକୁଡ଼ି, ଧନିଆ ଆଦି ଥାଏ। ତେବେ ବିଭିନ୍ନ ଜାଗାକୁ ନେଇ ଏହାକୁ ଖାଇବାର ପଦ୍ଧତି ବା ସଜେଇ ପରଶିବା ଅଲଗା ପ୍ରକାର ହୋଇଥିଲେ ହେଁ ଏହାର ମୂଳ ରୂପ ହେଉଛି ଦହିବରା। ଦହିରେ ଭିଜିଥିବା ବରା। ଓଡ଼ିଶାର କଟକ ଏଥିପାଇଁ ପ୍ରସିଦ୍ଧ ଥିବା ବେଳେ ଏବେ ଅନ୍ୟ ଜାଗାରେ ମଧ୍ୟ ଅନୁରୂପ ଖାଇବାକୁ ମିଳୁଛି। ହେଲେ କଟକ ଦହିବରାର ଯେଉଁ ଛବି ରହିଛି ତାହା ଅନନ୍ୟ।

ଅଧିକ ପଢ଼ନ୍ତୁ: Tips and Tricks: ଏହି ୭ଟି ଖାଦ୍ୟକୁ ଫ୍ରିଜ୍‌ରେ ରଖୁଛନ୍ତି କି… ସାବଧାନ ! ହୋଇପାରେ ସାଂଘାତିକ ପରିସ୍ଥିତି

2020 ଜାନୁୟାରୀ ମସିହାରେ ଦିଲ୍ଲୀରେ ହେଉଥିବା ଅନ୍ତର୍ରାଷ୍ଟ୍ରୀୟ ଷ୍ଟ୍ରୀଟ୍ ଫୁଡ୍ ଉତ୍ସବରେ ଜାତୀୟ ପୁରସ୍କାର ପାଇଥିଲେ କଟକର ପ୍ରଦୀପ୍ତ କୁମାର ଓରଫ ବାବୁଲା ସାହୁ। 29 ରାଜ୍ୟର 250 ପ୍ରତିଯୋଗୀଙ୍କ ମଧ୍ୟରେ ବାବୁଲା ସାହୁ ବିଜେତା ହୋଇଥିଲେ। କଟକର ସେଲଟର ଛକରେ ଗତ 30 ବର୍ଷଧରି ଦହିବରା ଆଳୁଜଦମ୍ ବ୍ୟବସାୟ କରିଆସୁଛନ୍ତି। ଆମ ଦହିବରା ଆଳୁଦମ୍‌ର ବିଶେଷତା ହେଲା ଆଳୁଦମ୍ ଯାହା ଭାରତର ଅନ୍ୟ କୌଣସି ସ୍ଥାନରେ ଦହିବରା ସହ ଖାଇବାକୁ ମିଳେନି। ଏଣୁ ଆମର ଏହି ସ୍ୱତନ୍ତ୍ର ସ୍ୱାଦକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଁଚାଇବା ପାଇଁ ଏବେ ପ୍ରତିବର୍ଷ ମାର୍ଚ୍ଚ 1 ରେ ଦହିବରା ଦିବସ ପାଳନ ହେଉଛି। ଏହିଦିନ ଆମେ ଦହିବରାକୁ ଅନେକ ପ୍ରକାରେ ପ୍ରସ୍ତୁତ କରି ଆମେ ବିଶ୍ୱରେ ପହଁଚାଇବାର ଲକ୍ଷ୍ୟ ରଖିଛୁ।

ଯଦିଓ ଏବେ ପ୍ରାୟ କଟକ ଭୁବନେଶ୍ୱରର ଦହିବରା ଖାଇବାର ସୁଯୋଗ ମିଳୁନାହିଁ, ଯେବେ ବି ମୋ ଗାଁ କୁ ଯାଏ ବଜାରରୁ ଦହିବରା ଆଣି ଖାଇଥାଏ। ମୋ କଲେଜ ବେଳେ କ୍ୟାମ୍ପସ୍ ବାହାରେ ଗେଟ୍ ପାଖେ ଦହିବରା ବିକୁଥିବା ସେ ମଉସାଙ୍କ କଥା ମନେପଡ଼ିଯାଏ। ଦହିବରା ସହ ମୋର ପ୍ରେମ ସେବେଠୁ। ଯଦିଓ ଗୁପଚୁପ୍, ଚାଟ୍, ମୋମୋ ଆଦି ମଧ୍ୟ ମୋ ଲିଷ୍ଟରେ ରହିଛି ହେଲେ ଦହିବରାର ସ୍ଥାନ ସ୍ୱତନ୍ତ୍ର।

ଅଧିକ ପଢ଼ନ୍ତୁ: Mindful Eating Benefits: ଅନ୍ୟମନସ୍କ ହୋଇ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼େ ଖରାପ ପ୍ରଭାବ

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now