• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ଏହା ଏକ ବିପଦପୂର୍ଣ୍ଣ କାମ। ଅନେକ ସମୟରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୁଅନ୍ତି। ଏହାର ଅନେକ ଉଦାହରଣ ସମଗ୍ର ବିଶ୍ୱରେ ଅଛି। ସାମ୍ବାଦିକମାନେ ସତ୍ୟକୁ ସାମ୍ନାକୁ ଆଣିବାକୁ ଏବଂ ସେମାନଙ୍କର ଦାୟିତ୍ୱକୁ ଠିକ୍ ଭାବେ ପୂରଣ କରିବାକୁ ନିଜ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା କରନ୍ତି ନାହିଁ।

ନିଜ ଜୀବନକୁ ବାଜି ଲଗେଇ କାମ କରୁଥିବା ସାମ୍ବାଦିକଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ଦାବି ନଦିଏ ଏନେଇ ସେମାନଙ୍କୁ ସ୍ୱାଧୀନତା ଦେବା ଅତ୍ୟନ୍ତ ଜରୁରୀ। ପୂର୍ଣ୍ଣ ସ୍ୱାଧୀନତା ପରେ ସେମାନେ ସେମାନଙ୍କର କାମକୁ ସୂଚାରୁ ରୂପେ କରିବାକୁ ସମର୍ଥ ହେବେ। ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩ ମେ’ରେ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ପାଳନ କରାଯାଏ। ଆସନ୍ତୁ ଏହି ଦିନ ସହିତ ଜଡିତ କିଛି ତଥ୍ୟ ଉପରେ ନଜର ପକେଇବା।

କିପରି ହେଲା ଆରମ୍ଭ:

୧୯୯୧ ମସିହାରେ, ପ୍ରଥମ ଥର ପାଇଁ ଆଫ୍ରିକୀୟ ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ମେ ୩ରେ, ଗଣମାଧ୍ୟମର ସ୍ୱାଧୀନତାର ନୀତି ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରାଯାଇଥିଲା, ଏହାକୁ ୱିଣ୍ଡ୍‌ହୋକ୍ ଘୋଷଣାନାମା କୁହାଯାଏ। ଏହାର ଦୁଇ ବର୍ଷ ପରେ, ୧୯୯୩ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳନ କରିବାକୁ ଘୋଷଣା କଲା। ସେବେଠାରୁ ମେ ୩କୁ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ଭାବେ ପାଳନ କରାଯାଏ।

ୟୁନେସ୍କୋର ପୁରସ୍କାର:

ପ୍ରତିବର୍ଷ ମେ’ ୩ରେ ଗିଲେରମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପୁରସ୍କାର ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଜଣେ ବ୍ୟକ୍ତି ବା ଅନୁଷ୍ଠାନକୁ ଦିଆଯାଏ ଯିଏ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଉଲ୍ଲେଖନୀୟ କାମ କରିଥାନ୍ତି। ଏହି ଦିନ ସ୍କୁଲ ଏବଂ କଲେଜ ଗୁଡ଼ିକରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ସାମ୍ବାଦିକତା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା ହୁଏ। ଅନେକ ସ୍ଥାନରେ ସେମିନାର ମଧ୍ୟ ଆୟୋଜନ କରାଯାଏ।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ପାଇଁ ଏକ ଥିମ୍ ସ୍ଥିର କରାଯାଏ। ଗତ ବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ଥିମ୍ ଥିଲା- 'ଡିଜିଟାଲ୍ ଅବରୋଧରେ ସାମ୍ବାଦିକତା'। ଚଳିତ ବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ୩୦ତମ ବାର୍ଷିକୀ। ଚଳିତ ବର୍ଷର ଥିମ୍ ହେଉଛି- “ଅଧିକାରର ଭବିଷ୍ୟତ ଗଠନ: ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟ ସମସ୍ତ ମାନବିକ ଅଧିକାରର ଚାଳକ ଭଳି।”

OTV is now on Whatsapp

Join and get latest news update delivered to you via whatsapp

Join Now