• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚେସ୍ ହେଉଛି ରଣନୀତି ଏବଂ ବୌଦ୍ଧିକ ଦକ୍ଷତାର ଏକ ଖେଳ ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟ। ୨୦ ଜୁଲାଇରେ ବିଶ୍ୱ ଚେସ୍‌ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି।

ଆଜି ଏହି ଦିନ ଥିବାରୁ ଆସନ୍ତୁ ଜାଣିବା ବିଶ୍ୱ ଚେସ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ଏବଂ ଏହାର ଗୁରୁତ୍ୱ କ’ଣ? ଆହୁରି ମଧ୍ୟ, ଚେସ୍ ଖେଳିବାରେ ଲାଭ କ’ଣ ସେ ବିଷୟରେ ଜାଣିନେବା।

ଇତିହାସ:

୧୯୨୪ ମସିହାରେ ଫ୍ରାନ୍ସର ପ୍ୟାରିସ୍‌ରେ ଆୟୋଜିତ ଅଷ୍ଟମ ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସରେ ୨୦ ଜୁଲାଇରେ ୱାର୍ଲ୍ଡ ଚେସ୍ ଫାଉଣ୍ଡେସନ୍ (FIED) ପ୍ରତିଷ୍ଠା କରାଯାଇଥିଲା। ୟୁନେସ୍କୋ ତରଫରୁ FIED ପ୍ରତିଷ୍ଠା ସମ୍ମାନରେ ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୨୦ ଜୁଲାଇ ୧୯୬୬ରେ ପ୍ରଥମ ବିଶ୍ୱ ଚେସ ଦିବସ ପାଳନ କରାଯାଇଥିଲା।

ତେବେ UNO ସାଧାରଣ ସଭା ତରଫରୁ ୧୨ ଡିସେମ୍ବର ୨୦୧୯ରେ, ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ଭାବରେ ଘୋଷଣା କରାଯାଇଥିଲା। ୧୮୫୧ ମସିହାରେ ଲଣ୍ଡନରେ ଆଧୁନିକ ଚେସ୍‌ର ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜର୍ମାନ ଆଡଲ୍ଫ ଆଣ୍ଡରସନ୍ ବିଜେତା ହୋଇଥିଲେ।

ମହତ୍ତ୍ୱ:

ଭାଷା ଏବଂ ସମ୍ପ୍ରଦାୟର ସୀମା ଅତିକ୍ରମ କରି ସମଗ୍ର ବିଶ୍ୱରେ ଚେସ୍ ଖେଳାଯାଏ। ବିଶ୍ୱ ଚେସ୍‌ ଦିବସ ଅବସରରେ ସମଗ୍ର ବିଶ୍ୱରେ ଚେସ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହି ବିଶ୍ୱସ୍ତରୀୟ ଖେଳ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରେ ଏବଂ ଏହାଦ୍ୱାରା ମନୁଷ୍ୟର ମାନସିକ ଦକ୍ଷତା ବିସ୍ତାର ହୁଏ।

ଫଳାଫଳ:

ମସ୍ତିଷ୍କ ବ୍ୟାୟାମ-

ଅଧ୍ୟୟନରୁ ଜଣାପଡିଛି ଯେ ଚେସ୍‌ ଖେଳିବା ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଏହା ଏକ ଅତ୍ୟନ୍ତ ଲାଭଦାୟକ ବ୍ୟାୟାମ ଭାବରେ ଦେଖାଯାଏ।

ଆଲ୍‌ଜାଇମର୍‌ ରୋଗକୁ ରୋକେ:

ଅଧ୍ୟୟନରୁ ଜଣାପଡିଛି ଯେ ଚେସ୍‌ ଖେଳିବା ଦ୍ୱାରା ମନ କାର୍ଯ୍ୟରତ ହୋଇଥାଏ, ଯାହା ଡିମେନ୍‌ସିଆର ବିପଦକୁ ଯଥେଷ୍ଟ କମ କରିଥାଏ ଏବଂ ଏହାର ଲକ୍ଷଣ ସହିତ ଲଢେଇ କରିଥାଏ। ଚେସ୍‌ ଖେଳିଲେ ଆଲଜାଇମର ରୋଗ ସହିତ ଉଦାସୀନତା ଏବଂ ଚିନ୍ତାର ବିପଦକୁ ମଧ୍ୟ ହ୍ରାସ କରିପାରେ।

ପିଲାମାନଙ୍କର ବୌଦ୍ଧିକ ବିକାଶକୁ ପ୍ରୋତ୍ସାହିତ କରେ:

ଅନୁସନ୍ଧାନରୁ ଜଣାପଡିଛି ଯେ ଚେସ୍‌ ଖେଳିବା ଦ୍ୱାରା ପିଲାମାନଙ୍କର ଚିନ୍ତାଧାରା, ସମସ୍ୟା-ସମାଧାନ, ପଢିବା ଏବଂ ଗଣିତ ଜ୍ଞାନରେ ଉନ୍ନତି ହୋଇଥାଏ। ଚାରି ବା ପାଞ୍ଚ ବର୍ଷରୁ କମ୍ ପିଲାମାନେ ଶିଖିବା ଏବଂ ଖେଳିବା ପାଇଁ ପ୍ରସ୍ତୁତ ହୋଇପାରିବେ।

ଆତ୍ମବିଶ୍ୱାସକୁ ବଢାଇଥାଏ:

ଚେସ୍ ଖେଳିବାରେ ବୟସର କୌଣସି ଫରକ୍ ପଡେ ନାହିଁ। ଏହା ଆତ୍ମସମ୍ମାନକୁ ବଢେଇଦିଏ। ଯେତେବେଳେ ଏହାକୁ ଖେଳାଯାଏ ସେତେବେଳେ ଏକୁଟିଆ ଲଢିବାକୁ ପଡେ। ହାରିଗଲା ପରେ ଜଣେ କେଉଁଠାରେ ଭୁଲ୍ କଲା, ତାହାର ଆତ୍ମସମୀକ୍ଷା କରିବାକୁ ପଡେ। ଏହା ମାନସିକ ଶକ୍ତି ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରେ।