• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଆଜି ହେଉଛି ସେହି ପବିତ୍ର ଦିନ। ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ। ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ। ପ୍ରଭାତୀ କୀର୍ତ୍ତନ ବନ୍ଦ ରହେI ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ।

ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ। ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା' ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ। ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ।

ଶ୍ରୀଜଗନ୍ନାଥଙ୍କ ସେବା ନିଆରା। ଠାକୁରଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବା ରହିଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସର ବିଧି ରହିଛି। ବିଶ୍ୱାସ ରହିଛି ମାତା ଯଶୋଦା ରାତି ନ ପାହୁଣୁ, କାଉ କା କରିବା ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଖୁଆଇ ଦିଅନ୍ତି। ଏହି ଭୋଗ ହେଉଛି ମାତା ଯଶୋଦାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ, ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ବୋଲି କୁହାଯାଏ।

ଏ ସମ୍ପର୍କୀୟ ପୌରାଣିକ ତଥ୍ୟରୁ ଜଣାଯାଏ ଯେ, ଏକଦା ଦ୍ୱାରକାରେ ମାତା ଯଶୋଦାଙ୍କ ସ୍ମୃତିରେ ବ୍ୟାକୁଳିତ ହୋଇ ଶ୍ରୀକୃଷ୍ଣ ବାଳଗୋପାଳ ରୂପ ଧାରଣ କରିଥିବାବେଳେ ନାରଦ ସେଠାରେ ପହଞ୍ଚି ତାହାର ରହସ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ଏହାର ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରେରିତ ହୋଇ ନାରଦ ଗୋପପୁରକୁ ଯାଇ ମାଆ ଯଶୋଦାଙ୍କ ଦୁଇ କୋଳରେ ବଳରାମ ଓ କୃଷ୍ଣ ଦୁଇ ଭାଇଙ୍କୁ ବସି ଆନନ୍ଦରେ ନାନା ମିଷ୍ଠାନ ଦ୍ରବ୍ୟ ଭୋଜନ କରୁଥିବାର ଦେଖିଥିଲେ।

ଶ୍ରୀଜଗନ୍ନାଥଙ୍କ ‘ପହିଲିଭୋଗ’ ଏହାର ସ୍ମାରକୀ। ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗରେ ଯଶୋଦାଙ୍କର ପୁତ୍ର ବାତ୍ସଲ୍ୟର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କର ପିତୃଗୃହ ଗମନ ହେତୁ ପହିଲିଭୋଗର ସୃଷ୍ଟି ହୋଇଛି।

ପୁଣି ଜନଶ୍ରୁତି ଅନୁଯାୟୀ ଲଷ୍ମୀ ଏହି କେତେଦିନ ନିଜ ସ୍ଥାନରୁ ଅନ୍ତର ଥାଆନ୍ତି। ଲୋକବିଶ୍ୱାସରେ ଲଷ୍ମୀ ଏହି ମାସଟି ନିଜ ବାପଘରେ କାଟନ୍ତି। ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘରମାନଙ୍କରେ ରହିଛି। ତେଣୁ ମାଆ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତ ସକାଳରେ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now